banner
Breaking

ଫେରିଗଲା ମୌସୁମୀ।

0

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ସାରା ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶନିବାର ବିଦାୟ ନେଇଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ଠିକ୍‌ ସମୟରେ ଅର୍ଥାତ୍‌ ଜୁନ୍‌ ୧ରେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ୭ଦିନ ବିଳମ୍ବରେ ମୌସୁମୀ ଫେରିଛି। ପ୍ରାୟତଃ ଅକ୍ଟୋବର ୧୫ ବେଳକୁ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥାଏ। ତେବେ ଏଥର ମୌସୁମୀର ରହଣି ଭିତରେ ମୋଟ୍‌ ୧୩ଟି ଲଘୁଚାପ ହୋଇଥିଲା। ବିଳମ୍ବରେ ମୌସୁମୀର ପ୍ରତ୍ୟାବର୍ତ୍ତନ ଓ ଏତେଥର ଲଘୁଚାପ ହୋଇଥିଲେ ମଧ୍ୟ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି। ରାଜ୍ୟରେ ଜୁନ୍‌ରେ ୩%, ଜୁଲାଇରେ ୧୯% ଓ ଅଗଷ୍ଟରେ ୨୯% ନିଅଣ୍ଟିଆ ବର୍ଷା ହୋଇଥିବାବେଳେ କେବଳ ସେପ୍ଟେମ୍ବରରେ ସ୍ବାଭାବିକଠାରୁ ୭୦% ଅଧିକ ବର୍ଷା ହୋଇଥିଲା। ବିଶେଷ କରି ଭୁବନେଶ୍ୱର, ପୁରୀ, ଜଗତ୍‌ସିଂହପୁରରେ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା। ହେଲେ ଅକ୍ଟୋବର ୨୩ ଦିନରେ ରାଜ୍ୟରେ ୧୪% ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡ଼ିଛି। ସୁନ୍ଦରଗଡ଼ ଓ ଦେବଗଡ଼ରେ ଅଧିକରୁ ଅଧିକ ବର୍ଷା ହୋଇଥିବାବେଳେ ମୟୂରଭଞ୍ଜ, ବାଲେଶ୍ୱର ଓ ମାଲକାନଗିରିରେ ସ୍ବାଭାବିକଠାରୁ ଅଧିକ ଏବଂ ବରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ଗଜପତି, କେନ୍ଦୁଝର, ଯାଜପୁର, ଭଦ୍ରକ, ଜଗତସିଂହପୁରରେ ସ୍ବାଭାବିକ ବର୍ଷା ହୋଇଛି। କିନ୍ତୁ ଝାରସୁଗୁଡ଼ା, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଅନୁଗୋଳ, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ନିଅଣ୍ଟିଆ ବର୍ଷା ହୋଇଛି। ତେବେ ନୂଆପଡ଼ା ଜିଲାରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ଓ ଅକ୍ଟୋବରରେ ଏହି ଜିଲାରେ ୭୪% କମ୍‌ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ସେପଟେ ଆସନ୍ତା ୮ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ନ ଥିବାରୁ ଅକ୍ଟୋବରରେ ବି ନିଅଣ୍ଟିଆ ବର୍ଷା ହେବ ବୋଲି ଅନୁମାନ କରାଯାଉଛି। ସେହିପରି ଆସନ୍ତା ୨୬ ତାରିଖରୁ ସାରା ଭାରତରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Khansweb Solution Bhubaneswar

Leave A Reply

Your email address will not be published.