banner
Breaking

ନବୀନଙ୍କ କୃତିତ୍ବ ପାଇଁ ଓଡିଶାରେ ଖେଲୋ ଇଣ୍ଡିଆ ଉଦଘାଟନ କଲେ ମୋଦି।

0

କଟକ : କଟକସ୍ଥିତ ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହି କ୍ରୀଡ଼ା ମହାକୁମ୍ଭକୁ ଉଦଘାଟନ କରିବା ସହ ଷ୍ଟାଡିୟମରେ ଉପସ୍ଥିତ କ୍ରୀଡ଼ାପ୍ରେମୀମାନଙ୍କୁ ଉଦବୋଧନ ଦେଇଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ ସହିତ ଓଡ଼ିଶା ପାଇଁ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଷ୍ଟାଡିୟମରେ ଉପସ୍ଥିତ କ୍ରୀଡ଼ାପ୍ରେମୀଙ୍କ ଉତ୍ସାହକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଇତିହାସରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆଜିଠାରୁ ଆରମ୍ଭ ହେଉଛି । ଏହା ଭାରତୀୟ କ୍ରୀଡ଼ା ପାଇଁ କେବଳ ଏକ ଐତିହାସିକ ସୋପାନ ନୁହେଁ ବରଂ କ୍ରୀଡ଼ାର ଭବିଷ୍ୟତ ପାଇଁ ମଧ୍ୟ ଏକ ବହୁତ ବଡ଼ ପଦକ୍ଷେପ । ଆଜି ଭାରତ ବିଶ୍ୱର ହାତଗଣତି ରାଷ୍ଟ୍ର ମଧ୍ୟରେ ସାମିଲ ହୋଇପାରିଛି ଯେଉଁଠି ଏହି ସ୍ତରରେ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆୟୋଜନ କରାଯାଉଛି ।

“ଓଡ଼ିଶାର ଜନସାଧାରଣ ଏବଂ ଏଠାକାର ସରକାରଙ୍କୁ ତଥା ଏହି କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ସାରା ଦେଶରୁ ଆସିଥିବା ୩ ହଜାରରୁ ଊର୍ଦ୍ଧ୍ଵ କ୍ରୀଡ଼ାବିତଙ୍କୁ ଅନେକ ଅନେକ ଶୁଭକାମନା । ସାଥୀଗଣ ଆଗାମୀ ଦିନରେ ୨୦୦ରୁ ଊର୍ଦ୍ଧ୍ଵ ପଦକ ଜିତିବାର ଲକ୍ଷ୍ୟ ସହିତ ଆପଣମାନଙ୍କୁ ନିଜ ପ୍ରଦର୍ଶନରେ ସୁଧାର ଆଣିବାର ସୁଯୋଗ ମିଳିବ । ନିଜର ସାମର୍ଥ୍ୟକୁ ନୂତନ ଉଚ୍ଚତାରେ ପହଁଚାଇବାର ଅବସର ମିଳିବ । ଭୁବନେଶ୍ୱରରେ ଆପଣମାନେ ଅନ୍ୟମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ସହ ନିଜ ସହ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବେ । ଭୁବନେଶ୍ୱରରେ ଆପଣମାନେ କରିଥିବା ପରିଶ୍ରମ, ଆପଣମାନଙ୍କ ସ୍ୱପ୍ନକୁ, ପରିବାରର ସ୍ୱପ୍ନକୁ ଓ ଭାରତର ସ୍ୱପ୍ନକୁ ଆଗକୁ ନେବାରେ ସହାୟକ ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶ୍ରୀ ମୋଦୀ ଆହୁରି କହିଥିଲେ ଯେ ଏହି ସମାରୋହର ମଶାଲଧାରୀ ଦୂତୀ ଚାନ୍ଦଙ୍କ ଭଳି ଅନେକ କ୍ରୀଡ଼ାବିତ ଆପଣମାନଙ୍କ ପାଇଁ ପ୍ରେରଣା । ଆପଣମାନେ ମେଡାଲ ଜିତନ୍ତୁ ଏବଂ ଦେଶକୁ ଫିଟ ରଖିବା ପାଇଁ ଅନୁପ୍ରାଣିତ ମଧ୍ୟ କରନ୍ତୁ । ଏହି ଭାବନା ନେଇ ପଡ଼ିଆକୁ ଓହ୍ଲାଇବା ଲାଗି ସେ ପ୍ରତିଯୋଗୀମାନଙ୍କୁ ଆହ୍ୱାନ କରିଥିଲେ ।

“ଆଜିର ଦିନ କେବଳ ଏକ ପ୍ରତିଯୋଗିତାର ଆରମ୍ଭ ନୁହେଁ, ବରଂ ଭାରତରେ କ୍ରୀଡ଼ା ଆନ୍ଦୋଳନର ପରବର୍ତ୍ତୀ ପର୍ୟ୍ୟାୟର ଆରମ୍ଭ । ଖେଲୋ ଇଣ୍ଡିଆ ଅଭିଯାନ ଦେଶର କୋଣଅନୁକୋଣରେ ଖେଳ ପ୍ରତି ଆଗ୍ରହ ବୃଦ୍ଧି କରିଛି । ଏହା ଯୁବ ପ୍ରତିଭା ଚିହ୍ନଟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ହେଉଥିବା ଏହି ଅଭିଯାନକୁ ଆଉ ଗୋଟିଏ ସୋପାନ ଆଗକୁ ନେଇ ବିଶ୍ୱବିଦ୍ୟାଳୟ ସ୍ତରରେ ଏହାକୁ ଆରମ୍ଭ କରାଯାଇଛି,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସେ ଆହୁରି କହିଥିଲେ ଯେ ଖେଲୋ ଇଣ୍ଡିଆ ଅଭିଯାନ ଆରମ୍ଭ କରାଯିବା ଫଳରେ ଦେଶରେ କିଭଳି ପରିବର୍ତ୍ତନ ଆସିଛି ତା’ର ଉଦାହରଣ ନିକଟରେ ଗୌହାଟୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ଦେଖିବାକୁ ମିଳିଛି । ୨୦୧୮ରେ ଖେଲୋ ଇଣ୍ଡିଆ ଅଭିଯାନ ଆରମ୍ଭ କରିବା ସମୟରେ ପ୍ରତିଯୋଗୀଙ୍କ ସଂଖ୍ୟା ସାଢ଼େ ତିନି ହଜାର ଥିଲା, ମାତ୍ର ତିନି ବର୍ଷ ମଧ୍ୟରେ ଏହା ବୃଦ୍ଧି ପାଇଁ ୬ ହଜାରରୁ ମଧ୍ୟ ଅଧିକ ହୋଇଯାଇଛି । ଖେଳ ଓ ଖେଳାଳୀ ତଥା କ୍ରୀଡ଼ା ଭିତ୍ତିଭୂମି ସ୍ତରରେ ମଧ୍ୟ ଲଗାତାର ସୁଧାର ହୋଇଛି । ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ସରେ ୮୦ଟି ରେକର୍ଡ ଭାଙ୍ଗିଥିଲା । ଏଥିମଧ୍ୟରୁ ୫୬ଟି ରେକର୍ଡ କେବଳ ଆମର ଝିଅମାନେ ଭାଙ୍ଗିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଭିଯାନ ଫଳରେ ଛୋଟ ସହରର ସାଧାରଣ ପରିବାରରୁ ଆସିଥିବା କ୍ରୀଡ଼ା ପ୍ରତିଭା ସଫଳତା ହାସଲ କରିବାର ସୁଯୋଗ ପାଉଛନ୍ତି । ଏମାନେ ଦେଶ ପାଇଁ ନୂଆ ଆଶା ସଂଚାର କରିଛନ୍ତି । ପୂର୍ବରୁ ଏହି ପ୍ରତିଭାମାନେ ସୁବିଧାସୁଯୋଗ ଅଭାବରୁ ଆଗକୁ ବଢ଼ିପାରୁନଥିଲେ । ଗତ ୫ ବର୍ଷ ଧରି ଭାରତରେ କ୍ରୀଡ଼ାର ପ୍ରୋତ୍ସାହନ ପାଇଁ ଲଗାତାର ପ୍ରୟାସ କରାଯାଉଛି । ପ୍ରତିଭା ଚିହ୍ନଟ, ତାଲିମ କିମ୍ବା ଚୟନ ପ୍ରକ୍ରିୟା ହେଉ ପ୍ରତ୍ୟେକ ସ୍ତରରେ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରାଯାଉଛି । ଯାହାର ଫଳସ୍ୱରୂପ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ଯୁବ କ୍ରୀଡ଼ାବିତଙ୍କ ପ୍ରଦର୍ଶନରେ ଯଥେଷ୍ଟ ସୁଧାର ଆସିପାରିଛି । ଖେଲୋ ଇଣ୍ଡିଆ ଅଭିଯାନ ଯୁବ ପ୍ରତିଭା ଚିହ୍ନଟ ପାଇଁ ଏକ ବହୁତ ବଡ଼ ମାଧ୍ୟମ ହୋଇପାରିଛି । ଏହା ମାଧ୍ୟମରେ ଚୟନ କରାଯାଇଥିବା ଶ୍ରେଷ୍ଠ ପ୍ରତିଭାମାନଙ୍କୁ ବାର୍ଷିକ ପାଖାପାଖି ୬ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଉଛି । ଏହା ବ୍ୟତୀତ ଏମାନଙ୍କୁ ଦେଶର ୧୦୦ରୁ ଅଧିକ କ୍ରୀଡ଼ା ଏକାଡେମୀରେ ତାଲିମ ନେବାର ସୁଯୋଗ ମଧ୍ୟ ମିଳୁଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି ୩ ହଜାର ଏପରି ଖେଳାଳିଙ୍କୁ ଚୟନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.