banner
Breaking

ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

0

ପୁରୀ : ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଶୁଭାରମ୍ଭ ହୋଇଛି। ରବିବାର ପବିତ୍ର ଅକ୍ଷୟ ତୃତୀୟାରେ ରଥ କାମ ଅନୁକୂଳ ହେବା ପରେ ସୋମବାରଠାରୁ ଶ୍ରୀନଅର ସମ୍ମୁଖ ଅସ୍ଥାୟୀ ରଥଖଳାରେ ବିଧିବଦ୍ଧ ଭାବେ ରଥ ନିର୍ମାଣ ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ, ପ୍ରଥମ ଦିନରେ ତିନିରଥର ତୁମ୍ବ କାର୍ଯ୍ୟ ଆରମ୍ଭ କରାଯାଇଛି। ତିନିରଥର ମୁଖ୍ୟ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରାଥମିକ ପର୍ଯ୍ୟାୟରେ ରଥ ଚକ ପାଇଁ ତୁମ୍ବ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତିନିରଥ ନିମନ୍ତେ ମୋଟ ୪୨ଟି ତୁମ୍ବ ନିର୍ମାଣ ହେବ। ପ୍ରଥମ ଦିନରେ ରଥଖଳାରେ ତିନିରଥର ମୁଖ୍ୟ ମହାରଣାଙ୍କ ସମେତ ଭୋଇ ସେବକ, କରତି ସେବକଙ୍କ ଉପସ୍ଥିତିରେ ତୁମ୍ବ ପାଇଁ ଆବଶ୍ୟକ ଫାସିକାଠରେ ଚିହ୍ନ ଦିଆଯାଇଥିଲା। ପରେ କରତି ସେବକମାନେ ତିନିରଥ ପାଇଁ ଉଦ୍ଦିଷ୍ଟ ଫାସିକାଠକୁ ମାପ ପ୍ରକାରେ ଗଡ଼ କରି ତାଳଧ୍ୱଜ ଚାଳି, ଦର୍ପଦଳନ ଚାଳି ଏବଂ ନନ୍ଦିଘୋଷ ଚାଳିକୁ ଦୁଇଟି ଲେଖାଏ ତୁମ୍ବ ଯୋଗାଇଥିଲେ। ଏହାପରେ ତିନିରଥର ମହାରଣା ତୁମ୍ବ ଗଡ଼ରେ ଘେରମାପ ଚିହ୍ନ ଦେବା ପରେ ମହାରଣାମାନେ ତୁମ୍ବଗଡ଼କୁ ବାରିସିରେ ହାଣି ତିନିରଥ ଲାଗି ଗୋଟିଏ ଲେଖାଏ ତୁମ୍ବ ନିର୍ମାଣ କରିଛନ୍ତି। ସେହିପରି କମାର ସେବକମାନେ ଦୋଳବେଦିଠାରେ ଅସ୍ଥାୟୀ କମାରଶାଳ ପ୍ରସ୍ତୁତ ସହ ପୂଜାର୍ଚ୍ଚନା ସାରିଛନ୍ତି। ଏଠାରେ ତିନିରଥ ପାଇଁ ଆବଶ୍ୟକ କଣ୍ଟା ତିଆରି କରାଯିବ। ତିନିରଥ ପାଇଁ ୪୨ ତୁମ୍ବ ଆବଶ୍ୟକ। ତନ୍ମଧ୍ୟରୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପାଇଁ ୧୪, ମା’ ସୁଭଦ୍ରାଙ୍କ ଦେବଦଳନ ରଥ ନିମନ୍ତେ ୧୨ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସକାଶେ ୧୬ଟି ତୁମ୍ବ ନିର୍ମାଣ କରାଯିବ। ଶ୍ରୀଜଗନ୍ନାଥ ଏବଂ ବଳଭଦ୍ରଙ୍କ ରଥର ତୁମ୍ବ ସାଇଜ ୨ ଫୁଟ ୮ ଇଞ୍ଚ, ସୁଭଦ୍ରାଙ୍କ ରଥର ତୁମ୍ବ ସାଇଜ ୩ ଫୁଟ ରହିବ। ତୁମ୍ବ ନିର୍ମାଣ ପାଇଁ ଫାସିକାଠ ବ୍ୟବହାର ହେବ। ପ୍ରଥମ ଦିନରେ ମହାରଣା ୧୦, ଭୋଇ ସେବକ ୬, କରତି ସେବକ ୪, କମାର ସେବକ ୬ ଏବଂ ରଥ ଖଳା ସହାୟକ ଜଣଙ୍କୁ ମିଶାଇ ମୋଟ ୨୭ଜଣ ନିୟୋଜିତ ଥିଲେ। ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ମହାରଣା ସେବକ ବିଜୟ କୁମାର ମହାପାତ୍ର କହିଛନ୍ତି, ଗତବର୍ଷ ଭଳି ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ଅନୁରୁୁପ ବ୍ୟବସ୍ଥା କରାଯାଇଛି। ଖଳା ଚାରିପଟେ କନା ଲଗାଯାଇଛି। ଲାଇଟ୍‌ ବ୍ୟବସ୍ଥା ହୋଇଛି। ପ୍ରଥମ ପର୍ଯ୍ୟାୟରେ ତୁମ୍ବ କାର୍ଯ୍ୟ ଚାଲିଛି। ତୁମ୍ବ ପାଇଁ କରତିଆମାନେ ମାପ ଅନୁଯାୟୀ କାଠ କାଟୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିରର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କହିଛନ୍ତି, ପର୍ଯ୍ୟାୟ କ୍ରମେ ରଥଖଳାକୁ ରଥକାଠ ଆସି ପହଞ୍ଚୁଛି। ସମ୍ପ୍ରତି ତୁମ୍ବ ନିର୍ମାଣ ଚାଲିଛି, ଯାହା ଦୁଇ ତିନି ଦିନ ଲାଗିବ। ସେହିପରି କରତି ସେବକ ରଞ୍ଜିତ ମହାରଣା କହିଛନ୍ତି, ତିନିବାଡ଼ରେ ୪ଜଣ କରତି ସେବକ କାମ କରୁଛୁ। ତୁମ୍ବ ପାଇଁ ଚିହ୍ନ ଦେବା ପରେ କାଠ କଟାଯାଇଛି। ପର୍ଯ୍ୟାୟ କ୍ରମେ ତୁମ୍ବ କାଟି ମହାରଣାଙ୍କୁ ଯୋଗାଇଦେବୁ।

Khansweb Solution Bhubaneswar

Leave A Reply

Your email address will not be published.