banner
Breaking

ତୃତୀୟ ଥର ପାଇଁ ପୂର୍ବତଟ ରେଳପଥ ପାଇବ ସମ୍ମାନ ଜନକ ପୁରସ୍କାର।

0

ଭୁବନେଶ୍ୱର,୧୬।୧୧ (ବ୍ୟୁରୋ): ଭାରତୀୟ ରେଳପଥର ସବୁପ୍ରକାର କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୂର୍ବତଟ ରେଳପଥକୁ ସମ୍ମାନଜନକ ‘ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ବେଷ୍ଟ ଜୋନାଲ ରେଲ୍‌ୱେ ସିଲ୍ଡ -୨୦୨୦’ ମିଳିବ। ଯେକୌଣସି ଜୋନାଲ ରେଳପଥ ପାଇଁ ଏହା ଅତ୍ୟନ୍ତ ସମ୍ମାନଜନକ ଓ ପୂର୍ବତଟ ରେଳପଥ ତୃତୀୟଥର ପାଇଁ ଏହି ସମ୍ମାନରେ ସମ୍ମାନିତ ହେବ। ଏହା ପୂର୍ବରୁ ପୂର୍ବତଟ ରେଳପଥ ୨୦୦୮-୦୯ ଓ ୨୦୧୫-୧୬ରେ ଏହି ପୁରସ୍କାର ଗ୍ରହଣ କରିଥିଲା।
ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତଙ୍କ ସ୍ମୃତିରେ ପ୍ରତିଷ୍ଠିତ ଏହି ସମ୍ମାନ ପ୍ରତିବର୍ଷ ଜୋନାଲ ରେଳପଥକୁ ଦିଆଯାଏ। ସମସ୍ତ ଜୋନାଲ ରେଳପଥ ମଧ୍ୟରେ ଯାହାର ପ୍ରଦର୍ଶନ ସର୍ବୋତ୍ତମ ବୋଲି ବିବେଚନା କରାଯାଏ, ଉକ୍ତ ରେଳପଥ ହିଁ ଏହି ସମ୍ମାନ ପାଇବାକୁ ହକ୍‌ଦାର ହୋଇଥାଏ। ଚୟନବେଳେ ଆୟ, ପଣ୍ୟ ପରିବହନ, ସମୟାନୁବର୍ତ୍ତିତା, ଯାତ୍ରୀ ସେବା, ଦୁର୍ଘଟଣା, ମରାମତି, କୋଚ୍‌, ଶକ୍ତି ଉପଯୋଗ, ଷ୍ଟକ୍‌, ମାନବସମ୍ବଳ, ସିଗ୍‌ନାଲ ଓ ଟେଲିକମ୍‌ ଯନ୍ତ୍ରାଂଶ, ଟ୍ରାକ୍‌ ନବୀକରଣ, ଟିକେଟ ଚେକିଂ, ସ୍କ୍ରାପ୍‌ ଅପସାରଣ ଆଦିକୁ ବିଚାରକୁ ନିଆଯାଇଥାଏ। ତେବେ ଜାତୀୟ ରେଳପଥ ପୁରସ୍କାର ବିତରଣ ଉତ୍ସବରେ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏହି ସମ୍ମାନ ହସ୍ତାନ୍ତର କରିବେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ରବିବାର ସୂଚନା ଦିଆଯାଇଛି।
ମିଳିଥିବା ସୂଚନାନୁସାରେ, ୨୦୧୯-୨୦ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ୨୦୦.୮୫ ନିୟୁତ ଟନ୍‌ ମାଲ ପରିବହନ କରିଥିଲା। ଏହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୪.୭୩% ବୃଦ୍ଧି ଘଟିଥିଲା। ଏହାବ୍ୟତୀତ ପୂର୍ବତଟ ରେଳପଥ ମଧ୍ୟ ରାଷ୍ଟ୍ରୀୟ ରେଳପଥ ପୁରସ୍କାର ବିତରଣ ସମାରୋହରେ ଟ୍ରାଫିକ୍‌ ପରିବହନ ସିଲ୍ଡ, ଆକାଉଣ୍ଟସ୍‌ ଆଣ୍ଡ୍‌ ଫାଇନାନ୍ସିଆଲ୍‌ ମ୍ୟାନେଜମେଣ୍ଟ ସିଲ୍ଡ ଓ ସେଲ୍ସ ମ୍ୟାନେଜମେଣ୍ଟ ସିଲ୍ଡ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.