banner
Breaking

ବାହିନୀପତିଙ୍କୁ ନେଇ ଜୋରଦାର ଚର୍ଚ୍ଚା

0

ଜୟପୁର : କଂଗ୍ରେସର ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭାରେ ସରକାର ବିରୋଧୀ ହୋ ହଲ୍ଲା ପାଇଁ ବେଶ ଜଣାଶୁଣା। ତେବେ ଶୁକ୍ରବାର ଜୟପୁର ବିକ୍ରମଦେବ ସୟଂଶାସିତ ମହାବିଦ୍ୟାଳୟର ୭୫ତମ ପ୍ଲାଟିନମ ଜୁବିଲି ସମାରୋହରେ ତାରାଙ୍କର ଭିନ୍ନ ରୂପ ଦେଖିବାକୁ ମିଳିଥିଲା। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଏହାର ଦିନକ ପୂର୍ବରୁ ରାଜ୍ୟ ସରକାର ବିକ୍ରମ ଦେବ କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ଘୋଷଣା କରିଥିଲେ। ଏହି ଖୁସିରେ ତାରା ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ହୋଇପଡିଥିଲେ। ଏପରିକି ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେବା ସହ ସ୍ବାଗତମ୍‌ ବୋଲି ସମ୍ବୋଧନ କରିଥିଲେ। କେବଳ ସେତିକି ନୁହେଁ ମୁଖ୍ୟନ୍ତ୍ରୀଙ୍କ ପାଇଁ କରତାଳି ହୋଇ ଯାଉ ବୋଲି ଉପସ୍ଥିତ ଛାତ୍ରୀଛାତ୍ରମାନଙ୍କୁ କହିଥିଲେ। ତାରା ଏତିକିରେ ଅଟକି ନ ଥିଲେ। ଆଉ ପାଦେ ଆଗକୁ ଯାଇ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ଓ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ଭୂରି ଭୂରି ପ୍ରଶଂସା କରିଥିବା ଦେଖିବାକୁ ମିଳୁଛି। ତାରାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା ଉପସ୍ଥିତ ଦର୍ଶକ ଓ ବିଜେଡି ନେତା, ମନ୍ତ୍ରୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଗୋଟିଏ ପଟେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କୁ ସଭାରେ ବସିବାକୁ ଅନୁମତି ମିିଳି ନ ଥିବା ବେଳେ ତାରାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
ଏ ସମ୍ପର୍କରେ ତାରାଙ୍କୁ ପଚାରିବାରୁ ସେ କହିଲେ, ସେମିତି କିଛି ଉଦ୍ଦେଶ୍ୟ ନାହିଁ। ଜୟପୁର ତଥା ଦକ୍ଷିଣ ଓଡ଼ିଶାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଥିବରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.