banner
Breaking

ଥାନାକୁ ଯିବେନି ଲୋକେ। ଘରୁ ଏତଲା ଆଣିବ ପୋଲିସ : ଡିସିପି

0

ଭୁବନେଶ୍ୱର,୫।୫(ବ୍ୟୁରୋ):ଆଜିଠାରୁ ରାଜ୍ୟରେ ୧୪ ଦିନିଆ ଲକ୍‌ଡ଼ାଉନ୍‌ ଲାଗୁ ହେଉଛି। ଏହି ସମୟରେ ସହରାଞ୍ଚଳରେ ଶଟ୍‌ଡାଉନ୍‌ କଟକଣା ମଧ୍ୟ ଜାରି ରହିବ। ତେଣୁ କଟକ ଓ ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୩୬ ପ୍ଲାଟୁନ ଫୋର୍ସ ମୁତୟନ ବ୍ୟବସ୍ଥା ହୋଇଥିବାବେଳେ ୨୯୦ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। କେବଳ ଭୁବନେଶ୍ୱରରେ ସହରାଞ୍ଚଳ ପୋଲିସ ପକ୍ଷରୁ ୨୦ ପ୍ଲାଟୁନ୍‌ ଫୋର୍ସ, ୨୦୦ଜଣ ପୋଲିସ ଅଧିକାରୀ ଓ ୧୫୦ଜଣ ଟ୍ରାଫିକ୍‌ ପୋଲିସକୁ ଲକ୍‌ଡାଉନ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଏଥିପାଇଁ ସାରା ସହରକୁ ୬ ଜୋନ୍‌ରେ ବିଭକ୍ତ କରାଯାଇ ୫୩ ସ୍ଥାନରେ ବ୍ଲକିଂ ଓ ଚେକିଂ କରାଯିବ। ସେହିଭଳି କଟକରେ ୩୬ ପ୍ଲାଟୁନ ଫୋର୍ସ ସହ ୯୦ ଅଧିକାରୀ ୩୩ ଚେକ୍‌ ପଏଣ୍ଟରେ ସଜାଗ ରହିବେ। ବରିଷ୍ଠ ଅଧିକାରୀମାନେ ପର୍ଯ୍ୟାୟ କ୍ରମେ ୨୪ ଘଣ୍ଟା ମନିଟରିଂ କରିବେ। ଲକ୍‌ଡାଉନ ସମୟରେ ଅତ୍ୟାବଶ୍ୟକ ଯାତାୟାତ ନିମନ୍ତେ କୋହଳ କରାଯାଇଛି। ଚିକିତ୍ସା କିମ୍ବା ଅନ୍ୟାନ୍ୟ ଜରୁରୀ ଆବଶ୍ୟକତା ଥିଲେ ଉପଯୁକ୍ତ କାଗଜପତ୍ର ଦେଖାଇ ଯାଇପାରିବେ। ଅମାନିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଦାଶ କହିଛନ୍ତି। ରାଜଧାନୀବାସୀଙ୍କ ସହଯୋଗ ଲୋଡିବା ସହ ଡିସିପି କହିଛନ୍ତି, ଜନସାଧାରଣ ଓ କାର୍ଯ୍ୟରତ ପୋଲିସଙ୍କ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି। ତେଣୁ ଲୋକେ ଥାନାକୁ ଆସିବେ ନାହିଁ, ଅଭିଯୋଗ ଆଣିବାକୁ ଭୁବନେଶ୍ୱର ପୋଲିସ ଅଭିଯୋଗକାରୀଙ୍କ ଘରକୁ ଯିବ। ଲୋକେ ସମ୍ପୃକ୍ତ ଥାନାର ଥାନା ଅଧିକାରୀଙ୍କ ଅଫିସ ନମ୍ବର କିମ୍ବା ଥାନାର ଲ୍ୟାଣ୍ଡ୍‌ ଫୋନ୍‌କୁ କଲ୍‌ କରି ଜଣାଇଲେ ପୋଲିସ ତାଙ୍କ ଠିକଣା ଅନୁସାରେ ଘରକୁ ଯାଇ ଅଭିଯୋଗପତ୍ର ଆଣିବ ଓ ମାମଲା ରୁଜୁ କଲାପରେ ହ୍ବାଟ୍ସଆପ୍‌ ମାଧ୍ୟମରେ ପଠାଇବ। ଏଥିପାଇଁ ଜନସାଧାରଣଙ୍କ ଅବଗତି ନିମନ୍ତେ ଯୋଗାଯୋଗ ନମ୍ବର ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଛଡ଼ାଯିବ। ତଦନ୍ତ ପୂର୍ବଭଳି ହେବ। ଏଥିରେ କୌଣସି ହେଳା କରାଯିବ ନାହିଁ ବୋଲି ଡିିସିପି ଦାଶ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.