banner
Breaking

ଭାରତ ଫେରନ୍ତା ଦକ୍ଷିଣ ଆଫ୍ରିକା ଖେଳାଳି କରୋନା ମୁକ୍ତ।

0

ଜୋହାନ୍ସବର୍ଗ, ୩।୪(ବ୍ୟୁରୋ): ଭାରତରୁ ଅଧା ଅଧୁରା ଦିନିକିଆ ଗସ୍ତ ସାରି ସ୍ବଦେଶ ଫେରିଥିବା ସବୁ ଦକ୍ଷିଣ ଆଫ୍ରିକା କ୍ରିକେଟରମାନେ କୋଭିଡ୍‌-୧୯ ନେଗେଟିଭ ବୋଲି ଜଣାପଡିଛି। ମୋଟ ଉପରେ ସବୁ ଖେଳାଳି କରୋନା ଭାଇରସ ମୁକ୍ତ ବୋଲି ଦଳର ମୁଖ୍ୟ ମେଡିକାଲ ଅଫିସର ଡଃ ଶୁଇବକ ମାଞ୍ଜରା କହିଛନ୍ତି। ଭାରତରୁ ପ୍ରତ୍ୟାବର୍ତ୍ତନ କରିଥିବା ଖେଳାଳିମାନେ ମାର୍ଚ୍ଚ ୧୮ ତାରିଖରେ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଥିଲେ। ଗୁରୁବାର ଦିନ ସେମାନେ ୧୪ ଦିନିଆ ସେଲ୍ଫ ଆଇସୋଲେଶନ ପୂରଣ କରିଛନ୍ତି। ଏହା ସତ୍ତ୍ୱେ ଏମାନେ ଆସନ୍ତା ଦୁଇ ସପ୍ତାହ ଲକ୍‌ଡାଉନ୍‌ରେ ରହିବେ। କାରଣ ଦକ୍ଷିଣ ଆଫ୍ରିକାରେ ଲକ୍‌ଡାଉନ ଜାରି କରାଯାଇଛି। ଖେଳାଳିଙ୍କଠାରେ କୋଭିଡ୍‌-୧୯ର କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲା। ତେବେ ଯେଉଁମାନେ ନିଜର ପରୀକ୍ଷା କରାଇବାକୁ ଚାହୁଁଥିଲେ ସେମାନେ ନେଗେଟିଭ ଅଛନ୍ତି ବୋଲି ମାଞ୍ଜରା କହିଛନ୍ତି।
ଭାରତ ଗସ୍ତରେ ଧର୍ମଶାଳାଠାରେ ପ୍ରଥମ ଦିନିକିଆ ମାର୍ଚ୍ଚ ୧୨ରେ ଖେଳାଯାଇଥିଲା। ତେବେ ଏହା ବର୍ଷା ଯୋଗୁ ବାତିଲ ହୋଇଥିଲା। ଏହା ପରେ ୧୫ ଓ ୧୮ ତାରିଖରେ ଦ୍ୱିତୀୟ ଓ ତୃତୀୟ ଦିନିକିଆ ଯଥାକ୍ରମେ ଲକ୍ଷ୍ନୌ ଓ କୋଲକାତାରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ଏହି ଦୁଇଟି ମ୍ୟାଚ୍‌ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବାତିଲ କରାଯାଇଥିଲା। ଉଲ୍ଲେଖଥାଉ କି, ଦକ୍ଷିଣ ଆଫ୍ରିକାରେ ଏବେ ୨୧ ଦିନିଆ ଲକ୍‌ ଡାଉନ ଜାରି ରହିଛି। ଏବେ ଖେଳାଳିଙ୍କ ଫିଟ୍‌ନେସ ଉପରେ କ୍ରିକେଟ ସାଉଥ ଆଫ୍ରିକା (ସିଏସ୍‌ଏ) ଗୁରୁତ୍ୱ ଦେଉଛି। ତେଣୁ ସବୁ ଖେଳାଳିଙ୍କୁ ଟ୍ରେନିଂ ପ୍ରୋଗ୍ରାମରେ ସାମିଲ ହେବାକୁ କୁହାଯାଇଛି ବୋଲି ଟ୍ରେନର ତୁମି ମାସେକେଲା କହିଛନ୍ତି। ଆଗାମୀ ଜୁନ୍‌ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ନାହିଁ। ଦକ୍ଷିଣ ଆଫ୍ରିକାରେ ଏପର୍ଯ୍ୟନ୍ତ ୧,୪୦୦ ଲୋକ କୋଭିଡ୍‌-୧୯ରେ ସଂକ୍ରମିତ ହୋଇଛନ୍ତି ଓ ୫ଜଣ ଲୋକ ମୃତ୍ୟୁବରଣ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.