banner
Breaking

ଘୁର୍ଣ୍ଣିବଳୟ ରୁ ଲଘୁଚାପ, ଦୁଇଦିନ ପ୍ରବଳ ଛେଚିବ,ଦୀପାବଳି କୁ ସୁଖିଲା ପାଗ।

0

ଭୁବନେଶ୍ୱର, ୨୪ା୧୦(ଓଡିଆ ନ୍ୟୁଜ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବୁଧବାର ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ତେବେ ଦୀପାବଳିକୁ ବର୍ଷା ଫିକା କରିବ ନାହିଁ। କାରଣ ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଥିବାବେଳେ ୨୭ରେ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଲଘୁଚାପ ପ୍ରଭାବରେ ବୁଧବାର ସକାଳୁ ସାରା ରାଜ୍ୟରେ ଝିପି ଝିପି ବର୍ଷା ଆରମ୍ଭ ହୋଇଯାଇଥିଲା। କେତେକ ସ୍ଥାନରେ ଅପରାହ୍ନ ସମୟରେ ପ୍ରବଳ ବର୍ଷା ହୋଇଥିବାବେଳେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଗଞ୍ଜାମ, ପୁରୀ, ଗଜପତି, ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ପୁରୀ ଜିଲାରେ ସର୍ବାଧିକ ୯୫.୨ମିଲିମିଟର ବର୍ଷା ହୋଇଛି। ଗୋପାଳପୁରରେ ୪୯,ବାଲେଶ୍ୱର ୩୪.୮, ଭୁବନେଶ୍ୱର ୩୦.୫, ପାରାଦୀପ ୨୬.୧, ବାରିପଦା ୧୮, କଟକ ଓ ଦାରିଙ୍ଗବାଡ଼ି ୧୪, ଅନୁଗୋଳରେ ୧୦ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି। ଏହାଛଡ଼ା ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ହୀରାକୁଦ, ତାଳଚେର, ବଲାଙ୍ଗୀର, ଫୁଲବାଣୀ, ଟିଟିଲାଗଡ଼, ମାଲକାନଗିରି, ସୋନପୁର ଆଦି ଜିଲାରେ ମଧ୍ୟ ବର୍ଷା ହୋଇଥିବା ସୂଚନା ମିଳିଛି।
ଆସନ୍ତା ଦୁଇଦିନ ସାରା ରାଜ୍ୟରେ ବର୍ଷା ଲାଗି ରହିବ। ଗୁରୁବାର ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ କେନ୍ଦୁଝର ଆଦି ୫ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏ ସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ରହିଛି। ସେହିପରି ସୋନପୁର, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ଅନୁଗୋଳ, କନ୍ଧମାଳ, ବୌଦ୍ଧ ଓ ମୟୂରଭଞ୍ଜ ଆଦି ୯ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଏ ସମସ୍ତ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଶୁକ୍ରବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଆଦି ୪ଜିଲାରେ ପ୍ରବଳ ବର୍ଷା ହେବ। ଏ ସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ଆସନ୍ତା ଦୁଇଦିନ ଧରି ବର୍ଷା ଲାଗି ରହିବାର ସମ୍ଭାବନା ଥିବାରୁ ସମସ୍ତ ଜିଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.