banner
Breaking

ଡ ହୃଷିକେଶ ମଲ୍ଲିକ ହେଲେ ସାହିତ୍ୟ ଏକାଡେମୀର ସଭାପତି।

0

ଭୁବନେଶ୍ୱର, ୨୧ା୫ (ବ୍ୟୁରୋ):ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ ଗୁରୁବାର ନିଯୁକ୍ତି ପାଇଛନ୍ତି ବିଶିଷ୍ଟ କବି ଡ. ହୃଷୀକେଶ ମଲ୍ଲିକ। ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ସୁପାରିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିବାପରେ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଡ. ମଲ୍ଲିକଙ୍କୁ ୩ବର୍ଷ ପାଇଁ ସରକାର ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ତାଙ୍କ ନିଯୁକ୍ତିକୁ ସାହିତି୍ୟକମାନେ ସ୍ବାଗତ କରିଛନ୍ତି।
ଡ. ମଲ୍ଲିକ ଓଡ଼ିଆ କବିତାର ଜଣେ ଧାରା ପ୍ରବର୍ତ୍ତକ କବି, ଯାହାଙ୍କର ପ୍ରଥମ କବିତା ବହି ‘ଧାନ ସାଉଁଟା ଝିଅ’ ୧୯୮୮ରେ ଓଡ଼ିଆ ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲା। ଏଯାବତ୍‌ ତାଙ୍କର ୧୨ଖଣ୍ଡ କବିତା ବହି, ୨ଟି ଗଳ୍ପଗ୍ରନ୍ଥ ଓ ୧୦ଖଣ୍ଡରୁ ଊର୍ଦ୍ଧ୍ୱ ସମାଲୋଚନା ପୁସ୍ତକ ସହ ମୋଟ୍‌ ପ୍ରାୟ ୪୦ରୁ ଅଧିକ ପୁସ୍ତକ ପ୍ରକାଶ ପାଇଛି। କବିତା ରଚନା ପାଇଁ ସେ ବହୁ ରାଜ୍ୟସ୍ତରୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଯହିଁରେ ସାମିଲ ‘ଧରିତ୍ରୀ କବିତା ପୁରସ୍କାର’, ‘ଭାନୁଜୀରାଓ ସ୍ମୃତି ପୁରସ୍କାର’, ‘ଶାରଳା ପୁରସ୍କାର’, ‘ଝଂକାର ବିଷୁବ ପୁରସ୍କାର’ଓ ‘ସଚ୍ଚି ରାଉତରାୟ କବିତା ପୁରସ୍କାର’। ୧୯୭୯ରୁ ୧୯୮୦ ଯାଏ ଡ. ମଲ୍ଲିକ ରବିବାସରୀୟ ଧରିତ୍ରୀ ପୃଷ୍ଠାର ସଂପାଦକ, ୨୦୧୪ରୁ ତାଙ୍କ ସଂପାଦନାରେ ଧରିତ୍ରୀ ‘ସାହିତ୍ୟାୟନ’ ସଂପାଦିତ ହୋଇ ବୃହତ୍ତର ଓଡ଼ିଆ ପାଠିକାପାଠକଙ୍କ ପ୍ରଶଂସାଭାଜନ ହୋଇପାରିଛି। ମଲ୍ଲିକଙ୍କର କବିତା ହିନ୍ଦୀ, ଇଂଲିଶ ଓ ବଙ୍ଗଳା ଭାଷାରେ ଅନୂଦିତ ହୋଇ ତାଙ୍କୁ ସର୍ବଭାରତୀୟ ଖ୍ୟାତି ଆଣି ଦେଇଛି।

Khansweb Solution Bhubaneswar

Leave A Reply

Your email address will not be published.