banner
Breaking

ଟଙ୍କ ତୋରାଣି ବଦଳରେ ମିଳୁଛି ଦହି ପାଣି।

0

ପୁରୀ , ୧୮।୧୨(ଓଡ଼ିଆ ନ୍ୟୁଜ):ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିକ୍ରି ହୋଇଥାଏ ଟଙ୍କତୋରାଣି। ଦୀର୍ଘବର୍ଷ ଧରି ଏହା ବିକ୍ରି ହୋଇଆସୁଥିଲେ ମଧ୍ୟ ୨୦୧୭ରୁ ଏହା ବନ୍ଦ ରହିଛି। ଅସ୍ବାସ୍ଥ୍ୟକର ପରିବେଶରେ ଏହା ତିଆରି କରାଯାଉଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏହାର ବିକ୍ରି ବନ୍ଦ କରିଦେଇଛି। ହେଲେ ଟଙ୍କାତୋରାଣି ଭକ୍ତଙ୍କ ଭାବନା ସହ ଜଡ଼ିତ ହୋଇଥିବାରୁ ଏହାର ଫାଇଦା ଉଠାଉଛନ୍ତି କେତେଜଣ ଅଣସେବାୟତ। ଶ୍ରୀମନ୍ଦିର ବାହାରେ ଟଙ୍କାତୋରାଣି ନଁାରେ ବିକ୍ରି କରୁଛନ୍ତି ଦହିପାଣି। ମହାପ୍ରଭୁଙ୍କ ପ୍ରତି ବିଶ୍ୱାସ ଓ ଭକ୍ତି ରଖିଥିବା ଶ୍ରଦ୍ଧାଳୁ ଏହାକୁ ଟଙ୍କାତୋରାଣି ଭାବି ପିଉଛନ୍ତି।
ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଆନନ୍ଦ ବଜାରକୁ ଯାଇଥାନ୍ତି। ମହାପ୍ରସାଦ ପାଇବା ସହ ଟଙ୍କତୋରାଣି ପିଇବାକୁ ଅନେକେ ଇଚ୍ଛା କରିଥାନ୍ତି। ଅବଢ଼ା, ପାଣି, ଦହି, ଲେମ୍ବୁ, ଲେମ୍ବୁପତ୍ର, ଆମ୍ବକଷିଆ ଅଦା, କଞ୍ଚାଲଙ୍କା, ଜିରାଗୁଣ୍ଡ, ଭୃସଙ୍ଗପତ୍ର ଆଦିରେ ଏହି ଟଙ୍କତୋରାଣି ପ୍ରସ୍ତୁତ କରିଥାନ୍ତି ସୁଆର ସେବକ। ଏହା ବହୁତ ସୁସ୍ବାଦୁ ଏବଂ ଦେହ ପାଇଁ ହିତକର ହୋଇଥାଏ। କିନ୍ତୁ ୨୦୧୭ ସେପ୍ଟେମ୍ବରରେ ଶ୍ରୀମନ୍ଦିର ପ୍ରଶାସନ ଦୀର୍ଘବର୍ଷ ହେବ ଆନନ୍ଦ ବଜାରରେ ବିକ୍ରି ହେଉଥିବା ଟଙ୍କାତୋରାଣି ଉପରେ କଟକଣା ଲଗାଇଥିଲା। ଏହା ଠିକ୍‌ ପରିବେଶରେ ପ୍ରସ୍ତୁତ ହେଉନାହିଁ ଏବଂ ବେଳେ ବେଳେ ବାସି ଟଙ୍କତୋରାଣି ବିକ୍ରି ଅଭିଯୋଗ ହେବା ପରେ ପ୍ରଶାସନ ଏହାର ବିକ୍ରିକୁ ବନ୍ଦ କରିଦେଇଥିଲା। ଏଥିପାଇଁ ସ୍ବତନ୍ତ୍ର ଭାବେ ବିଜ୍ଞପ୍ତି ଜାରି କରିବା ପରେ ଟଙ୍କତୋରାଣି ବିକୁଥିବା ସେବକ ଏହାକୁ ବିରୋଧ କରିଥିଲେ। ଟଙ୍କାତୋରାଣି ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ଥିବାବେଳେ କେଉଁ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ମାତ୍ର ଏହି ନିଷ୍ପତ୍ତି ଏ ପର୍ଯ୍ୟନ୍ତ କାଏମ ରହିଛି। ଏହାକୁ ପୁନଃ ଚାଲୁ କରିବା ଲାଗି ବିଭିନ୍ନ ସମୟରେ ପ୍ରତିବାଦ ହୋଇଛି। ଏମିତି କି ହାଇକୋର୍ଟ ପର୍ଯ୍ୟନ୍ତ କଥା ଯାଇଛି। କିନ୍ତୁ ଆନନ୍ଦ ବଜାରରେ ଏହା ବିକ୍ରି ହେଉ ନ ଥିବାବେଳେ ଏହାର ଫାଇଦା ନେଉଛନ୍ତି କେତେଜଣ ଅଣସେବକ। ମେଘନାଦ ପାଚେରି ବାହାରେ ବିଭିନ୍ନ ସ୍ଥାନରେ ବସି ଟଙ୍କତୋରାଣି ନଁାରେ ଦହିପାଣି ବିକ୍ରି କରୁଛନ୍ତି। ଶ୍ରଦ୍ଧାଳୁମାନେ ଏହାକୁ ପିଉଛନ୍ତି। ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ଆନନ୍ଦ ବଜାରରେ ଟଙ୍କତୋରାଣି ବିକ୍ରି ବନ୍ଦ କରାଯାଇଛି। ଅସ୍ବାସ୍ଥ୍ୟକର ପରିବେଶରେ ଏହାକୁ ପ୍ରସ୍ତୁତ କରିବାରୁ ଏହି କଟକଣା ଲଗାଯାଇଛି। ମନ୍ଦିର ବାହାରେ ଯଦି କେହି କ’ଣ ବିକ୍ରି କରୁଛନ୍ତି ତାହା ଉପରେ କିଛି କହିହେବ ନାହିଁ। ସେମାନେ ଦହିପାଣିକୁ ଟଙ୍କାତୋରାଣି କହି ବିକ୍ରି କରୁଥିବାକୁ ଆମେ ପ୍ରମାଣ କରିପାରିବା ନାହିଁ। କିନ୍ତୁ ଭକ୍ତଙ୍କ ଭାବନା ସହିତ କେହି ଖେଳିବା ଠିକ୍‌ ନୁହେଁ ବୋଲି ନୀତି ପ୍ରଶାସକ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.