banner
Breaking

ଖୋଲୁଛି ପ୍ରଦୀପ ପାଣିଗ୍ରାହୀଙ୍କ ଅର୍ଥନୈତିକ ଗୁମର।

0

ବ୍ରହ୍ମପୁର: ଠକେଇ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଆର୍ଥିକ କାରବାରକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ଉନ୍ମୋଚନ ହେବାରେ ଲାଗିଛି। ବିଭିନ୍ନ ସନ୍ଦେହଜନକ ସୂତ୍ରରୁ ପ୍ରଦୀପଙ୍କ ଆକାଉଣ୍ଟରେ ଲକ୍ଷଲକ୍ଷ ଟଙ୍କା ଜମା ହେବା ଏବଂ ପରେ ସେହି ଟଙ୍କା ସେ ତାଙ୍କ ଭାବି ଜ୍ବାଇଁ ଆକାଶ କୁମାର ପାଠକଙ୍କ ପାଖକୁ ପଠାଇବା ଘଟଣାକୁ ନେଇ ଏବେ ତଦନ୍ତ ଜୋର୍‌ଦାର୍‌ କରିଛି ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ । ଏହା ପଛରେ ଅନୈତିକ ଆର୍ଥିକ କାରବାର ବା ହାୱଲା ରାକେଟ୍‌ ଥିବା କ୍ରାଇମ୍‌ବ୍ରାଞ୍ଚ ସନ୍ଦେହ କରୁଛି । ବିଶେଷକରି ମଦ ବ୍ୟବସାୟୀ, ଘରୋଇ ସ୍କୁଲ ମାଲିକ, ବାଲି ମାଫିଆ ଭଳି ଅନେକ ବେଆଇନ୍‌ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କ ପାଖରୁ ପ୍ରଦୀପଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବା ଘଟଣା ଏବେ ତାଙ୍କୁ ମହା ଅଡ଼ୁଆରେ ପକାଇ ଦେଇଛି । ସେହିଭଳି ଟାଟାରେ ନିଯୁକ୍ତି ନାମରେ ଠକେଇ ଅଭିଯୋଗର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ବର୍ତ୍ତମାନ ଆକାଶ ଏବଂ ପ୍ରଦୀପଙ୍କ ସହ ସେମାନଙ୍କ ଆନୁଗତ୍ୟଙ୍କ ଆକାଉଣ୍ଟ ଯାଞ୍ଚ କରୁଛି । ପ୍ରଦୀପଙ୍କ ବିଭିନ୍ନ ଆକାଉଣ୍ଟକୁ କିଏ କିଏ, କେତେ ଟଙ୍କା ଜମା କରିଛନ୍ତି, ତାହାର ତଦନ୍ତ କରାଯାଉଛି । ସମସ୍ତ ଆନୁଗତ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ସଂଗ୍ରହ କରାଯାଇଛି । ଏନେଇ ଆଗାମୀ ଦିନରେ ଆନୁଗତ୍ୟମାନଙ୍କୁ ମଧ୍ୟ ପଚରାଉଚରା କରିପାରେ କ୍ରାଇମ୍‌ବ୍ରାଞ୍ଚ ।
ଗଞ୍ଜାମ ଜିଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ରଘୁନାଥପୁର ଛକରେ ରହିଛି ସୂର୍ଯ୍ୟ ଫିଲିଂ‌ ଷ୍ଟେସନ୍‌ । ଏହାର ମାଲିକ ହେଉଛନ୍ତି ସୂର୍ଯ୍ୟ ନାରାୟଣ ସାହୁ । କେବଳ ପେଟ୍ରୋଲ୍‌ ପମ୍ପ ନୁହଁ, ସୂର୍ଯ୍ୟ ଜଣେ ପରିଚିତ ମଦ ବ୍ୟବସାୟୀ । ଜଗନ୍ନାଥପୁରରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଏହି ପେଟ୍ରୋଲ୍‌ ପମ୍ପର ଆକାଉଣ୍ଟ ରହିଛି । ଗତ ଅଗଷ୍ଟ ୨୭ ତାରିଖରେ ଏହି ଆକାଉଣ୍ଟରେ ୪୦ ଲକ୍ଷ ଟଙ୍କା ଜମା କରାଯାଇଥିଲା । ପେଟ୍ରୋଲ୍‌ ପମ୍ପ ତରଫରୁ ଏହି ଟଙ୍କା ଜମା ହୋଇଥିବା ଆକାଉଣ୍ଟ ବିବରଣୀରେ ଉଲ୍ଲେଖ ରହିଛି । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସେହିଦିନ ହିଁ ବିଧାୟକ ପ୍ରଦୀପଙ୍କ ଆକାଉଣ୍ଟକୁ ଏହି ୪୦ ଲକ୍ଷ ଟଙ୍କା ଟ୍ରାନ୍ସଫର୍‌ କରାଯାଇଛି । ବିବରଣୀ ଅନୁଯାୟୀ, ପେଟ୍ରୋଲ୍‌ ପମ୍ପର ମାଲିକ ସୂର୍ଯ୍ୟ ସାହୁ ୪୦ ଲକ୍ଷ ଟଙ୍କାର ଚେକ୍‌ ପ୍ରଦୀପଙ୍କ ନାମରେ ଜାରି କରିଥିଲେ । ଚେକ୍‌କୁ ଜମା କରିବା ପରେ ସେହି ଦିନ ହିଁ ଟଙ୍କା ପ୍ରଦୀପଙ୍କ ଆକାଉଣ୍ଟକୁ ଯାଇଥିଲା। ବ୍ରହ୍ମପୁର ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ଥିବା ପ୍ରଦୀପଙ୍କ ଆକାଉଣ୍ଟରେ ଜମା ହୋଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ଗତ ମାର୍ଚ୍ଚ ଶେଷ ସପ୍ତାହରେ କରୋନା ପାଇଁ ଲକ୍‌ଡାଉନ୍‌ ଜାରି ହୋଇଥିଲା । ପରିବହନ ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍‌ ହୋଇଯାଇଥିଲା । ବର୍ତ୍ତମାନ ସୁଦ୍ଧା ପରିବହନ ସେବା ସ୍ବାଭାବିକ ହୋଇନି। ପେଟ୍ରୋଲ୍‌ ପମ୍ପଗୁଡ଼ିକର କାରବାର ବେଶ ପ୍ରଭାବିତ ହେବାରେ ଲାଗିଛି । ଏଣୁ କରୋନା କାଳରେ ପେଟ୍ରୋଲ୍‌ ପମ୍ପ ପକ୍ଷରୁ ଆକାଉଣ୍ଟରେ ୪୦ ଲକ୍ଷ ଟଙ୍କା ନଗଦ ଜମା କରିବାକୁ ବର୍ତ୍ତମାନ ତଦନ୍ତ ପରିସରକୁ ଆସିଛି । ଏହି ଟଙ୍କା ତେଲ ବିକ୍ରିରୁ ମିଳିଛି ନା’ ଅନ୍ୟ ସୂତ୍ରରୁ ଆସିଛି, ତାହାର ମଧ୍ୟ ତଦନ୍ତ ଚାଲିଛି । ବିଶେଷକରି ଏହି ପେଟ୍ରୋଲ୍‌ ପମ୍ପର ମାଲିକ ସୂର୍ଯ୍ୟ ସାହୁ ମଦ ବ୍ୟବସାୟରେ ସକ୍ରିୟ ରହିଥିବା ଯୋଗୁ ନଗଦ ଟଙ୍କାକୁ ନେଇ ବହୁ ସନ୍ଦେହ ସୃଷ୍ଟି ହୋଇଛି । ସୂର୍ଯ୍ୟଙ୍କ ସହ ବିଧାୟକ ପ୍ରଦୀପଙ୍କ ସଂପର୍କକୁ ନେଇ ଏବେ କେବଳ ଗୋପାଳପୁର ନିର୍ବାଚନମଣ୍ଡଳୀ କିମ୍ବା ଗଞ୍ଜାମ ଜିଲା ନୁହଁ, ସାରା ରାଜ୍ୟରେ ନାନା ଆଲୋଚନା ହେଉଛି । ପୂର୍ବରୁ ସୂର୍ଯ୍ୟକୁ ନିଜ ଗାଁ ଲୋକ ବୋଲି ବିଧାୟକ ପ୍ରଦୀପ କହିଥିଲେ । କିନ୍ତୁ ଏବେ ଉଭୟଙ୍କ ମଧ୍ୟରେ ଆର୍ଥିକ ସଂପର୍କକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି ।  ସୂଚନା ଯୋଗ୍ୟ ଯେ, ପ୍ରଦୀପଙ୍କ ଆଇସିଆଇସି ଆକାଉଣ୍ଟରେ ଗୁରୁମୂର୍ତ୍ତି ପେଟ୍ରୋଲ୍‌ ପମ୍ପ ପକ୍ଷରୁ ଗତ ସେପ୍ଟେମ୍ବର ୨ ତାରିଖରେ ୪୦ ଲକ୍ଷ ଟଙ୍କା ଜମା ହୋଇଥିଲା । ସେହିଦିନ ହିଁ ପ୍ରଦୀପ ଏହି ଟଙ୍କାକୁ ଆକାଶଙ୍କୁ ପଠାଇଥିଲେ । ଦୁଇଟି ପେଟ୍ରୋଲ୍‌ ପମ୍ପ ୪୦ ଲକ୍ଷ ଟଙ୍କା ଲେଖାଏଁ ଜମା କରିବା ଏବେ ତଦନ୍ତ ଘେରକୁ ଆସିଛି ।

Khansweb Solution Bhubaneswar

Leave A Reply

Your email address will not be published.