ହାଇଦ୍ରାବାଦ,୬/୧୨: ଶେଷରେ ସମସ୍ତଙ୍କୁ ମିଳିଛି ନ୍ୟାୟ।ପିଡୀତଙ୍କ ଅମର ଆତ୍ମାକୁ ମିଳିଛି ଶାନ୍ତି। ଏନକାଉଣ୍ଟରରେ ସମସ୍ତ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଜାଳିଦେବା ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ଚେତନାପାଲି ଓଭରବ୍ରିଜ୍ ଉପରେ ଆଜି ସକାଳେ ଏନ୍କାଉଣ୍ଟର ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ ପୁଲିସ୍ ହାତରୁ ଖସି ପଳାଇବାକୁ ଉଦ୍ୟମ ବେଳେ ପୁଲିସ୍ ପକ୍ଷରୁ ଏହି ଏନ୍କାଉଣ୍ଟର କରାଯାଇଥିବା ସୂଚନା ମିଳିଛି। ଏହି ୪ ଅଭିଯୁକ୍ତ ହେଲେ ମହମ୍ମଦ ଆରିଫ, ନବୀନ, ଚିନ୍ତାକୁନ୍ତା କେଶାଭୁଲୁ ଏବଂ ଶିବା।
ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ମୃତ୍ୟୁ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୀଡ଼ିତାଙ୍କ ପରିବାରକୁ ଶେଷରେ ନ୍ୟାୟ ମିଳିଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।ମିଳିଥିବା ସୂଚନା ଅନୁସାରେ, ଏହି ୪ ଅଭିଯୁକ୍ତ, ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ଜାଳି ଦେଇଥିଲେ। ତା’ପରେ ଘଟଣାସ୍ଥଳରୁ ପଳାଇଥିଲେ। ଏହାପରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ ଜଣ ପୁଣିଥରେ ଘଟଣାସ୍ଥଳକୁ ଫେରିଥିଲେ। ମହିଳା ଡାକ୍ତରଙ୍କ ଶରୀର ପୂରାପୂରି ଭାବେ ଜଳିଛି ନା ନାହିଁ ଏହା ଦେଖିବା ପାଇଁ ସେମାନେ ଘଟଣାସ୍ଥଳକୁ ପୁନର୍ବାର ଫେରିଥିଲେ।ଏହି ଘଟଣାରେ ମୃତ ୪ ଅଭିଯୁକ୍ତଙ୍କ ପରିବାର ଲୋକ କହିଥିଲେ, ଯଦି ସେମାନେ(ଅଭିଯୁକ୍ତମାନେ) ଏଭଳି ପୈଶାଚିକ କାଣ୍ଡ କରିଛନ୍ତି ସେମାନଙ୍କୁ ତୁରନ୍ତ ଫାଶୀ ଦଣ୍ଡାଦେଶ ଦିଆଯାଉ ନ ହେଲେ ଜିଅନ୍ତା ଜାଳି ଦିଅ।




