banner
Breaking

ରାଜ୍ୟରେ ଖୋଲିବ ୧୧ଟି ନୂଆ ସାଇବର ଥାନା

0

ଭୁବନେଶ୍ୱର,୧୫ା୧୨(ବ୍ୟୁରୋ): ସାଇବର ଅପରାଧ ଏବେ ସାରା ବିଶ୍ବରେ ଚିନ୍ତାର କାରଣ ହେଇଛି। ଦେଶ ତଥା ଓଡ଼ିଶାରେ ମଧ୍ୟ ସାଇବର ଅପରାଧର ଅନେକ ଘଟଣା ଦୃଷ୍ଟିକୁ ଆସୁଛି। ବ୍ୟାଙ୍କ ଦେଣନେଣ ତଥା ଜଟିଳ ଡିଜିଟାଲ ଦେଣନେଣରେ ସାଇବର ଅପରାଧ ଅଧିକ ଭାବରେ ସମ୍ପୃକ୍ତ। ଏସବୁ ଅପରାଧର ଯଥାର୍ଥ ଅନୁସନ୍ଧାନ ଓ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଜ୍ଞାନ ଓ ଦକ୍ଷତା ଆବଶ୍ୟକ। ତେଣୁ ସାଇବର ଅପରାଧ ତଥା ତଜ୍ଜନିତ ଆର୍ଥିକ ଅପରାଧକୁ ରୋକିବା ତଥା ଏଭଳି ଅପରାଧର ଶିକାର ହୋଇଥିବା ଲୋକମାନେ ଯେପରି ଉପଯୁକ୍ତ ନ୍ୟାୟ ପାଇପାରିବେ, ତାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଥିପାଇଁ ୧୧ଟି ସ୍ବତନ୍ତ୍ର ଥାନା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବର୍ତ୍ତମାନ ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ କାର୍ଯ୍ୟ କରୁଥିବା ୩ ସାଇବର ଓ ଅର୍ଥନୈତିକ ଅପରାଧ ଥାନାକୁ ମିଶାଇ ମୋଟ ସାଇବର ଅପରାଧ ଥାନା ସଂଖ୍ୟା ୧୪ରେ ପହଞ୍ଚିଛି। ଏହି ୧୪ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନାଗୁଡ଼ିକ ହେଲା- କଟକ, ଭୁବନେଶ୍ବର, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୋଳ, ବାଲେଶ୍ବର, ମୟୂରଭଞ୍ଜ, ପୁରୀ, କୋରାପୁଟ, ଭବାନୀପାଟଣା, ବଲାଙ୍ଗୀର ଓ କନ୍ଧମାଳ। ଏହି ଥାନାଗୁଡ଼ିକରେ ନିଯୁକ୍ତି ପାଇଁ ପୋଲିସ ବିଭାଗରେ ୧୫୪ଟି ପଦବୀ ସୃଷ୍ଟି କରାଯାଇଛି। ସେମାନଙ୍କ ମଧ୍ୟରେ ୧୪ ଇନ୍ସପେକ୍ଟର, ୨୮ଟି ସବ୍‌ଇନ୍ସପେକ୍ଟର, ୨୮ ଏଏସ୍‌ଆଇ (ଯୋଗାଯୋଗ), ୨୮ କନଷ୍ଟେବଳ (ଯୋଗାଯୋଗ) ଓ ୫୬ କନଷ୍ଟେବଳ ପଦବୀ ଅନ୍ତର୍ଭୁକ୍ତ। ଏମାନଙ୍କ ବ୍ୟତୀତ ଫାଇନାନ୍ସ ଓ ଆକାଉଣ୍ଟ ଆନାଲିଷ୍ଟ, ଆଇଟି ଏକ୍ସପର୍ଟ ଓ ସାଇବର ଫରେନସିକ ଏକ୍ସପର୍ଟ ଭଳି ୯୦ ବିଶେଷଜ୍ଞଙ୍କୁ ମଧ୍ୟ ଏହି ଥାନାଗୁଡ଼ିକରେ ନିୟୋଜିତ କରାଯିବ ବୋଲି ଜଣାଯାଇଛି। ରାଜ୍ୟ ସାଇବର ତଥା ଆର୍ଥିକ ଅପରାଧ ରୋକିବାରେ ଏହା ସହାୟକ ହେବା ସହିତ ଲୋକଙ୍କୁ ଶୀଘ୍ର ନ୍ୟାୟ ଦେବା ଦିଗରେ ଫଳପ୍ରଦ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.