banner
Breaking

କୋଭିଡ୍‌ କଟକଣା ଭିତରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ‘ମୋତିଆ ବିନ୍ଦୁ’ ଅପରେସନ

0

ସୁନ୍ଦରଗଡ଼: କୋଭିଡ୍‌ କଟକଣାକୁ ପାଳନ କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଆରମ୍ଭ ହୋଇଛି ମାଗଣା ‘ମୋତିଆ ବିନ୍ଦୁ’ ଅପରେସନ। କରୋନା ସଂକ୍ରମଣ ପାଇଁ ଏହି ଚିକିତ୍ସା ଗତ କିଛି ମାସ ହେଲା ବନ୍ଦ ରହିଥିଲା। ଗତ ମାସକ ଭିତରେ ୮ଟି ବ୍ୟାଚରେ ମୋଟ ୪୬ ଜଣଙ୍କ ଅପରେସନ କରାଯାଇଛି।

ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ୯ ଜଣ ହିତାଧିକାରୀଙ୍କର ଗତ ମଙ୍ଗଳବାର ଦିନ ଅପରେସନ କରାଯାଇଛି। ସୋମବାର ଦିନ ପ୍ରଥମେ  ସେମାନଙ୍କର ସ୍କ୍ରିନିଂ କରାଯାଇଥିଲା।. ମୋତିଆ ବିନ୍ଦୁ ଅପରେସନ ପୂର୍ବରୁ ରୋଗୀମାନଙ୍କର କୋଭିଡ୍‌ ପରୀକ୍ଷା ମଧ୍ୟ କରାଯାଇଥିଲା। ଅପରେସନର ଦିନକ ପରେ ସେମାନଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି।

ହିତାଧିକାରୀଙ୍କୁ ମାଗଣାରେ କଳା ଚଷମା ସହ ଔଷଧ ଯୋଗାଇ ଦିଆଯାଉଛି। ଅପରେସନର ୭ ଦିନ ଏବଂ ୧ ମାସ ପରେ ୨ଟି ପର୍ଯ୍ୟାୟରେ ରୋଗୀମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକତା ଅନୁଯାୟୀ ଚଷମା ମଧ୍ୟ ପ୍ରଦାନ କରାଯାଉଛି। ତେବେ ମୋତିଆବିନ୍ଦୁ ଅପରେସନ ସମୟରେ ରୋଗୀଙ୍କ ଆଖିରେ ଅତ୍ୟାଧୁନିକ ଲେନ୍ସ ରୋପଣ କରାଯାଉଥିବାରୁ ଅଧିକାଂଶ ଲୋକଙ୍କର ଆଉ ଚଷମାର ଆବଶ୍ୟକତା ପଡ଼ି ନଥାଏ।

‘‘କୋଭିଡ୍‌ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେବଳ ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଉଥିଲା। ଅନ୍ୟ ସବୁ ଅସ୍ତ୍ରୋପଚାର ବନ୍ଦ ରହିଥିଲା। ଏପରିକି ଜିଲ୍ଲାରେ ସ୍କ୍ରିନିଂ କ୍ୟାମ୍ପ ମଧ୍ୟ ବନ୍ଦ ରହିଥିଲା। ହେଲେ ଏବେ ଆମେ ମୋତିଆ ବିନ୍ଦୁ ଅପରେସନ ଆରମ୍ଭ କରିଛୁ। କୋଭିଡ୍‌ ଗାଇଡଲାଇନକୁ ସମ୍ପୂର୍ଣ୍ଣ ପାଳନ କରାଯାଇ ଅସ୍ତ୍ରୋପଚାର କରାଯାଉଛି’’, ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

‘‘ମୋତିଆ ବିନ୍ଦୁ ଅପରେସନ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ତେଣୁ ଯେଉଁ ଲୋକଙ୍କର ମୋତିଆ ବିନ୍ଦୁ ସମସ୍ୟା ରହିଛି ସେମାନେ ବ୍ଲକ ସ୍ତରରେ ଥିବା ଚକ୍ଷୁ ସହାୟକଙ୍କ ସହ ଯୋଗାଯୋଗ କରିବା ଦରକାର’’, କହିଛନ୍ତି ଚକ୍ଷୁ ବିଶେଷଜ୍ଞ ତଥା ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ।

କରୋନା ମହାମାରୀ ପୂର୍ବରୁ ପ୍ରତି ବ୍ୟାଚରେ ପ୍ରାୟ ୨୫ ଜଣ ରୋଗୀଙ୍କର ମୋତିଆ ବିନ୍ଦୁ ଅପରେସନ କରାଯାଉଥିଲା। ତେବେ ବର୍ତ୍ତମାନର କୋଭିଡ୍‌ ପରିସ୍ଥିତିରେ ଏହି ସଂଖ୍ୟାକୁ ୮ରୁ ୧୦ ଭିତରେ ସୀମିତ ରଖାଯାଉଛି। ବିଭିନ୍ନ ବ୍ଲକରୁ ଆସୁଥିବା ରୋଗୀଙ୍କ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଉଛି।

କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଜିଲ୍ଲାରେ ବିଭିନ୍ନ ମୋତିଆ ବିନ୍ଦୁ ସ୍କ୍ରିନିଂ କ୍ୟାମ୍ପ ବନ୍ଦ ରହିଛି। ତେଣୁ ରୋଗୀମାନେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଭାବେ ଚକ୍ଷୁ ପରୀକ୍ଷା କଲା ପରେ ଯେଉଁମାନଙ୍କର ମୋତିଆ ବିନ୍ଦୁ ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଉଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋତିଆ ବିନ୍ଦୁ ଅପରେସନ ଲାଗି ଜିଲ୍ଲାର ରୋଗୀମାନଙ୍କ ସହ ପଡ଼ୋଶୀ ଝାରସୁଗୁଡ଼ା, ଦେବଗଡ଼ ଏବଂ ସମ୍ବଲପୁରର ହିତାଧିକାରୀମାନେ ମଧ୍ୟ ସୁନ୍ଦରଗଡ଼ ଆସୁଛନ୍ତି।

ମାଗଣାରେ ମୋତିଆ ବିନ୍ଦୁ ଅପରେସନ ଏକ ପ୍ରମୁଖ ଜାତୀୟ କାର୍ଯ୍ୟକ୍ରମ। ଏହା ମାଧ୍ୟମରେ ଗରିବ ଶ୍ରେଣୀର ଲୋକଙ୍କ ମଧ୍ୟରେ ଅନ୍ଧତ୍ୱ ଦୂରୀକରଣ ଏବଂ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉଛି।

Khansweb Solution Bhubaneswar

Leave A Reply

Your email address will not be published.