ପୁରୀ,୪/୫(ଓଡ଼ିଆ ନ୍ୟୁଜ) : ଜଗନ୍ନାଥଙ୍କ ଲୀଳା ଅପାର। ସେ ଚାହିଁଲେ ସବୁ ଅସମ୍ଭବ ସମ୍ଭବ ହୋଇଯାଏ। ତେଣୁ ସେ କୋଟି ବ୍ରହ୍ମାଣ୍ଡର ଦେବତା। ରଥଯାତ୍ରାରେ ପ୍ରଭୁ ଛୁଆଁ ଅଛୁଆଁ ଭେଦଭାବ ଭୁଲି ରଥ ଉପରେ ସମସ୍ତଙ୍କୁ ଦର୍ଶନ ଦେଇଥାନ୍ତି। କରୋନା ଛୁଆଁ ରୋଗ ହୋଇଥିବାରୁ ସମସ୍ତେ ବ୍ୟସ୍ତ ବିବ୍ରତ। ହେଲେ ତାଙ୍କ ଇଚ୍ଛା ହେଲେ ଏହାକୁ କେହି ରୋକିପିରିବେ ନାହିଁ। ଆଗାମୀ ରଥଯାତ୍ରା କଣ ହେବ ସେନେଇ ସମସ୍ତେ ଚିନ୍ତାରେ ଅଛନ୍ତି। ତଥାପି ପୁର୍ବ ପ୍ରସ୍ତୁତି ଦୃଷ୍ଟିରୁ ମନ୍ଦିର ପରିଚାଳନା କମିଟି ସମସ୍ତ କାର୍ଯ୍ୟକ୍ରମ ସରକାରୀ ନିୟମ ଅନୁସାରେ ଜାରି ରଖିଛି। ଶ୍ରୀଜୀଉଙ୍କ ଘୋଷଯାତ୍ରା ପାଇଁ ବଡ଼ଦାଣ୍ଡରେ ତିନି ରଥର ନିର୍ମାଣ ଲାଗି ଆଜି ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଥିବା ସୂଚନା ଦେଇଛନ୍ତି କମିଟିର ଅଧ୍ୟକ୍ଷ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ। ତେବେ ଆଜିର ବୈଠକ ପରେ ବିସ୍ତୃତ ଭାବେ ସୂଚନା ଦେଇ ଗଜପତି କହିଛନ୍ତି- ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ନୀତି ବିଧି ମୁତାବକ ପାଳନ ହୋଇଛି। ହେଲେ ଏଯାଏ ରଥଖଳାରେ ନିର୍ମାଣ ଆରମ୍ଭ ହୋଇପାରିନି।
ମେ ୩ ପରେ ବଢିଥିବା ଲକଡାଉନ୍ ନୂଆ ଗାଇଡଲାଇନ ଅନୁସାରେ ରଥ ନିର୍ମାଣ ପାଇଁ ସମ୍ମତି ହୋଇଛି। ଯେହେତୁ କୌଣସି ଧର୍ମୀୟ କାର୍ଯ୍ୟକ୍ରମକୁ ଗାଇଡଲାଇନରେ ବାରଣ ରହିଛି, ତେବେ ରଥ ନିର୍ମାଣ ଏକ ନିର୍ମାଣ କାର୍ଯ୍ୟ, ଧର୍ମୀୟ କାର୍ଯ୍ୟ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଗଜପତି ତେଣୁ ସେ ଦୃଷ୍ଟିରୁ ରଥ ନିର୍ମାଣ କାମ ଆରମ୍ଭ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି। ଆସନ୍ତାକାଲି ମଧ୍ୟରେ ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ଆଶା ରଖିଛନ୍ତି ଗଜପତି। ତେବେ ରଥଯାତ୍ରାକୁ ନେଇ ଆଜିର ବୈଠକରେ କିଛି ଆଲୋଚନା ହୋଇନାହିଁ ଓ ମେ ୧୭ ପରେ ନୂଆ ଗାଇଡଲାଇନ ଆସିଲେ ସେନେଇ ଆଲୋଚନା ହେବ। ଏହାସହ ମିଟିଂ ବସି ସ୍ନାନ ଯାତ୍ରା, ରଥ ଯାତ୍ରା ଆଲୋଚନା ହେବ ବୋଲି ସେ କହିଛନ୍ତି।




