banner
Breaking

ଶିକ୍ଷକଙ୍କୁ କରୋନା ଯୋଦ୍ଧା ମାନ୍ୟତା ମିଳୁ।

0

ଭୁବନେଶ୍ୱର, ୧୯ା୫(ବ୍ୟୁରୋ):କରୋନା ଲଢ଼େଇରେ ଆରମ୍ଭରୁ ନିଜକୁ ସାମିଲ କରିଥିବା ଶିକ୍ଷକଙ୍କୁ ତୁରନ୍ତ କରୋନା ଯୋଦ୍ଧାର ମାନ୍ୟତା ମିଳୁ। ରାଜ୍ୟ ସରକାର ଶିକ୍ଷକଙ୍କୁ ଯୋଦ୍ଧା ଭାବେ ଘୋଷଣା କରନ୍ତୁ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଦାବି କରିଛି। ମିଳିତମଞ୍ଚ ପକ୍ଷରୁ କୁହାଯାଇଛି, ସରକାର ଯୋଦ୍ଧା ଘୋଷଣାରେ ପାତରଅନ୍ତର କରୁଛନ୍ତି। ଏପର୍ଯ୍ୟନ୍ତ ଶିକ୍ଷକଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ ନ କରିବା ଦୁର୍ଭାଗ୍ୟର ବିଷୟ। ରାଜ୍ୟରେ କରୋନାର ସଂକ୍ରମଣ ଖୁବ୍‌ ଦ୍ରୁତଗତିରେ ବଢ଼ି ଚାଲିଛି। ରାଜ୍ୟ ସରକାର କୋଭିଡ୍‌ ପରିଚାଳନା ନିମନ୍ତେ ଶିକ୍ଷକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ୨୦୨୦ ଫେବୃୟାରୀଠାରୁ କରୋନା ବିରୋଧୀ ଲଢ଼େଇରେ ଅନ୍ୟ ସମସ୍ତ କର୍ମଚାରୀଙ୍କ ଭଳି ଶିକ୍ଷକମାନେ କାର୍ଯ୍ୟକରି ଆସୁଛନ୍ତି। ପ୍ରଥମେ ପ୍ରବାସୀଙ୍କୁ କୋଭିଡ୍‌ କେୟାର ସେଣ୍ଟରକୁ ଆଣିବା ସହ ଜଗିବା, ଘରଘର ବୁଲି ସ୍ବାସ୍ଥ୍ୟ ସଚେତନତା ବୃଦ୍ଧି, ଔଷଧ ବଣ୍ଟନ ସହିତ ସେମାନଙ୍କ ଉପରେ ନଜର ରଖି ପ୍ରଶାସନକୁ ଖବର ଦେବା କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରୁଥିଲେ। ଏବେ ଯେତେବେଳେ କରୋନାର ୨ୟ ଲହର ଅତି ଭୟଙ୍କର ଭାବେ ଉଗ୍ରରୂପ ଧାରଣ କରିଛି ସେତେବେଳେ ଶିକ୍ଷକଙ୍କୁ ହିଁ ଅଧିକ କାର୍ଯ୍ୟରେ ସରକାର ନିୟୋଜିତ କରିଛନ୍ତି। ରାଜ୍ୟର ସୀମା ଜଗିବାଠାରୁ ଆରମ୍ଭ କରି ରେଲ୍‌ୱେ ଷ୍ଟେଶନଗୁଡିକରେ ଥର୍ମାଲ୍‌ ଟେଷ୍ଟିଂ ଓ ଶବଦାହ ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି। କରୋନାରେ ପ୍ରଥମ ଲହରକୁ ବାଦ୍‌ ଦେଲେ ୨ୟ ଲହରରେ ରାଜ୍ୟରୁ ପ୍ରାୟ ଏକ ହଜାରରୁ ଅଧିକ ଶିକ୍ଷକଙ୍କ ପ୍ରାଣ ଗଲାଣି। ତେଣୁ ଶିକ୍ଷକଙ୍କୁ କରୋନା ଯୁଦ୍ଧର ଆଗଧାଡ଼ିର ଯୋଦ୍ଧା ଭାବେ ଘୋଷଣା କରି କରୋନା ଦାୟିତ୍ୱରେ ଥାଇ ମୃତ୍ୟୁବରଣ କରିଥିବା ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କୁ ରାଜ୍ୟ ସରକାର ଘୋଷିତ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ମଞ୍ଚ ଦାବି କରିଛି।

Khansweb Solution Bhubaneswar

Leave A Reply

Your email address will not be published.