ପୁରୀ,୧୪।୧୦(ବ୍ୟୁରୋ): ଲୁଟର ତରିକା ବଦଳାଇଲେ ଲୁଟେରା। ନିଜକୁ ପୋଲିସ ପରିଚୟ ଦେଇ ୨ ଯୁବକ ମହିଳାଙ୍କଠାରୁ ଲୁଟି ନେଇଛନ୍ତି ସୁନାଅଳଙ୍କାର । ଘଟଣାଟି ଘଟିଛି ପୁରୀ ଜିଲା ସିଟି ଡିଏସ୍ପିଙ୍କ ଅଫିସଠାରୁ ମାତ୍ର ଶହେ ମିଟର ଦୂରରେ। ଲୁଟ୍ର ଶିକାର ହୋଇଥିବା ମହିଳା ହେଲେ କୁମୁଟି ସାହିର ବିନୋଦିନୀ ନାୟକ। ମିଳିଥିବା ସୂଚନା ଅନୁଯାୟୀ, ବିନୋଦିନୀ ଶାଶୁ ଉର୍ମିଳାଙ୍କ ସହ କଲେଜ ଛକରୁ ସଉଦା କିଣି ଘରକୁ ଫେରୁଥିଲେ। ଛକ ନିକଟରେ ଦୁଇ ଯୁବକ ଏକ ବାଇକ ଯୋଗେ ଆସି ନିଜକୁ ପୋଲିସ ପରିଚୟ ଦେଇଥିଲେ। କାହିଁକି ସୁନା ଚେନ ପିନ୍ଧି ଯାଉଛନ୍ତି, ଲୁଟପାଟ୍ ଚାଲିଛି । ତେଣୁ ସବୁ ସୁନା କାଢ଼ି ଦେବାକୁ କହିଲେ। ବିନୋଦିନୀ ତାଙ୍କ ବେକ ଓ ହାତରେ ପିନ୍ଧିଥିବା ସମସ୍ତ ୩ଟି ସୁନାଚେନ ଓ ୨ହଳ ଚୁଡ଼ି ବାହାରକରି କାନିରେ ବାନ୍ଧିଥିଲେ। କାନିରେ କାହିଁକି ବାନ୍ଧୁଛ କାଗଜରେ ଗୁଡ଼େଇ ଦିଅ ବୋଲି ଜଣେ ଯୁବକ କହିଥିଲେ। ପରେ ତାଙ୍କ ହାତରୁ ନେଇ ଚମ୍ପଟ ମାରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିକଟରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ତଦନ୍ତ ଚଳାଇଛି।




