ଭୁବନେଶ୍ୱର : ଆଜି ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଛି । ନୀଳାଦ୍ରି ବିହାର ସରସ୍ୱତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶତ ପ୍ରତିଶତ ସଫଳତା ହାସଲ କରିଛି । ଚଳିତ ବର୍ଷ ବିଜ୍ଞାନରେ ୮୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସମସ୍ତେ କୃତକାର୍ଯ୍ୟ ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ୯୦ ପ୍ରତିଶତ, ୧୪ ଜଣ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ଓ ୩୬ ଜଣ ପ୍ରଥମ ଶ୍ରେଣୀ ୨୪ ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଆଦିତ୍ୟରାଜ ସ୍ୱାଇଁ ୯୭ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି । ଓମ ପ୍ରକାଶ ସାହୁ ଓ ଆଦ୍ୟାଶା ଅମ୍ବିକା ପରିଡା ୯୨ ପ୍ରତିଶତ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲାବେଳେ ଅଂଶୁମାନ ଦାସ ୯୦ ପ୍ରତିଶତ ରଖି ତୃତୀୟ ସ୍ଥାନରେ ରହିଛନ୍ତି ।

ଆଜି ବିଦ୍ୟା ମନ୍ଦିର ପରିସରରେ ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ପରିଚାଳନା କମିଟିର ସମ୍ପାଦକ ସତ୍ୟବ୍ରତ ପୃଷ୍ଟି ଓ ପ୍ରଧାନ ଆଚାର୍ଯ୍ୟ କେଦାର ନାଥ ସେଠୀ ଯୋଗଦେଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ପରିଶ୍ରମ କଲେ ନିଶ୍ଚୟ ସଫଳତା ମିଳିବ ବୋଲି କହିଥିଲେ । ଏହି ଅବସରରେ ଚଳିତ ବର୍ଷ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । କିମିଟିର କୋଷାଧ୍ୟକ୍ଷ ଅଞ୍ଜନ କୁମାର ତାହା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।




