banner
Breaking

ମାଟି ମା’ଠାରୁ ଦୂରରେ ରହିଲେ ବି ପ୍ରବାସୀଙ୍କ ମନରେ ରହିଛି ଭାରତ ପ୍ରତି ଶ୍ରଦ୍ଧା-ସମ୍ମାନ: ମୋଦି

0

ନୂଆଦିଲ୍ଲୀ,୯।୧: ପ୍ରବାସୀ ଭାରତୀୟମାନେ ମାଟି ମା’ଠାରୁ ଦୂରରେ ରହିଥିଲେ ବି ସେମାନଙ୍କ ମନରେ ଦେଶ ପ୍ରତି ଶ୍ରଦ୍ଧା ଏବଂ ସମ୍ମାନ ରହିଛି। କରୋନା ମହାମାରୀ ସଙ୍କଟ ସମୟରେ ଭାରତୀୟମାନେ ପ୍ରଶଂସାଯୋଗ୍ୟ କାମ କରିଛନ୍ତି। ସେମାନେ ପାଖପଡ଼ୋଶୀଙ୍କୁ ସହାୟତା କରିବା ସହିତ ମହାନ୍‌ ସେବା ମନୋଭାବର ପ୍ରଦର୍ଶନ କରିଛନ୍ତିି। ୧୬ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଭିଡ଼ିଓ କନଫରେନ୍ସିଂରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଏଭଳି କହିଛନ୍ତି। ଯେବେ ବି ଭାରତର ସାମର୍ଥ୍ୟ ଉପରେ ପ୍ରଶ୍ନ ଉଠିଛି ସେବେ ଭାରତବାସୀ ଏହାକୁ ଭୁଲ୍‌ ପ୍ରମାଣିତ କରି ନିଜର ଦକ୍ଷତାର ପ୍ରଦର୍ଶନ କରିଥିବା ମୋଦି କହିଛନ୍ତି। ଭାରତବାସୀ ପୃଥିବୀର ଯେଉଁ ଅଞ୍ଚଳରେ ଥିଲେ ବି ସବୁବେଳେ ବିଶ୍ୱ ସମୁଦାୟ ପାଇଁ ନୂଆ ଉଦାହରଣ ହିଁ ସୃଷ୍ଟି କରିଥାନ୍ତି। ଭାରତ ପରାଧୀନ ଥିବାବେଳେ ୟୁରୋପରେ କୁହାଯାଉଥିଲା ଯେ, ଭାରତ କେବେ ସ୍ବାଧୀନ ହୋଇ ପାରିବ ନାହିଁ। ମାତ୍ର ତାହା ଭୁଲ୍‌ ପ୍ରମାଣିତ ହୋଇଥିଲା। ସେହିପରି ସ୍ବାଧୀନତା ପରେ ପାଶ୍ଚାତ୍ୟ ଦେଶ ଭାରତକୁ ଗରିବ ବୋଲି କହୁଥିଲେ। ମାତ୍ର ଶେଷରେ ସେଭଳି ଧାରଣା ମଧ୍ୟ ଭୁଲ୍‌ ପ୍ରମାଣିତ ହୋଇଥିଲା। ଏବେ ଭାରତର ଲୋକତନ୍ତ୍ର ସଫଳତାର ସହିତ ପୃଥିବୀ ଆଗରେ ଉଭା ହୋଇଛି। ଆତ୍ମନିର୍ଭର ଭାରତ ନିର୍ମାଣରେ ପ୍ରବାସୀଙ୍କ ଯୋଗଦାନ ଅତୁଳନୀୟ। କରୋନ ସଙ୍କଟରେ ଭାରତ ପଛେଇ ନ ଯାଇ ପ୍ରତିଷେଧକ ଟିକା ପ୍ରସ୍ତୁତିରେ ଆଗୁଆ ରହିଛି। ଦେଶରେ ଦୁଇଟି ଟିକା ପ୍ରସ୍ତୁତ ହୋଇଛି। ଭାରତର ଟିକାକୁ ଏବେ ପୃଥିବୀବାସୀ ଅପେକ୍ଷା କରି ରହିଛନ୍ତି ବୋଲି ମୋଦି କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.