banner
Breaking

ଶ୍ରୀମନ୍ଦିର ଭିତରେ ଆଖିତୃତୀୟା, ରଥକାଠ ଅନୁକୂଳ ଓ ଚନ୍ଦନ ଯାତ୍ରା ଅନୁଷ୍ଠିତ।

0

ପୁରୀ,୨୬/୪(ଓଡ଼ିଆ ନ୍ୟୁଜ): ଆଜି ପବିତ୍ର ଅକ୍ଷୟ ତୃତୀୟା । ଶ୍ରୀମନ୍ଦିର ଭିତରେ ଉତ୍କଳୀୟ ପରମ୍ପରା ରୀତିନୀତି ଅନୁସାରେ ଆଜି ବିଧି ମୁତାବକ ଅଖିମୁଠି ଅନୁକୂଳ କରାଯାଇଥିବା ବେଳେ ଘଡି ପତୁଲି ପୂଜା କରାଯାଇଛି ।
ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀମନ୍ଦିର ଭିତରେ ରଥକାଠ ଅନୁକୂଳ ଓ ଚନ୍ଦନଯାତ୍ରାର ଜଳକ୍ରୀଡା ନୀତି ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ବନଯାଗ ଵିଧି ଅନୁସାରେ ରଥକାଠ ଅନୁକୂଳ କରାଯାଇଥିବା ବେଳେ ତିନିଗୋଟି ଜଳକ୍ରୀଡା କୁଣ୍ଡରେ ପଞ୍ଚୁମହାଦେବ, ମଦନ ମୋହନ, ରାମକୃଷ୍ଣ ଓ ଶ୍ରୀଦେବୀ ଭୂଦେବୀଙ୍କ ଚନ୍ଦନ ନୀତି ଅନୁଷ୍ଠିତ ହୋଇଛି ।
ମହାମାରୀ କୋରୋନା ଯୋଗୁଁ ଚଳିତବର୍ଷ ବଡଦାଣ୍ଡରେ ଭକ୍ତମାନେ ଭଗବାନଙ୍କ ଚଳନ୍ତି ପ୍ରତିମା ମଦନମୋହନ ଏବଂ ରଥକାଠ ଅନୁକୂଳ ନୀତି ଦେଖିବାରୁ ଵଞ୍ଚିତ ହୋଇଛନ୍ତି। ସବୁ କାମର ଶୁଭାରମ୍ଭ ଦିବସ ରୂପେ ଅକ୍ଷୟ ତୃତୀୟା ଦିନଟିକୁ ପରିଗଣିତ ହୋଇଥାଏ । ଏ ନେଇ ଆଜି ମହାପ୍ରଭୁଙ୍କ ରଥଯାତ୍ରା ନିମିତ୍ତ ରଥ ନିର୍ମାଣର ଶୁଭ ଅନୁକୂଳ କରାଯାଇଛି। ଆନନ୍ଦ ବଜାରରେ ଥିବା ଚାହାଣୀ ମଣ୍ଡପ ନିକଟରେ ତିନିଖଣ୍ଡ କାଠକୁ ରଖାଯାଇ ବନଯାଗ ଵିଧି ଅନୁସାରେ ପୂଜା, ହୋମଯଜ୍ଞ କରାଯାଇ ରଥକାମ ଅନୁକୁଳ ନୀତି କରାଯାଇଥିଲା । ମହାପ୍ରଭୁଙ୍କଠାରୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରିବା ପରେ ମହାରଣା ଓ ଭୋଇ ସେବକଙ୍କୁ ଶାଢ଼ୀ ବନ୍ଧାଯାଇ ସୁନା କୁରାଢ଼ୀରେ ଅନୁକୂଳ ନୀତି ସମ୍ପାଦନ କରାଯାଇଥିଲା । ସେହିପରି ଆଜିଠାରୁ ଓଡ଼ିଶାର ପୁରପଲ୍ଲୀରେ ଚାଷୀ ଭାଇମାନେ ନିଜ ଜମିରେ ଅଖି ମୁଠି ଅନୁକୁଳ କରିଥାନ୍ତି । ଆଜିଠାରୁ ମଧ୍ୟ ଶ୍ରୀକ୍ଷେତ୍ରରେ ୨୧ ଦିନ ବ୍ୟାପି ବାହାର ଚନ୍ଦନଯାତ୍ରା ନୀତି ମଧ୍ୟ ଆରମ୍ଭ ହୋଇଛି ।

ଚଳିତବର୍ଷ ବାହାର ଚନ୍ଦନ ଯାତ୍ରାକୁ ଶ୍ରୀମନ୍ଦିର ଭିତର ବେଢାରେ କରାଯାଇଛି । କାରଣ ସମଗ୍ର ଦେଶରେ ମହାମାରୀ କୋରୋନା ଯୋଗୁଁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦୀ ଅବସ୍ଥାରେ ରହିଛି । ସାମାଜିକ ଦୂରତା ବଜାୟ ରଖିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି, ସେବାୟତ ନିଯୋଗ, ମନ୍ଦିର ପରିଚାଳନା କମିଟି, ଗଜପତି ମହାରାଜ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ମନ୍ଦିର ଭିତରେ କରାଯାଉଛି । କାଠ ଅନୁକୂଳ ନୀତି ଶେଷ ହେବା ପରେ ପଞ୍ଚୁମହାଦେବଙ୍କ ସମେତ ମଦନମୋହନ, ଭୂଦେବୀ ଶ୍ରୀଦେବୀ, ରାମକୃଷ୍ଣ ବିଜେ କରିଥିବା ବେଳେ ସେଠାରେ ଚନ୍ଦନ ନୀତି ସମେତ ମାଣ୍ଡୁଅ ଭୋଗ ଅନୁଷ୍ଠିତ ହୋଇଛି ।

Khansweb Solution Bhubaneswar

Leave A Reply

Your email address will not be published.