banner
Breaking

କରୋନା କାଳରେ ଜୀବିକା ଯୋଗାଉଛି ଛତୁ ଚାଷ -ଆତ୍ମନିର୍ଭରଶୀଳ ଦିଗରେ ଗୋଷ୍ଠୀ ମହିଳା

0

ସମ୍ବଲପୁର,(ଓଡ଼ିଆ ନ୍ୟୁଜ) : ବର୍ତ୍ତମାନ ବିଶ୍ୱରେ କରୋନା ମହାମାରୀ ସବୁଆଡେ ବ୍ୟାପୀବାରେ ଲାଗିଛି । ଏହାର କରାଳ ରୂପରେ ରାଜ୍ୟର ଅନେକ ଗରିବ, ମଧ୍ୟବିତ୍ତ ଜୀବିକା ହରାଇବାରେ ଲାଗିଛନ୍ତି । ଏଭଳି ଦୁର୍ଦ୍ଦିନ ସମୟରେ ଛତୁ ଚାଷ ଯୋଗାଇଛି ଜୀବିକା ନିର୍ବାହର ନୂଆ ରାହା । ଏଥିରୁ ଲାଭବାନ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନେ । ନିଜ ଘରେ ଥିବା ସାମଗ୍ରୀକୁ ବ୍ୟବହାର କରି ସ୍ୱଳ୍ପ ଖର୍ଚ୍ଚରେ ଆରମ୍ଭ କରିଛନ୍ତି ଛତୁ ଚାଷ । ଯାହାକି ଏଭଳି କରୋନାକାଳରେ ତାଙ୍କୁ ସ୍ୱାବଲମ୍ବୀ କରିବା ସହ ଜୀବିକା ନିର୍ବାହରେ ବି ବେଶ୍‍ ସହାୟକ ହେଉଛି ।
ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ, ପଦ୍ମାଳୟା ଗ୍ରାମ ପଂଚାୟତସ୍ତରୀୟ ମହାସଂଘ ଅନ୍ତର୍ଗତ ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀର ଦୁଇ ଜଣ ସଦସ୍ୟା କଲ୍ପନା ମାଝୀ ଓ ସୌଭାଗିନୀ ଭୋଇ ନିଜ ଘରେ ଛତୁ ଚାଷ ଆରମ୍ଭ କରିଛନ୍ତି । ପ୍ରାଥମିକସ୍ତରରେ ପାଖାପାଖି ୪୦ ଟି ବେଡ୍‌ରେ ଏମାନେ ଛତୁ ଚାଷ କରିଛନ୍ତି । ଏଥିପାଇଁ ତାଙ୍କୁ ସଂଘର ଗୋଷ୍ଠୀ ବିନିଯୋଗ ପାଣ୍ଠିରୁ ଟ. ୫୦,୦୦୦/- ର ଋଣ ମିଳିଛି ।
ତେବେ ଛତୁ ଚାଷ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡେ ନାହିଁ । ଛତୁ ଚାଷ ଏକ ଋତୁକାଳୀନ ଚାଷ ଓ ଏହା ଅତ୍ୟନ୍ତ ସହଜ ଓ ସୁବିଧାରେ ହୋଇପାରିଥାଏ । ଏଣୁ ନିଜ ଘରେ ଥିବା ପାଳ, ପଲିଥିନ୍‌, ଚୂନ ଓ ମିଶନ ପକ୍ଷରୁ ଯୋଗାଇ ଦିଆଯାଉଥିବା ଛତୁ ମଞ୍ଜିକୁ ବ୍ୟବହାର କରି ଦୁଇ ସଦସ୍ୟା କଲ୍ପନା ମାଝୀ ଓ ସୌଭାଗିନୀ ଭୋଇ ଏହି ଚାଷ ଆରମ୍ଭ କରିଛନ୍ତି । ଏହାବ୍ୟତୀତ ସେମାନଙ୍କର ଖର୍ଚ୍ଚ ଟ. ୪୦-୪୫/- ମଧ୍ୟରେ ରହୁଛି । ତେବେ ଗୋଟିଏ ବେଡ୍‌ରୁ ପାଖାପାଖି ୧ କେଜିରୁ ଅଧିକ ଛତୁ ମିଳୁଛି । ଅନ୍ୟପଟେ ୧ କେଜି ଛତୁର ଦର ରହିଛି ଟ. ୨୦୦/- ଏବଂ ଗୋଟିଏ ବେଡ୍‌ରୁ ପାଖାପାଖି ଟ. ୨୦୦/- ଲାଭ ମିଳିପାରୁଛି । କୋଭିଡ୍‌କୁ ନଜରରେ ରଖି ବଜାରକୁ ଯାଇ ବେପାର କରିବା ସମ୍ଭବ ହୋଇପାରୁନାହିଁ । ଏଣୁ ଯୁଯୁମୁରା ବ୍ଲକ ତଥା ପାଖ ଗ୍ରାମର ବେପାରୀ ଆସି ତାଙ୍କଠୁଁ ଛତୁ କିଣି ନେଇଯାଉଛନ୍ତି । ତେବେ କୋଭିଡ୍ ସମୟରେ ବି ଦୁଇ ସଦସ୍ୟା ନିଜ କଠିନ ପରିଶ୍ରମ ଓ ଚାଷ କାର୍ଯ୍ୟ ଜାରି ରଖିଛନ୍ତି । କାରଣ ଏଭଳି ସମୟରେ ଜୀବନଜୀବିକାକୁ ବଞ୍ଚାଇବା ପାଇଁ ଏହା ଏକ ସଫଳ ମାଧ୍ୟମ ଭାବେ ସହାୟକ ହେଉଅଛି ।
ଆଗାମୀ ଦିନରେ ଛତୁ ଚାଷକୁ ଆହୁରି ବୃହତ୍ ଆକାରରେ କରିବାର ଯୋଜନା ରଖିଛନ୍ତି ଗୋଷ୍ଠୀର ଅନ୍ୟ ସଦସ୍ୟାମାନେ । ଏହାସହ ଛତୁ ଚାଷକୁ ବଜାର ସହ ସଂଯୋଗୀକରଣ କରିବାର ମଧ୍ୟ ଯୋଜନା ରହିଛି । କାରଣ ପ୍ରାଥମିକ ଭାବରେ ଗୋଷ୍ଠୀର ଦୂଇ ସଦସ୍ୟା କଲ୍ପନା ମାଝୀ ଓ ସୌଭାଗିନୀ ଭୋଇ ଆରସେଟିଆ ଯୋଗେ ପ୍ରଶିକ୍ଷଣ ପାଇଥିବାରୁ ସେମାନେ ବର୍ତ୍ତମାନ ଚାଷ ଆରମ୍ଭ କରିଛନ୍ତି । ମାତ୍ର ଦୁଇ ସଦସ୍ୟାଙ୍କ ସଫଳତା ଦେଖି କୋଭିଡ୍ ପରେ ପରେ ଗୋଷ୍ଠୀର ଅନ୍ୟ ସଦସ୍ୟାମାନେ ମଧ୍ୟ ପ୍ରଶିକ୍ଷଣ ନେବାକୁ ମନ ବଳାଇଛନ୍ତି । ଏହାବ୍ୟତୀତ ବିଭିନ୍ନ ଉତ୍ସରୁ ଛତୁ ଚାଷକୁ ପ୍ରୋତ୍ସାହନ ଦେବା ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଥିବାରୁ ସମସ୍ତ ସଦସ୍ୟା ଏହି ଦିଗରେ ପ୍ରଶିକ୍ଷଣ ନେବା ପାଇଁ ଆଗଭର ହୋଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.