banner
Breaking

ପନିପରିବା ଓ ଗ୍ରୋସରୀ ଯୋଗାଇଲେ ଏସଏଚଜି ମହିଳା -କରୋନା ମୁକାବିଲାରେ ଯୋଦ୍ଧା ସାଜିଛନ୍ତି ମାଲକାନଗିରିର ମହିଳା ଗୋଷ୍ଠୀ

0

ମାଲକାନଗିରି,(ଓଡ଼ିଆ ନ୍ୟୁଜ): ସାରା ଦେଶ ବର୍ତ୍ତମାନ କରୋନା ସହ ଲଢ଼େଇ ଜାରି ରଖିଛି । ଏଭଳି ସମୟରେ ସାମାଜିକ ଦୂରତ୍ୱକୁ କରୋନା ମୁକାବିଲାର ଅସ୍ତ୍ର କୁହାଯାଉଥିବାବେଳେ, ସମସ୍ତେ ଘରେ ରହି ତାଲା ବନ୍ଦ ପାଳନକୁ ଗୁରୁତ୍ୱ ଦେଉଛନ୍ତି । ଫଳରେ ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ମିଳିପାରୁନାହିଁ । ଏଭଳି ସମସ୍ୟାପୂର୍ଣ୍ଣ ପରିସ୍ଥିତିରେ ମାଲକାନଗିରିର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସହାୟତାର ହାତ ବଢ଼ାଇଛନ୍ତି । କରୋନା ମୁକାବିଲା କରିବା ପାଇଁ ସେମାନେ ସାଜିଛନ୍ତି ଜଣେ ଜଣେ କରୋନା ଯୋଦ୍ଧା ।
ଏଭଳି ଅସୁବିଧା ସମୟରେ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ପନିପରିବା ଓ ଗ୍ରୋସରୀ ସାମଗ୍ରୀ ଯୋଗାଇବାକୁ ଆଗେଇ ଆସିଛନ୍ତି ମାଲକାନଗିରି ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାଗଣ । ଏଥିନିମନ୍ତେ ଓଡିଶା ଜୀବିକା ମିଶନର ବ୍ଲକ ଅଧିକାରୀମାନେ ନିରନ୍ତରଭାବେ ଗୋଷ୍ଠୀ ସଦସ୍ୟାଙ୍କୁ ପ୍ରୋତ୍ସାହନ ଯୋଗାଇବା ସହ ଏହି ଜନହିତକର କାର୍ଯ୍ୟରେ ସେମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ପ୍ରଦାନ କରୁଛନ୍ତି । ମାଲକାନଗିରି ବ୍ଲକର ଗୌଡଗୁଡା, ପଦ୍ମଗିରି, ମାର୍କପାଲି, ପେଡାକୋଣ୍ଡା, ତମସା, ସେରପାଲି ପଂଚାୟତରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗାଁ ଗାଁ ଯାଇ ପନିପରିବା ଓ ଗ୍ରୋସରୀ ସାମଗ୍ରୀ ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସାମାଜିକ ଦୂରତ୍ୱକୁ ଧ୍ୟାନ ଦେଇ ପ୍ରତି ଗୋଷ୍ଠୀରୁ ୨ ଜଣ ଲେଖାଏଁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଓମ୍ ଶାନ୍ତି ହରି ଏସ୍‌ଏଚଜି, ମିଷ୍ଟି ଏସ୍‌ଏଚଜି, ବାଲାଜୀ ଏସ୍‌ଏଚଜି, ରାମକ୍ରିଷ୍ଣ ଏସ୍‌ଏଚଜି, ଶାନ୍ତି ମାତା ଏସ୍‌ଏଚଜି, ମାଁ ଲକ୍ଷ୍ମୀ ଏସ୍‌ଏଚଜି, ମାଁ ତ୍ରିଦେବୀ ଏସ୍‌ଏଚଜି, ମାଁ ଶକ୍ତି ଏସ୍‌ଏଚଜି, ମାତୃ ମଙ୍ଗଳା ଏସ୍‌ଏଚଜି, ମାଁ ଅନ୍ନପୂର୍ଣ୍ଣା ଏସ୍‌ଏଚଜି ଆଦି ୧୦ଟି ସ୍ୱୟଂ ସହାୟକ ଗୋଷ୍ଠୀରୁ ୨ଜଣ ଲେଖାଏଁ ମହିଳା ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ନିଜ ନିଜ ପଂଚାୟତରୁ ପନିପରିବା ଓ ଗ୍ରୋସରୀ ସାମଗ୍ରୀ କିଣି ପାଖ ଗାଁର ଲୋକଙ୍କ ନିକଟରେ ପହଂଚାଉଛନ୍ତି । ଏଥିରୁ ୬ଟି ପଂଚାୟତର ପାଖାପାଖି ୧୫ଟି ଗାଁ (ଗୌଡଗୁଡା, ସିନ୍ଧରିମାଲ, ଝରାପାଲି, ପେଡାକୋଣ୍ଡା, ପଦ୍ମଗିରି, ଉଦୁଆ, ତାଣ୍ଡିକି, ଚାଲିଆଙ୍ଗୁଡା, ମର୍କାପାଲି, ବିଏଲପୁର, ପେଡାୱାଡା, ଗଙ୍ଗଲା, ତମାସା, ତାଣ୍ଡପାଲି, ସେରପାଲି, ପାନ୍ଦ୍ରି ପାଲି ଇତ୍ୟାଦି) ଉପକୃତ ହେଉଛନ୍ତି । ଗୋଷ୍ଠୀ ସଦସ୍ୟା ଏଭଳି ବିକ୍ରିବଟା ଦ୍ୱାରା ଟ. ୭୫,୩୦୦/- ଲାଭନ୍ୱିତ ହୋଇଛନ୍ତି ବୋଲି ଗୋଷ୍ଠୀର ସେକ୍ରେଟାରୀ ସୂଚନା ଦେଇଛନ୍ତି । ଗୋଟିଏ ଅଟୋରିକ୍ସା ସହାୟତାରେ ଗାଁ ଗାଁ ବୁଲି ଲୋକଙ୍କ ଆବଶ୍ୟକତା ପୁରା କରିବା ସହ ସାମାଜିକ ଦୂରତ୍ୱ ଏବଂ କରୋନା ସଚେତନତାର ବାର୍ତ୍ତା ମଧ୍ୟ ପ୍ରଦାନ କରିବାରେ ସଫଳ ଭୂମିକା ଗ୍ରହଣ କରିଛନ୍ତି ମାଲକାନଗିରି ବ୍ଲକର ଏହି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଗଣ ।

Khansweb Solution Bhubaneswar

Leave A Reply

Your email address will not be published.