banner
Breaking

ସୋସିଆଲ ମିଡିଆରେ ନାରା ନେଇ ରାଜନୀତି

0

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ବିଜେଡି ନେତାଙ୍କ ମୁହଁରେ ଏବେ ଜୟ ଜଗନ୍ନାଥ ନାରା। ଶଙ୍ଖ ମୋର ଗର୍ବ ପରେ ଜୟ ଜଗନ୍ନାଥ ସ୍ଲୋଗାନକୁ ନେଇ ସୋସିଆଲ ମିଡିଆରେ ବିଜେଡି କ୍ୟାମ୍ପେନ୍‌ ଆରମ୍ଭ କରିଛି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜ ସୋସିଆଲ ମିଡିଆରେ ଜୟ ଜଗନ୍ନାଥ ଶେୟାର କରିବା ପରେ ଦଳର ସମସ୍ତ ନେତା ସୋସିଆଲ ମିଡିଆରେ ଜୟ ଜଗନ୍ନାଥ କହି ଭିଡିଓ ଶେୟାର କରୁଛନ୍ତି। ଏହା ପୂର୍ବରୁ ମଧ୍ୟ ଶଙ୍ଖ ମୋ ଗର୍ବ ଜରିଆରେ ଦଳର ନେତା ଏହି କ୍ୟାମ୍ପେନ୍‌ ଚଳାଇଥିଲେ। ଏବେ ଜୟ ଜଗନ୍ନାଥର ନାରା ଦଳର ନେତାଙ୍କ ମୁହଁରୁ ଶୁଣିବାକୁ ମିଳିଛି। ଲୋକଙ୍କ ମଧ୍ୟରେ ଭାବପ୍ରବଣତା ବଢ଼ାଇବା ପାଇଁ ବିଜେଡି ଏହି ଅଭିଯାନ ଆରମ୍ଭ କରିଥିବା କୁହାଯାଉଛି।
ଏହି ନାରାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ବିଜେଡି ନାରାକୁ କାଉଣ୍ଟର କରି ଭାଜପା ନେତାମାନେ କହୁଛନ୍ତି, ଆମର ଜୟ ଜଗନ୍ନାଥ ଆଉ ଜୟ ଶ୍ରୀରାମ। ଭାଜପା ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି, ଜୟ ଜଗନ୍ନାଥ ଆମର, ଜୟ ଶ୍ରୀରାମ ବି ଆମର।
ଅନ୍ୟପକ୍ଷରେ ବିଜେଡିର ଏହି କ୍ୟାମ୍ପେନ୍‌କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କଟାକ୍ଷ କରିଛନ୍ତି। ସେ କହିଛନ୍ତି, ସେମାନେ କହୁଥିଲେ ଶଙ୍ଖ ମୋ ଗର୍ବ, ମୁଁ କହିଲି ଜଗନ୍ନାଥ ଆମର ଗର୍ବ। ସେମାନେ ମୋ କଥାକୁ ଅନୁକରଣ କରିଛନ୍ତି। ଆଗରୁ ଦେଖିଲେ ନମସ୍କାର କରୁଥିଲେ। କିନ୍ତୁ ଏବେ ଦେଖିଲେ ଆଉ ନମସ୍କାର କରୁନାହାନ୍ତି ବରଂ ଜୟ ଜଗନ୍ନାଥ କହୁଛନ୍ତି। ବିଜେଡି ଦଳର ନେତାମାନେ ସ୍ବର ବଦଳାଉଛନ୍ତି। ଏଥିରୁ ବୁଝିବା ଦରକାର କ’ଣ ଚାଲିଛି। ଦିନକୁ ଦିନ ଭାଜପା-ବିଜେଡି ଏକ ହେଉଛନ୍ତି। ଏଠି ପରସ୍ପର ବିରୋଧରେ ଆକ୍ରମଣ ମୁଦ୍ରାରେ ନଜର ଆସୁଛନ୍ତି। କିନ୍ତୁ ଦିଲ୍ଲୀରେ କୋଳାକୋଳି ହେଉଛନ୍ତି। ଦୁଇଦଳ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଏମାନେ ଏଠି ଗୋଟେ, ଦିଲ୍ଲୀରେ ଆଉ ଗୋଟେ ରୂପରେ ନଜର ଆସୁଛନ୍ତି ବୋଲି ତାରା କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.