banner
Breaking

ଆଧୁନିକତାର ସ୍ପର୍ଶ ଭିତରେ ଲୁକ୍କାୟିତ ପ୍ରତିଭା ରହିଛି ପ୍ରତିଶ୍ରୁତିର ରାଜ୍ୟସ୍ତରୀୟ କବିତା ଆସର ଓ ପ୍ରତିଭା ସମ୍ମାନ

0

ଭୁବନେଶ୍ୱର, ୮.୧ : ଆଧୁନିକତାର ସ୍ପର୍ଶ ଭିତରେ ଆଜି ବି ପ୍ରକୃତିଦତ୍ତ ପ୍ରତିଭା ଲୁକ୍କାୟିତ ହୋଇ ରହିଛି । ନିଜର ଭାବନାକୁ କେବଳ ପରିପ୍ରକାଶ କଲେ ହେବ ନାହିଁ, ବରଂ ସମାଜର ସବୁବର୍ଗଙ୍କ ପାଖରେ ପହଞ୍ଚିବା ଦରକାର । ସମକାଳୀନ ସାହିତ୍ୟରେ ସମ୍ବେଦନଶୀଳତା କ୍ରମଶଃ ହ୍ରାସ ପାଇଛି । ମୂଲ୍ୟବୋଧଭିତ୍ତିିିକ ଜନଚେତନତାର ଉତ୍ତରଣରେ ସାହିତ୍ୟ ଯେଉଁ ଭୂମିକା ଗ୍ରହଣ କରିବା କଥା ତାହା କ୍ରମଶଃ ଅଦୃଶ୍ୟ ସ୍ଥିତିରେ । ସାହିତ୍ୟିକମାନେ କବିତା ହେଉ କି ପ୍ରବନ୍ଧ ଅବା ଲଘୁ ଗପ, କାହାଣୀ ସେଥିରେ ବାସ୍ତବବାଦୀ ଜନଜୀବନର ଚିତ୍ରକୁ ପ୍ରକାଶ କରିବା ଦିଗରେ ଯେଉଁ ଭୂମିକା ଗ୍ରହଣ କରିବା କଥା ତାହା ପାଳନ ହେଉନାହିଁ । କେବଳ ମନୋରଞ୍ଜନ ସାହିତ୍ୟର ଧର୍ମ ନୁହେଁ, ସମାଜର ବିକାଶ ଦିଗରେ ଯେଉଁ ଭୂମିକା ନିର୍ବାହ କରିବା କଥା ତାହା ସାହିତ୍ୟିକମାନେ କରୁନାହାଁନ୍ତି ବୋଲି ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ପ୍ରତିଶ୍ରୁତି (ନୂଆ ସକାଳର ସଂକଳ୍ପ) ତରଫରୁ ଗୋଦାବରୀଶ ସାହିତ୍ୟ ସଂସଦଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କବିତା ଆସର ଓ ପ୍ରତିଭା ସମ୍ମାନ ସମାରୋହରେ ମଞ୍ଜୁଳା ତ୍ରିପାଠୀ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ପ୍ରଶାସକ ତଥା କବି ଡ. ଧନଞ୍ଜୟ ସ୍ୱାଇଁ, ବରେଣ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସକ ତଥା କବିଭୂଷଣ ଡ. ମୀନକେତନ ଦାସ, ସମ୍ମାନିତ ଅତିଥି ଭାବେ ଇଭେଣ୍ଟ ପ୍ରକାଶନୀର ପ୍ରତିଷ୍ଠାତା ତଥା ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ର ଏବଂ ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି, ସ୍ତମ୍ଭକାର ତଥା ସମ୍ବାଦିକ ସୂର୍ଯ୍ୟମଣି ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ପ୍ରତିଶ୍ରୁତିର ପରିଚାଳନା ସମ୍ପାଦକ ସ୍ମୃତିରଞ୍ଜନ ତ୍ରିପାଠୀ ବାର୍ଷକ ବିବରଣୀ ପାଠ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଶୀତ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏହାକୁ ସ୍ନିଗ୍ଧା ସ୍ୱାଇଁ, ଜୟଶ୍ରୀ ପଟ୍ଟନାୟକ, ପ୍ରଣତି ତ୍ରିପାଠୀ, ସସ୍ମିତା ମହାପାତ୍ର, ସୁଶିଲ ପାଣି ପ୍ରମୁଖ ପରିଚାଳନା କରିଥିଲେ । ସାହିତ୍ୟ ଓ ସଂସ୍କୃତି ବିଭାଗରେ ପ୍ରତିଭାଧାରୀଙ୍କୁ ସମ୍ମାନିତ କରାଯାଇଥିଲା । ଗୋଟିଏ ମଞ୍ଚରେ ବିଭିନ୍ନ କବିମାନଙ୍କୁ ଏକାଠି କରିବାର ପ୍ରୟାସ କରିଥିବା ସ୍ମୃତିରଞ୍ଜନ ତ୍ରିପାଠୀଙ୍କୁ ଅତିଥିମାନେ ପ୍ରଶଂସା କରିଥିଲେ । ଶେଷରେ ସୁଶିଲ କୁମାର ପାଣି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.