banner
Breaking

ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ।

0

ପୁରୀ,(ଓଡ଼ିଆ ନ୍ୟୁଜ): ପବିତ୍ର ରଥଯାତ୍ରା ପାଇଁ ଗୁରୁବାର ଅପରାହ୍ନରେ ରଥଖଳାଠାରେ ତିନିରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ କରାଯାଇଛି । ପାରମ୍ପରିକ ରୀତି ଅନୁସାରେ ଶ୍ରୀପଞ୍ଚମୀ ଦିନ ରଥକାଠ ଅନୁକୂଳ କରାଯାଇଥାଏ । ନୟାଗଡ ଜଙ୍ଗଲରୁ ଆସିଥିବା ଦୁଇଟି ଟ୍ରକରେ ରଥକାଠକୁ ରଥଖଳାରେ ଭୂମିଷ୍ଟ କରାଯାଇଥିଲା । ସେଥିରୁ ୩ଟି ରଥ ପାଇଁ ବାରଫୁଟିଆ ତିନୋଟି ଧଉରା କାଠ ଅନୁକୂଳ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇଥିଲା । ରାଜପୁରୋହିତ ମନ୍ତ୍ର ଉଚ୍ଚାରଣ ସହ ରଥକାଠ ସିଦ୍ଧି କରିବା ପରେ ଧୂପ, ଦୀପ, ଚନ୍ଦନ, ସିନ୍ଦୂର ମାରି ଅନୁକୂଳ କରିଥିଲେ । ପାରମ୍ପରିକ ରୀତି ଅନୁସାରେ ଏହି ରଥକାଠ ଅନୁକୂଳ ହୋଇଛି । ଅନୁକୂଳ ସମୟରେ ଏଡିଏମ ବିନୟ କୁମାର ଦାସ, ଉପଜିଲ୍ଲାପାଳ ଭବତାରଣ ସାହୁ, ନୀତି ପ୍ରଶାସକ ଅଜୟ କୁମାର ଜେନା, ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ଭୋଇ ସର୍ଦ୍ଦାର ରବି ଭୋଇ ଓ ଶ୍ରୀମନ୍ଦିର କର୍ମଚାରୀମାନେ ଉପସ୍ଥିତ ଥିଲେ । ପୂଜାର୍ଚ୍ଚନା ହୋଇଥିବା ଏହି ତିନୋଟି ଧଉରା କାଠ ରଥ ନିର୍ମାଣ ସମୟରେ ତିନିରଥର କୋଣଗୁଜ ନୃସିଂହ ମୂର୍ତ୍ତି ସହ ଖଞ୍ଜାଯିବ । ଅକ୍ଷୟତୃତୀୟ ଦିନ ତିନୋଟି ରଥ ପାଇଁ ତିନୋଟି ରଥକାଠ ବିଶ୍ୱକର୍ମା ମହାରଣାଙ୍କ ଦ୍ୱାର ରଥନିର୍ମାଣ ପାଇଁ ଅନୁକୂଳ କରାଯିବ ।

Khansweb Solution Bhubaneswar

Leave A Reply

Your email address will not be published.