banner
Breaking

ପ୍ରାତଃ ଭ୍ରମଣ ବନ୍ଦ। କଳାବଜାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ।

0

ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟରେ ଲକ୍‌ନାଉନ୍‌, ଶଟ୍‌ଡାଉନ୍‌ ସତ୍ତ୍ୱେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ି ଚାଲିଛି। ବିଶେଷକରି କଟକ ଓ ଭୁବନେଶ୍ୱର ଦ୍ୱୈତନଗରୀରେ ସଂକ୍ରମଣ ଅଧିକ ବଢ଼ୁଛି। ତେଣୁ କମିଶନରେଟ୍‌ ପୋଲିସ କଠୋର ଆଭିମୁଖ୍ୟ ଆପଣାଇଛି। ପୂର୍ବରୁ ଜାରି କଟକଣାକୁ ଅଧିକ କଡ଼ାକଡ଼ି କରାଯାଇଛି। ଲକ୍‌ଡାଉନ ସମୟରେ ଲୋକଙ୍କ ପ୍ରାତଃ-ସାନ୍ଧ୍ୟା ଭ୍ରମଣ ଓ ସାଇକ୍ଲିଂରେ ସାମାନ୍ୟ କୋହଳ କରାଯାଇଥିଲା। ଏହାକୁ ଏବେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ଗୁରୁବାର ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ସେ କହିଛନ୍ତି, ଲକ୍‌ଡାଉନ୍‌ର ମୂଳ ଲକ୍ଷ୍ୟ ହେଉଛି ଲୋକମାନେ ବାହାରକୁ ନ ଆସି ଘରେ ରହିବେ। ହେଲେ କିଛି ଲୋକ ଭ୍ରମଣ ଓ ସାଇକ୍ଲିଂ ବାହାନାରେ ଘରୁ ବାହାରି ବୁଲୁଛନ୍ତି। ଯାହାଦ୍ୱାରା ସଂକ୍ରମଣ ବ୍ୟାପିବାର ଭୟ ରହୁଛି। ତେଣୁ ଲକ୍‌ଡାଉନ ସମୟରେ ଟୁଇନ୍‌ସିଟିରେ ଭ୍ରମଣ ଓ ସାଇକ୍ଲିଂ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବା ସହ ଏନେଇ କେହି ବାହାରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର କହିଛନ୍ତି।
ସେହିପରି ଔଷଧ କଳାବଜାର ରୋକିବା ପାଇଁ ରାଜ୍ୟବ୍ୟାପୀ ଚଢାଉ ଜୋର୍‌ଦାର କରାଯାଉଛି ବୋଲି ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା କହିଛନ୍ତି। କଳାବଜାର କରୁଥିବା ନେଇ କୌଣସି ଅସାଧୁ ବ୍ୟବସାୟୀ ଧରାପଡ଼ିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାଛଡ଼ା କୌଣସି ଘରୋଇ ଡାକ୍ତରଖାନା ରୋଗୀଙ୍କୁ ଶୋଷଣ କରୁଥିଲେ ବା ଲୋକଙ୍କଠାରୁ ବେଆଇନ ଭାବେ ଅଧିକ ଅର୍ଥ ନେଉଥିଲେ ପଦକ୍ଷେପ ନିଆଯିବ। ଏଭଳି ଘଟଣା ଜନସାଧାରଣଙ୍କ ନଜରକୁ ଆସିଲେ ଆମକୁ ଜଣାନ୍ତୁ ବୋଲି ଏଡିଜି ଜେଠଓ୍ବା କହିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଲକ୍‌ଡାଉନରେ ଖୋଲାରହିଥିବା ଆଇଟି, ଶିଳ୍ପ ଓ ଅନ୍ୟ ଘରୋଇ ସଂସ୍ଥାର କର୍ମଚାରୀମାନେ କମ୍ପାନୀ ପକ୍ଷରୁ ମିଳିଥିବା ପରିଚୟପତ୍ର ବା ଅନୁମତି ପତ୍ର ବ୍ୟବହାର କରି ଯାତାୟାତ କରୁଛନ୍ତି। ତେବେ ଆଗକୁ ମୁଖ୍ୟତଃ ଆଇଟି କର୍ମଚାରୀଙ୍କ ପାଇଁ ବ୍ୟକ୍ତିଗତ ପାସ୍‌ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଡିସିପି ଦାଶ କହିଛନ୍ତି। କଟକ ଡିସିପି ପ୍ରତୀକ ସିଂ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି। ସେ କହିଛନ୍ତି, ପୋଲିସ ନିଜ କାର୍ଯ୍ୟ କରୁଛି। ପୋଲିସର କିଛି ଭୁଲ୍‌ଭଟ୍‌କା ଦେଖିଲେ ଆମକୁ ଜଣାନ୍ତୁ। ଏଥିସହିତ ଆଖପାଖ ଅଞ୍ଚଳରେ କରୋନା ଆକ୍ରାନ୍ତ ବ୍ୟକ୍ତି ନିୟମ ଉଲ୍ଲଂଘନ କରୁଥିଲେ ଆମ ନଜରକୁ ଆଣିଲେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସିଂ କହିଛନ୍ତି।
ସାରା ରାଜ୍ୟରୁ ଏପର୍ଯ୍ୟନ୍ତ ଅମାନିଆଙ୍କଠାରୁ ୨ କୋଟି ୮୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହ ଲକ୍‌ଡାଉନ ନିୟମ ଉଲ୍ଲଂଘନ ନେଇ ୭୧ଟି ମାମଲା ରୁଜୁ କରାଯାଇଥିବାବେଳେ ୨୬୯ଜଣଙ୍କୁ ଗିରଫ କରାଯାଇଛି। ସେହିପରି ୮୩୦୦ ଗାଡି ଜବତ ହୋଇଥିବା ନେଇ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.