banner
Breaking

ଜାନୁଆରୀ ୮ରୁ ଖୋଲିବ ସ୍କୁଲ। ମେ’ ୩ରୁ ଦଶମ ଶ୍ରେଣୀ ଓ ୧୫ରୁ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା।

ଜାରି ହେଲା ନିୟମାବଳୀ

0

ଭୁବନେଶ୍ୱର,୨/୧(ଓଡ଼ିଆ ନ୍ୟୁଜ) : କୋଭିଡ୍‌ କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାବେଳେ ରାଜ୍ୟ ସରକାର ଆସନ୍ତା ୮ ତାରିଖରୁ ସ୍କୁଲ ଖୋଲିବାକୁ ଯାଉଛନ୍ତି। ତେବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପାଠପଢ଼ିବାକୁ ଯିବେ। ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ହେଉଥିବା ବାର୍ଷିକ ପରୀକ୍ଷା ନିମନ୍ତେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ପ୍ରସ୍ତୁତ କରିବା ସହିତ ବିଭିନ୍ନ ସମୟରେ ଅନୁଷ୍ଠିତ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅଂଶଗ୍ରହଣ କରିବା ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ କରିବାକୁ ହେବ। ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନ ଖୋଲିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି।

ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଜାନୁଆରୀ ୮ ତାରିଖରୁ ଅପ୍ରେଲ ୨୬ ତାରିଖ ପର୍ଯ୍ୟନ୍ତ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଦେବା ପାଇଁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ଜାନୁଆରୀ ୮ରୁ ଅପ୍ରେଲ ୨୮ ପର୍ଯ୍ୟନ୍ତ ଚାଲିବ। ଦଶମ ଶ୍ରେଣୀ ପିଲାମାନଙ୍କର ପ୍ରାକ୍‌ଟିକାଲ୍‌‌ ପରୀକ୍ଷାଗୁଡ଼ିକ ଅପ୍ରେଲ ୨୭ରୁ ମଇ ୨ ତାରିଖ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅପ୍ରେଲ ୨୯ରୁ ମଇ ୧୪ ତାରିଖ ପର୍ଯ୍ୟନ୍ତ ହେବ। ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ମଇ ୩ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମଇ ୧୫ରୁ ଜୁନ୍‌ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଉପରୋକ୍ତ ନିର୍ଘଣ୍ଟ ଅନୁସାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର/ରବିବାରକୁ ମିଶାଇ ୧୦୦ ଦିନ ପାଠପଢ଼ା ହେବ।  ପାଠପଢ଼ା ନିମନ୍ତେ ଏକ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ମାର୍ଗଦର୍ଶିକା ଅନୁସାରେ ସରକାରୀ ସାହାଯ୍ୟପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ। ଏହା ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀଗୁଡ଼ିକର ଅନୁପାଳନ ବାଧ୍ୟତାମୂଳକ ହେବ।

ନିୟମାବଳୀ
ସ୍କୁଲ ଖୋଲିବାକୁ ନେଇ ଜାରି ହୋଇଛି କୋଭିଡ ନିୟମ । * * ଅବରୋଧ ଅଞ୍ଚଳ ବାହାରେ ଥିବା ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି ।
* ଅବରୋଧ ଅଞ୍ଚଳ ଭିତରେ ରହୁଥିବା ଛାତ୍ରଛାତ୍ରୀ , ଶିକ୍ଷକଙ୍କୁ ସ୍କୁଲ ଆସିବା ମନା ।
* ଅବରୋଧ ଅଞ୍ଚଳ ଘୋଷଣା ହେଲେ ତୁରନ୍ତ ସ୍କୁଲ ବନ୍ଦ ହେବ ।
* ସ୍କୁଲ ପରିସରର ସାଧାରଣ ସ୍ଥାନଗୁଡିକୁ ବାରମ୍ବାର ସାନିଟାଇଜ କରାଯିବ ।
* ସ୍କୁଲ ଖୋଲିବା ପୂର୍ବରୁ ଶୌଚାଳୟ ଓ ପିଇବା ପାଣି ସୁରକ୍ଷିତ କରାଯିବ ।
* ସ୍କୁଲ ପରିସରରେ ଥିବା କୌଣସି ହଷ୍ଟେଲ ଖୋଲିବାକୁ ଅନୁମତି ନାହିଁ । ଯେବେ ହଷ୍ଟେଲ ଖୋଲିବା ସୁରକ୍ଷିତ ମନେକରାଯିବ, ସେବେ ଏସଓପି ଜାରି ହେବ ।

ସ୍କୁଲ ପକ୍ଷରୁ ପରିବହନ ବ୍ୟବସ୍ଥାକୁ ନିରୁତ୍ସାହିତ କରାଯିବ । ଛାତ୍ରଛାତ୍ରୀଙ୍କୁ ସ୍କୁଲ ପହଞ୍ଚାଇବା ବ୍ୟବସ୍ଥା ଅଭିଭାବକ ନିଶ୍ଚିତ କରିବେ । ସ୍କୁଲ ଖୋଲିବା ପରେ ବି ଅନଲାଇନ କ୍ଲାସ ଜାରି ରହିବ । କେଉଁ ସମୟରେ ପାଠପଢ଼ା ହେବ ତାହାର ନିଷ୍ପତ୍ତି ଜିଲ୍ଲାପାଳ ନେବେ । ସ୍କୁଲ ଭିତରେ ପ୍ରବେଶ ବେଳେ ୬ ଫୁଟର ଦୂରତା ରହିବ । କ୍ଲାସରୁମ ଭିତରେ ପିଲାଙ୍କ ମଧ୍ୟରେ ସୁରକ୍ଷିତ ଦୂରତା ରହିବ । ରୋଲ ନମ୍ବର ଅନୁସାରେ କ୍ଲାସରୁମ ନିର୍ଦ୍ଧାରଣ କରାଯିବ । ଗୋଟିଏ କ୍ଲାସରୁମରେ ୨୦ରୁ ୨୫ ଜଣ ପିଲା ବସିପାରିବେ । ସ୍କୁଲ ସମୟରେ କୌଣସି ପରିବର୍ତ୍ତନ ହେବନାହିଁ । ସ୍କୁଲ ହତାର ୧୦୦ ମିଟର ଭିତରେ କୌଣସି ଖାଦ୍ୟ ସମାଗ୍ରୀ ବିକ୍ରିି କରିବାକୁ ମନା ହୋଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, କୋଭିଡ୍‌ ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିଭିନ୍ନ ମାଧ୍ୟମରେ ଅନ୍‌ଲାଇନ୍‌ ଶିକ୍ଷାଦାନର ବ୍ୟବସ୍ଥା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.