banner
Breaking

ଭର୍ଚୁଆଲ ବ୍ୟଙ୍ଗ ବର୍ଷା; ତୃତୀୟ ରାଜ୍ୟସ୍ତରୀୟ ଅନ୍ଲାଇନ୍ ହାସ୍ୟକବି ସମ୍ମିଳନୀ।

0

ଭୁବନେଶ୍ବର,୩୦/୮(ଓଡ଼ିଆ ନ୍ୟୁଜ): ମଣିଷକୁ ଖୁସି ନାମକ ଅମୃତ ପ୍ରଦାନରେ ହାସ୍ୟବ୍ୟଙ୍ଗ ସାହିତ୍ୟର ପ୍ରମୁଖ ଭୂମିକା ରହିଛି ବୋଲି ୩ୟ ରାଜ୍ୟସ୍ତରୀୟ ଅନ୍ଲାଇନ୍ ହାସ୍ୟକବି ସମ୍ମିଳନୀରେ ବିଶିଷ୍ଟ ଅତିଥିମାନେ ମତ ପ୍ରକାଶ କରିଛନ୍ତି ।

ଓଡିଆ ହାସ୍ୟକବି ସମ୍ମିଳନୀର ସଂଯୋଜକ ଡଃ କୁଳାଙ୍ଗାରଙ୍କ ପୈାରହିତ୍ୟରେ ଆୟୋଜିତ ଅନ୍ଲାଇନ୍ ଆସରକୁ ଉଦ୍ଘାଟନ କରି ବିଶିଷ୍ଟ ବ୍ୟଙ୍ଗକାର ପୀତବାସ ରାଉତରାୟ ଜଗନ୍ନାଥଙ୍କ ମୁହଁର ହସ ପରି ଚିରକାଳ ମଣିଷ ହାସ୍ୟଗ୍ରାହୀ ବୋଲି ବର୍ଣ୍ଣନା କରିବା ସହିତ ସାମାଜିକ ଗଣମାଧ୍ୟମରେ ଅଧିକାଂଶ ରଚନା ହାସ୍ୟବ୍ୟଙ୍ଗଯୁକ୍ତ ହେଉଥିବା ସମ୍ପର୍କରେ ଉଲ୍ଲେଖ କରିଥିଲେ । ନିରନ୍ତର ପ୍ରଚେଷ୍ଟା ଦ୍ବାର ସାହିତ୍ୟ ଏକାଡେମୀ ଦିନେ ନିଶ୍ଚୟ ବ୍ୟଙ୍ଗ ପାଇଁ ଆସନ ସୃଷ୍ଟି କରିବ ଏହା ଶ୍ରୀ ରାଉତ ରାୟ ଆଶା ପ୍ରକଟ କରିଥିଲେ। ଅନ୍ୟତମ ଅତିଥି ଭାଷାବିତ୍ ଓ ବ୍ୟଙ୍ଗକବି ଡଃ ଦେବାଶୀଷ ମହାପାତ୍ର ସାମ୍ପ୍ରତିକ ପରିସ୍ଥିତି ଜନିତ ବିସଙ୍ଗତି ବ୍ୟଙ୍ଗ ପାଇଁ କଞ୍ଚାମାଲ୍ ତୁଲ୍ୟ କହିବା ସହିତ ଉଦାହରଣ ସ୍ବରୂପ ଛୋଟ ବ୍ୟଙ୍ଗ ରଚନା ଉଲ୍ଲେଖ କରିଥିଲେ ।

ବ୍ୟଙ୍ଗକବି ଶ୍ରୀମାନ ସର୍ବଗିଳା ଏହିପରି ଆୟୋଜନକୁ ଐତିହାସିକ ‍ଆଖ୍ୟା ଦେଇଥିଲେ । ବରିଷ୍ଠ ବ୍ୟଙ୍ଗକବି ଶ୍ରୀଯୁକ୍ତ ସତ୍ୟାନାଶ ଏହି କାର୍ଯ୍ୟକ୍ରମରେ ପ୍ରତିଥର ଅଧିକରୁ ଅଧିକ ନୂତନ କବି ଯୋଗ ଦେଉଥିବା ଦେଖି ଆନନ୍ଦ ପ୍ରକାଶ କରିଥିଲେ ।

ପରେ ପରେ ଗୁଗୁଲ୍ ମିଟ୍ ଜରିଆରେ ଆୟୋଜିତ ହାସ୍ୟକବି ସମ୍ମିଳନୀରେ କବିମାନେ ନିଜର ହାସ୍ୟବ୍ୟଙ୍ଗ କବିତାରେ ବର୍ଷା, ବନ୍ୟା ଓ କୋଭିଡ୍ ପ୍ରଭାବିତ ଜୀବନ ଓ ଜଞ୍ଜାଳକୁ ଉପସ୍ଥାପନ କରାଇଥିଲେ । ଡଃ କୁଳାଙ୍ଗାରଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରର ପ୍ରାରମ୍ଭରେ କଟକରୁ କଣ୍ଠଶିଳ୍ପୀ ବବି ଅନସୂୟା ଲାଳିକା ମେଘ ବରସିଲା ଗାନ କରିଥିଲେ । ପରେ ପରେ ରାଉରକେଲାରୁ ମିହିର ରାୟ, କେଉଁଝରରୁ ଅଧ୍ୟାପକ ବାଇଡଙ୍କ ବାବା, ଭୁବନେଶ୍ବରରୁ ଶ୍ରୀଯୁକ୍ତ ସତ୍ୟାନାଶ, ଗିରିଶ ରଞ୍ଜନ ସାହୁ, ସାରଦା ପ୍ରସାଦ ମହାପାତ୍ର ଓ ବିଜୟୀନି ପଣ୍ଡା, ବଡମ୍ବାରୁ ସଞ୍ଜୟ ସାହୁ, ଅନଗୁଳରୁ ଶ୍ରୀ ଅବାଗିଆ, ଗଞ୍ଜାମରୁ ଜଗନ୍ନାଥ ଚୈାଧୁରୀ, ବାଙ୍କିରୁ ଚିତ୍ତରଞନ ବେହେରା, କଟକରୁ ବିଶ୍ବସୀନି ମିଶ୍ର, ବଲାଙ୍ଗୀରରୁ ସନାତନ କଟା, ଯାଜପୁରରୁ ସରୋଜ ଶତପଥି ଓ ଅଜିତ ମଲ୍ଲିକ ପ୍ରମୁଖ କବିମାନେ ଯୋଗ ଦେଇ କବିତା ପାଠ କରିଥିଲେ ।

ଆଗାମୀ ସମୟରେ ଏହି ପରି ମାସିକ ହାସ୍ୟବ୍ୟଙ୍ଗ ଆସର ଆୟୋଜନ ହେବ ଏବଂ ଏଥିରେ ନୂତନ ରଚନାକୁ ଅଗ୍ରାଧିକାର ଦିଆଯିବ ବୋଲି ଆୟୋଜକ ଓଡିଆ ହାସ୍ୟକବି ସମ୍ମିଳନୀ ସୂତ୍ରରୁ ପ୍ରକାଶ ।

Khansweb Solution Bhubaneswar

Leave A Reply

Your email address will not be published.