banner
Breaking

ପୁରୀରେ ହେବ ଆନ୍ତର୍ଜାତୀୟ ବିମାନ ବନ୍ଦର।

0

ଭୁବନେଶ୍ୱର,୨।୧(ଓଡ଼ିଆ ନ୍ୟୁଜ): ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ଓଡ଼ିଶାର ବିକାଶ ପାଇଁ ନୂତନ ପଦକ୍ଷେପମାନ ନେଇ ଆସୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ପୁରୀ ଧାମରେ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତିି। ଏହି ପ୍ରସ୍ତାବିତ ବନ୍ଦର ପାଇଁ ରାଜ୍ୟ ସରକାର ଜମି ଚହ୍ନଟ କରିଛନ୍ତି। ଏହା ଯେପରି ରେକର୍ଡ ସମୟରେ ସମ୍ପୂର୍ଣ୍ଣ ହେବ ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ଏହି ବିମାନବନ୍ଦରକୁ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନାମରେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ପୁରୀ ହିନ୍ଦୁମାନଙ୍କର ପବିତ୍ର ୪ ଧାମ ମଧ୍ୟରୁ ଅନ୍ୟତମ। ସାରା ବିଶ୍ୱର ଅନୁକୋଣରୁ ଯାତ୍ରୀମାନେ ପ୍ରତିଦିନ ଏଠାକୁ ଆସିଥାଆନ୍ତି। ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମସ୍ତଙ୍କ ଆକର୍ଷଣର କେନ୍ଦ୍ର। ଦେଶ ବିଦେଶରୁ ଯାତ୍ରୀମାନେ ଆସି ପୁରୀରେ ସମବେତ ହୋଇଥାଆନ୍ତି। ମହାପ୍ରଭୁଙ୍କ ରଥଯାତ୍ରା ମଧ୍ୟ ବିଶ୍ୱର ୧୯୨ଟି ଦେଶରେ ସମାରୋହ ସହକାରେ ପାଳିତ ହୋଇଥାଏ। ତେଣୁ ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥାପନ କରାଗଲେ ବିଦେଶରୁ ଯାତ୍ରୀମାନେ ସୁବିଧାରେ ପହଞ୍ଚି ପାରିବେ। ଏଥିସହିତ ବିଦେଶରୁ ଜଗନ୍ନାଥ ସଂସ୍କୃତିର ଆହୁରି ପ୍ରଚାର ପ୍ରସାର ଘଟିବ।

ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ପୁରୀଠାରୁ ମାତ୍ର ୩୫ କି.ମି ଦୂରରେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କୋଣାର୍କ ରହିଛି। ପୁରୀ-କୋଣାର୍କ ରାସ୍ତାରେ ରାମଚଣ୍ଡୀ ଚନ୍ଦ୍ରଭାଗା ବେଳାଭୂମି ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପାଇଁ ଏକ ଅନନ୍ୟ ଅନୁଭବ। ସେହିପରି ପୁରୀ ମଧ୍ୟ ଚିଲିକା ଓ ଭିତରକନିକା ଜାତୀୟ ଉଦ୍ୟାନ ପରି ଦୁଇ ଦୁଇଟି ରାମସାର ସାଇଟ ସହିତ ସିଧାସଳଖ ସଂଯୁକ୍ତ। ଏହି ଦୁଇଟି ସ୍ଥାନରେ ଆନ୍ତର୍ଜାତିକ ପରିବେଶ ପର୍ଯ୍ୟଟନ ପାଇଁ ଭରପୂର ସୁଯୋଗ ରହିଛି। ନିକଟରେ ପର୍ଯ୍ୟଟକମାନଙ୍କୁ ପୁରୀ ବେଳାଭୂମିରେ ଏକ ଅନନ୍ୟ ଅନୁଭୂତି ଦେବା ପାଇଁ ବ୍ଲୁ ଫ୍ଲାଗ ବିଚ୍‌ ଭାବେ ବିକଶିତ କରାଯାଇଛି। ଧଉଳି, ରତ୍ନଗିରି ଓ ଉଦୟଗିରି ପରି ପ୍ରସିଦ୍ଧ ବୌଦ୍ଧ ଐତିହ୍ୟ ସ୍ଥଳ ମଧ୍ୟ ପୁରୀର ଅତି ନିକଟରେ ଅବସ୍ଥିତ। ଏଠାକୁ ସାରା ବିଶ୍ୱରୁ ବୌଦ୍ଧ ପର୍ଯ୍ୟଟକମାନେ ଆସିଥାଆନ୍ତି।

ପୁରୀ ବେଳାଭୂମି ଓ ସୁଦୀର୍ଘ ଉପକୂଳ ଅର୍ଥନୈତିକ କାର୍ଯ୍ୟକ୍ରମ ସହିତ ସ୍ବାସ୍ଥ୍ୟ, ଆଧୁନିକ ତଥା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିପାରିବ। ଉପକୂଳ ଜାତୀୟ ରାଜପଥ ପୁରୀ ଉପକୂଳ ଦେଇ ଯାଉଛି। ଏହା ପାରାଦୀପ ବନ୍ଦର ଓ ଅସ୍ତରଙ୍ଗ ବନ୍ଦର ସହିତ ମଧ୍ୟ ସଂଯୁ୍‌କ୍ତ ଅଛି। ଏହି କରିଡରରେ ଅର୍ଥନୈତିକ ବିକାଶର ବିପୁଳ କ୍ଷମତା ରହିଛି।
ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ପର୍ଯ୍ୟଟନ ତଥା ଅର୍ଥନୈତିକ କାର୍ଯ୍ୟକଳାପର କେନ୍ଦ୍ର ଭାବରେ ପୁରୀରେ ଥିବା ବିପୁଳ ସୁବିଧାର ଉପଯୋଗ ପାଇଁ ଏହି ଅନ୍ତର୍ଜାତୀୟ ବିମାନବନ୍ଦର ବିଶେଷ ଭାବେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି। ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅଗ୍ରାଧିକାର ଏକ ପ୍ରାଥମିକତା ପ୍ରକଳ୍ପ ଭାବେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.