banner
Breaking

ପୁରୀ କୋଭିଡ୍ ହସ୍ପିଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ।

0

ପୁରୀ,୨୨ା୫: ପୁରୀର ଦ୍ୱିତୀୟ କୋଭିଡ୍‌ ହସ୍ପିଟାଲକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଜରିଆରେ ଲୋକାର୍ପଣ କରିଛନ୍ତି। ପୁରୀ ବାଲିଗୁଆଳିସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ପୁରୀ ଏମ୍‌ପି ପିନାକୀ ମିଶ୍ର ଏବଂ ଜିଲାପାଳ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ। ପୁରୀ ଜିଲା ପ୍ରଶାସନ, ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ ଏବଂ ପିପିପି ମୋଡରେ ଏହି ହସ୍ପିଟାଲ ନିର୍ମାଣ ହୋଇଛି। ବାଲିଗୁଆଳିସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପରିସରରେ ହୋଇଥିବା ୧୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ୍‌ରେ ପ୍ରତି ବେଡ୍‌କୁ ଅକ୍ସିଜେନ୍‌ ପାଇପ୍‌ ବ୍ୟବସ୍ଥା ରହିଛି। ଏଠାରେ ୨୦ଟି ଆଇସିୟୁ, ୪୦ଟି ଏଚ୍‌ଡିୟୁ ଓ ୯୦ଟି ସାଧାରଣ ଶଯ୍ୟା ରହିଛି। ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାସବର୍ମା କହିଛନ୍ତି, ପୁରୀବାସୀଙ୍କ କୋଭିଡ୍‌ ଚିକିତ୍ସାକୁ ସୁବିଧାଜନକ କରିବା ପାଇଁ ରାଜ୍ୟ ସରକାର ଏହି ହସ୍ପିଟାଲ ଆରମ୍ଭ କରିଛନ୍ତି। ସେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସେହିପରି ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ଅଧିକ ରୋଗୀ ଆସିଲେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ। ଏଠାରେ ଅକ୍ସିଜେନ୍‌ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ଚାଲିଛି। ଖୁବ୍‌ଶୀଘ୍ର ଅକ୍ସିଜେନ୍‌ ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା ରହିଛି।

Khansweb Solution Bhubaneswar

Leave A Reply

Your email address will not be published.