banner
Breaking

ଶିଶୁ ପ୍ରତିଭା ବିକଶିତ ହେଲେ ଓଡିଶାର କଳା ସଂସ୍କୃତି ଆହୁରି ଆଗକୁ ବଢିବ

0

ଭୁବନେଶ୍ୱର : ଓଡିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ନିଗ୍ଧା ଏକାଡେମୀର ବିଂଶତମ ବାର୍ଷିକ ଉତ୍ସବ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଉମାବଲ୍ଲବ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଉଦଘାଟକ ଭାବେ ଲୋକ ସେବକ ମଣ୍ଡଳର ଓଡିଶା ଶାଖା ଅଧ୍ୟକ୍ଷ ତଥା ସମାଜର ମୁଦ୍ରାକାର ଓ ପ୍ରକାଶକ ନିରଞ୍ଜନ ରଥ ଯୋଗଦେଇ କହିଥିଲେ ଶିଶୁ ହେଉଛନ୍ତି ମାଟି ପିଣ୍ଡୁଳା ପରି । ଆମେ ତାଙ୍କୁ ଯେମିତି ଗଢିବା ସେମାନେ ସେପରି ତିଆରି ହେବେ । ତେଣୁ ପିଲା ମାନେ ଯେଉଁ ଦିଗରେ ଯିବାକୁ ଚାହୁଁଛନ୍ତି ସେ ଦିଗରେ ବାପା ମା ମାନେ ଧ୍ୟାନ ଦେଇ ଉପଯୁକ୍ତ ଶିକ୍ଷା ପ୍ରଦାନ କଲେ ପିଲାଟିର ଭବିଶ୍ୟତ ଉଜ୍ୱଳ ହେବା ସହିତ ସୁନାମ ଅର୍ଜନ କରିବେ ।

ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଥିଲେ କଳା ସଂସ୍କୃତି ପାଇଁ ଓଡିଶା ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଆମ ଓଡିଶୀ ନୃତ୍ୟ ବିଶ୍ୱ ରଙ୍ଗମଞ୍ଚ ମାନଙ୍କରେ ପରିବେଷିତ ହୋଇ ଅନେକ ପ୍ରଶଂସା ସାଉଁଟିଛି । ଏହା କେବଳ ଆମ କଳାକାର, ନୃତ୍ୟଗୁରୁ ଓ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପାଇଁ ସମ୍ଭବ ହୋଇପାରିଛି । ଓଡିଶାର ଲୋକମାନଙ୍କ ପାଖରେ ବିଭିନ୍ନ ପ୍ରକାର କଳା ଖୁନ୍ଦିହୋଇ ରହିଛି । ବର୍ତ୍ତମାନର ପିଲାମାନେ ଅତି ଛୋଟ ବୟସରୁ କଳାପ୍ରତି ଆକୃଷ୍ଠ ହୋଇ ଅବିଶ୍ୱାସନୀୟ କଳା ପ୍ରଦର୍ଶନ କରୁଛନ୍ତି । ସେମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରାଗଲେ ଶିଶୁ ମାନଙ୍କର ପ୍ରତିଭା ବିକଶିତ ହେବା ସହିତ ଆମ ଓଡିଶାର କଳା ସଂସ୍କୃତି ଆହୁରି ଆଗକୁ ବଢିବ । ସ୍ନିଗ୍ଧା ଏକାଡେମୀ ପକ୍ଷରୁ କୁନିକୁନି ପିଲାମାନଙ୍କ ପ୍ରତିଭା ବିକଶିତ ପାଇଁ ଯେଉଁ ଉଦ୍ୟମ ଜାରି ରହିଛି ତାହା ଅତ୍ୟନ୍ତ ପ୍ରଶଂସନୀୟ ।

ସମ୍ମାନିତ ଅତିଥି ଭାବେ ମେୟର ସୁଲୋଚନା ଦାସ, ସିନେମା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଅଭିନେତା ସାତ୍ୟକୀ ମିଶ୍ର ପ୍ରମୁଖ ଯୋଗଦେଇ ଶିଶୁ ପ୍ରତିଭା ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ । ଏବଂ ଦୀର୍ଘ ୨୦ ବର୍ଷ ଧରି ଓଡିଶାର କଳା ସଂସ୍କୃତିର ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ସ୍ନିଗ୍ଧା ଏକାଡେମୀକୁ ପ୍ରଶଂସା କରିଥିଲେ । ଅନୁଷ୍ଠାନର ଉପସଭାପତି ସମରେନ୍ଦ୍ର ସାହୁ ସ୍ୱାଗତ ଭାଷଣ ରଖିଥିବା ବେଳେ ସମ୍ପାଦିକା ବିଚିତ୍ରା ରଥ ବାର୍ଷିକ ବିବରଣୀ ପାଠ କରିଥିଲେ । ଏକାଡେମୀ ପକ୍ଷରୁ ପୂର୍ବରୁ ୩ ହଜାରରୁ ଉଦ୍ଦ୍ୱର୍ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କଟକ ଓ ଭୁବନେଶ୍ୱରର ବିଦ୍ୟାଳୟ ମାନଙ୍କରେ ଅନୁଷ୍ଟିତ ହୋଇଥିବା ପ୍ରତିଯୋଗିତେରେ କୃତିତ୍ୱ ଅର୍ଜନ କରିଥିବା ୧୭୦ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପିଲା ମାନଙ୍କ ଦ୍ୱାରା ଗୁରୁ ବନ୍ଦନା, ସମବେତ ସଙ୍ଗୀତ, ସମୁହ କ୍ୟାସିଓ ବାଦନ, ଓଡିଶୀ ନୃତ୍ୟ ଓ ସଙ୍ଗୀତ ପ୍ରଭୃତି ପରିବେଶିତ ହୋଇଥିଲା । ଇଂ ମିଲନ ଘଟୁଆରୀ ସାଂସ୍କୃତିକ କାର୍ଯୂକ୍ରମକୁ ସଂଚାଳନ କରିଥିଲେ । ଏଥିରେ ୬୦ରୁ ଉର୍ଦ୍ଧ୍ୱ ସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲାବେଳେ ଜୟ ଜଗନ୍ନାଥ ପରିବାର ଓ ଏଲପି ଟିମର ସଦସ୍ୟ ମାନେ ସହେଯାଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.