banner
Breaking

ରାଉରକେଲା ବ୍ଲୁମ୍‌ବର୍ଗ ଫିଲିଆନ୍ଥ୍ରୋପିଜ୍ ଗ୍ଲୋବାଲ ମେୟର ଚ୍ୟାଲେଞ୍ଜ୍ ବିଜୟୀ

0

ରାଉରକେଲା,୧୮/୧(ବ୍ୟୁରୋ) : ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ପ୍ରତିଯୋଗିତାରେ ରାଉରକେଲା ବିଶ୍ୱର ୧୫ଟି ସହର ଭିତରେ ସ୍ଥାନ ପାଇଛି। ଏହି ଅନ୍ତର୍ଜାତୀୟ ମାନ୍ୟତା ପାଇବାରେ ରାଉରକେଲା ହେଉଛି ଭାରତର ଏକମାତ୍ର ସହର। ଏହି ବିଶେଷ ସଫଳତା ସହ ରାଉରକେଲାକୁ ବ୍ଲୁମବର୍ଗ ଫିଲାନଥ୍ରପିକ୍ ସଂସ୍ଥା ପକ୍ଷରୁ ୧ ନିୟୁତ ଆମେରିକୀୟ ଡଲାର ପୁରସ୍କାର ସହିତ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ବୈଷୟିକ ସହାୟତା ଓ ପରାମର୍ଶ ଯୋଗାଇ ଦିଆଯିବ।
ଏହି ପ୍ରତିଯୋଗିତାରେ ସାମିଲ ହୋଇ ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଉରକେଲା ସହରର ଛେଣ୍ଡ୍ଠାରେ ଏକ ୫ ଟନ୍ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ସ୍ଥାପନ କରାଯାଇଛି। ଏହା କାର୍ଯ୍ୟକ୍ଷମ ହେବା ଫଳରେ ସହରର ଛୋଟ ଛୋଟ ଚାଷୀ, ପନିପରିବା ତଥା ଫଳ ବ୍ୟବସାୟୀମାନେ ନିଜର ସାମଗ୍ରୀ ସେଠାରେ ସଂରକ୍ଷଣ କରିପାରୁଛନ୍ତି।

ଏହି ଶୀତଳଭଣ୍ଡାରକୁ ପରିଚାଳନା କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମଧ୍ୟ ସେମାନଙ୍କ ଜୀବିକା କରିପାରିଛନ୍ତି। ଏଥିସହିତ ସହରବାସୀଙ୍କ ଦୁଆର ମୁହଁରେ ତାଜା ଫଳ ଓ ପନିପରିବା ପହଞ୍ଚିପାରୁଛି। ଏହି ପ୍ରକଳ୍ପରେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର କରି ଏହାକୁ ଦୀର୍ଘସ୍ଥାୟୀ ତଥା ସଫଳ କରାଯାଇପାରିଛି।
ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର କହିଛନ୍ତି ଯେ ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜରେ ଭାଗ ନେଇ ରାଉରକେଲା ମହାନଗର ନିଗମ ଏକ ଅଭିନବ ପ୍ରସ୍ତାବ ଦେଇଥିଲା। ଏହାକୁ ଆଧାରକରି ଚାଷୀ, କ୍ଷୁଦ୍ର ବ୍ୟବସାୟୀଙ୍କ ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଜୀବିକା ଓ ଆର୍ଥିକ ବିକାଶ ଉପରେ ଆମେ ଗୁରୁତ୍ୱ ଦେଇଛୁ। ଏହି ପ୍ରକଳ୍ପର ସଠିକ୍ କାର୍ଯ୍ୟାନ୍ୱୟନ ଯୋଗୁଁ ରାଉରକେଲା ସହର ଆଜି ବିଶ୍ୱର ୧୫ଟି ପ୍ରମୁଖ ସହର ଭିତରେ ସ୍ଥାନ ପାଇପାରିଛି। ରାଉରକେଲାକୁ ଏହି ସମ୍ମାନ ମିଳିଥିବାରୁ ମୁଁ ବ୍ଲୁମବର୍ଗ କର୍ତ୍ତୃପକ୍ଷଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି।

‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ରେ ମୋଟ ୯୯ଟି ଦେଶ ଭାଗ ନେଇଥିଲେ। କୋଭିଡ୍ ମହାମାରୀ ଭଳି ଏକ ଜଟିଳ ସମୟରେ ଅର୍ଥନୈତିକ ପୁନରୁଦ୍ଧାର ଏବଂ ସାମଗ୍ରିକ ଅଭିବୃଦ୍ଧି, ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣ, ଜଳବାୟୁ ଓ ପରିବେଶ ତଥା ଉତ୍ତମ ଶାସନ ଓ ସମାନତା ଆଦି ବିଷୟକୁ ଆଧାରକରି ଆସିଥିବା ୬୩୦ଟି ପ୍ରସ୍ତାବକୁ ନେଇ ଏହି ପ୍ରତିଯୋଗିତା କରାଯାଇଥିଲା। ସେଥିମଧ୍ୟରୁ ଅଭିନବ ତଥା ଉଭାବନଶୀଳ ପ୍ରକଳ୍ପ ପ୍ରସ୍ତାବ ଲାଗି ପ୍ରଥମ ଦଫାରେ ରାଉରକେଲା ସହିତ ୫୦ଟି ସହର ମନୋନୀତ ହୋଇଥିଲେ। ଆଜି ଚୂଡ଼ାନ୍ତ ପର୍ଯ୍ୟାୟରେ ରାଉରକଲୋ ବିଶ୍ୱର ୧୫ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇ ଏକ ନୂଆ ଶିଖରକୁ ପାରିଛି।

Khansweb Solution Bhubaneswar

Leave A Reply

Your email address will not be published.