banner
Breaking

ରାଜ୍ୟରେ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା।

0

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୋମବାର ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ତେଣୁ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖି ସତର୍କ ରହିବା ପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଡିଓ, ତହସିଲଦାର, ଜଳ ସମ୍ପଦ ବିଭାଗ, ଗ୍ରାମ୍ୟ ଉନ୍ନୟନ ଏବଂ ପୂର୍ତ୍ତ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଯେଭଳି ଉଦ୍ଧାର କାର୍ଯ୍ୟ ଓ ରାସ୍ତା ମରାମତି ପାଇଁ ସଜାଗ ରହିବେ ସେଥିପାଇଁ ଜିଲାପାଳମାନଙ୍କୁ କୁହାଯାଇଛି।
୨୫ ତାରିଖ ସକାଳୁ ୨୬ ତାରିଖ ସକାଳ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୋଳ, ଦେବଗଡ ଜିଲାରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହିତ ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର ଏବଂ କନ୍ଧମାଳ ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, ନୟାଗଡ଼, ଗଞ୍ଜାମ, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ଜିଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ କରାଯାଇଛି। ଏହି ସବୁ ଜିଲା ପାଇଁ ପାଣିପାଗ ବିଭାଗ ଏଲୋ ଓ୍ବାର୍ନିଂ ଜାରି କରିଛି। ସେହିପରି ୨୭ ତାରିଖରେ ଲଘୁଚାପ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଉପରକୁ ଚାଲିଯିବ। ଏଥିଯୋଗୁ ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା ଏବଂ ଦେବଗଡ଼ ଜିଲାରେ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ନବରଙ୍ଗପୁର, କନ୍ଧମାଳ, ଅନୁଗୋଳ ଏବଂ କେନ୍ଦୁଝର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ଯୋଗୁ ଉପକୂଳରେ ଘଣ୍ଟାକୁ ୪୫ରୁ ୫୫ କି.ମି. ବେଗରେ ପବନ ବହିପାରେ। ଏହାକୁ ଦୃଷ୍ଟିରେ ରଖି ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି। ଲଘୁଚାପ ଯୋଗୁ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା ନଦୀରେ ବନ୍ୟା ହେବାର ସମ୍ଭାବନା ରହିଛି।

Khansweb Solution Bhubaneswar

Leave A Reply

Your email address will not be published.