ରୋଟାରୀ କ୍ଲବ ଭୁବନେଶ୍ୱର କଳିଙ୍ଗ ପକ୍ଷରୁ ରୋଟାରୀ କଳିଙ୍ଗ ସମ୍ମାନ

ଭୁବନେଶ୍ୱର : ରୋଟାରୀ କ୍ଲବ ଅଫ ଭୁବନେଶ୍ୱର କଳିଙ୍ଗ ପକ୍ଷରୁ ରୋଟାରୀ କଳିଙ୍ଗ ସମ୍ମାନ ୨୦୨୬ ଉତ୍ସବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ବିଭିନ୍ନ କ୍ଷେତ୍ରର ପ୍ରତିଭାଶାଳୀ ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମରେ ରୋଟାରୀ ଇଣ୍ଟରନ୍ୟାସନାଲ୍ ଡିଷ୍ଟ୍ରିକ୍ଟ–୩୨୬୨ ର ଜିଲ୍ଲା ଗଭର୍ଣ୍ଣର (୨୦୨୫–୨୬) ରୋଟାରିୟନ୍ ମନୋଜ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସମାଜରେ ନିରବଚ୍ଛିନ୍ନ ଭାବେ ଅସାଧାରଣ କାର୍ଯ୍ୟ କରୁଥିବା ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରିବାରେ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର କଳିଙ୍ଗର ଏହି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ। ସମ୍ମାନୀତ ଅତିଥି ଭାବେ ଆଇ.ଏ.ଏସ୍. (ଅବ.), ଜିଲ୍ଲା ଗଭର୍ଣ୍ଣର (୨୦୨୬–୨୭) ଅନିଲ କୁମାର ସାମଲ ଯୋଗଦେଇଥିଲେ। ରୋଟାରୀ କ୍ଲବ ଅଫ ଭୁବନେଶ୍ୱର କଳିଙ୍ଗର ଅଧ୍ୟକ୍ଷ ଡା. ମନୋରଞ୍ଜନ ପୁଥାଲ ଅଭିଭାଷଣ ରଖି କହିଥିଲେ ଯେ କଳିଙ୍ଗ ସମ୍ମାନ ମାଧ୍ୟମରେ ସେହି ସମସ୍ତ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଉଛି, ଯେଉଁମାନଙ୍କର କାର୍ଯ୍ୟ ସମାଜକୁ ପ୍ରେରଣା ଦେଇଛି ଏବଂ ଆଗାମୀ ପିଢ଼ୀ ପାଇଁ ଆଦର୍ଶ ସୃଷ୍ଟି କରିଛି। ସେ କ୍ଲବର ସମାଜସେବା, ସଂସ୍କୃତି ଓ ମାନବୀୟ ମୂଲ୍ୟବୋଧକୁ ସଦା ପ୍ରୋତ୍ସାହିତ କରାଯିବ ବୋଲି ଉଲ୍ଲେଖ କରିଥିଲେ। ଏହି ଅବସରରେ ସମାଜସେବା କ୍ଷେତ୍ରରେ ଅସାଧାରଣ ଅବଦାନ ପାଇଁ ପଦ୍ମଚରଣ ନାୟକ,ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଶିଷ୍ଟ ଅବଦାନ ପାଇଁ ଡା଼ ଅକ୍ଷୟ କୁମାର ମିଶ୍ର ଓ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ସାଧନା ପାଇଁ ପ୍ରଦୀପ୍ତ କୁମାର ନାୟକଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପ ବୃକ୍ଷ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା। ସମ୍ପାଦକ ଆଦର୍ଶ ରଥ ଧନ୍ୟବାଦ ଅର୍ପଣ କରିଥିଲେ।