banner
Breaking

ଖୋଲିଲା ଶ୍ରୀମନ୍ଦିର, ଆରମ୍ଭ ହେଲା ସର୍ବସାଧାରଣ ଦର୍ଶନ

0

ପୁରୀ ,୨।୨: କୋଭିଡ୍‌ କଟକଣା ଯୋଗୁ ୨୧ ଦିନ ଧରି ଶ୍ରୀମନ୍ଦିର ବନ୍ଦ ରହିବା ପରେ ମଙ୍ଗଳବାରଠାରୁ ପୁଣି ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରି କୃତାର୍ଥ ଲଭିଛନ୍ତି। ସକାଳ ୬ଟାରୁ ପଶ୍ଚିମଦ୍ୱାର ଦେଇ ପୁରୀ ସହରବାସୀ ଓ ସିଂହଦ୍ୱାର ଦେଇ ଅନ୍ୟ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ଚାଲିଥିଲା।
ଦର୍ଶନର ପ୍ରଥମ ଦିନରେ ୧୬ ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଶୃଙ୍ଖଳିତ ବ୍ୟବସ୍ଥା ଥିବାବେଳେ କୋଭିଡ୍‌ ଗାଇଡ୍‌ ଲାଇନ୍‌ କଡ଼ାକଡ଼ି ପାଳନ କରାଯାଇଥିଲା। ୮ଟି କିଓସ୍କରେ ଶ୍ରଦ୍ଧାଳୁଙ୍କ ପରିଚୟପତ୍ର, ଆର୍‌ଟି-ପିସିଆର୍‌ ରିପୋର୍ଟ କିମ୍ବା କୋଭିଡ୍‌ ଡବଲ୍‌ ଡୋଜ୍‌ ଟିକାକରଣ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା। ଦିନତମାମ୍‌ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିଲେ ମଧ୍ୟ ବିଶେଷ ଗହଳି ଦେଖିବାକୁ ମିଳି ନ ଥିଲା। ସହରର ଟ୍ରାଫିକ୍‌ ବ୍ୟବସ୍ଥା, ଶ୍ରୀମନ୍ଦିର ଚାରିପାଖ ସୁରକ୍ଷା ଓ ସିଂହଦ୍ୱାର ସମ୍ମୁଖରେ କୋଭିଡ୍‌ କଟକଣା ତଦାରଖ ପାଇଁ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ପୂର୍ବାହ୍ନରେ ଉପଜିଲାପାଳ ଭବତାରଣ ସାହୁ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଥିଲେ। କୋଭିଡ୍‌ କଟକଣା ସହ ଶ୍ରଦ୍ଧାଳୁମାନେ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଦର୍ଶନ କରିଥିବା ସେ କହିଥିଲେ। ଆନନ୍ଦବଜାରରେ ଶ୍ରଦ୍ଧାଳୁମାନେ ମହାପ୍ରସାଦ ସେବନ କରିଛନ୍ତି। ପ୍ରାୟ ୧୦ ହଜାର ଭକ୍ତଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହୋଇଥିଲା ବୋଲି ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପଢ଼ିହାରୀ କହିଛନ୍ତି। ବୁଧବାର ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ହେବ। ଏଥିପାଇଁ ଗହଳି ଜୋର ହେବ ଓ ବ୍ୟାପକ ପ୍ରସ୍ତୁତି କରାଯିବ ବୋଲି ଏସ୍‌ପି କନ୍‌ୱର ବିଶାଲ ସିଂ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.