banner
Breaking

କୋଭିଡ ଅନାଥ ପିଲାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା

0

ନୂଆଦିଲ୍ଲୀ,୩୦।୫: କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍‌ ଅନାଥ ପିଲାମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ସୋମବାର ଭିଡିଓ କନ୍‌ଫରେନ୍ସରେ ପ୍ରଧାନମନ୍ତ୍ରୀ ମୋଦି ‘ପିଏମ୍‌ କେୟାର୍ସ ଫର୍‌ ଚିଲ୍‌ଡ୍ରେନ୍‌’ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ କୋଭିଡ୍‌ ଅନାଥ ପିଲାମାନଙ୍କୁ ସ୍କଲାରଶିପ ଏବଂ ସ୍ବାସ୍ଥ୍ୟ କାର୍ଡ ମଧ୍ୟ ଦିଆଯିବ।
ପିଲାମାନଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ମୁଁ ତୁମମାନଙ୍କ ସହ ପ୍ରଧାନମନ୍ତ୍ରୀ ଭାବରେ ନୁହେଁ, ବରଂ ଜଣେ ପରିବାରର ସଦସ୍ୟ ଭାବରେ କଥାବାର୍ତ୍ତା କରୁଛି। ଆଜି ତୁମମାନଙ୍କ ମଧ୍ୟରେ ରହି ବହୁତ ଖୁସି ଲାଗୁଛି। ମୁଁ ଜାଣେ, କରୋନା କାରଣରୁ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ଜୀବନରେ ଏହି ପରିବର୍ତ୍ତନ କେତେ କଷ୍ଟକର। ପିଲାମାନେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। ପିଲାମାନଙ୍କ ଅସୁବିଧା ହ୍ରାସ କରିବାକୁ ଆମେ ଏକ ଛୋଟ ପ୍ରୟାସ ଆରମ୍ଭ କରିଛୁ।
ଏହି ଯୋଜନା ବିଷୟରେ ବର୍ଣ୍ଣନାକରି ସେ କହିଛନ୍ତି, ‘ପିଏମ୍‌ କେୟାର୍ସ ଫର୍‌ ଚିଲ୍‌ଡ୍ରେନ୍‌’ ବେସାହାରା ପିଲାମାନଙ୍କ ସହାୟତାରେ ଆସିବ। ବୃତ୍ତିଗତ ପାଠ୍ୟକ୍ରମ, ଉଚ୍ଚଶିକ୍ଷା ପାଇଁ ଯଦି କେହି ଶିକ୍ଷା ଋଣ ଆବଶ୍ୟକ କରନ୍ତି, ତେବେ ପିଏମ୍‌ କେୟାର୍ସ ମଧ୍ୟ ଏଥିରେ ସାହାଯ୍ୟ କରିବ। ଅନ୍ୟାନ୍ୟ ଦୈନନ୍ଦିନ ଆବଶ୍ୟକତା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କ ନିମନ୍ତେ ପ୍ରତି ମାସରେ ୪ ହଜାର ଟଙ୍କା ଷ୍ଟାଇପେଣ୍ଡ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି।
ବେସାହାରା ପିଲାମାନଙ୍କ ସ୍କୁଲ ପାଠପଢ଼ା ଶେଷ ପରେ ଉଚ୍ଚଶିକ୍ଷା ପାଇଁ ଅଧିକ ଅର୍ଥ ଆବଶ୍ୟକ ହେବ। ଏଥିପାଇଁ ୧୮-୨୩ ବର୍ଷର ଯୁବତୀ/ଯୁବକମାନେ ପ୍ରତି ମାସରେ ଷ୍ଟାଇପେଣ୍ଡ ପାଇବେ। ୨୩ ବର୍ଷରେ ୧୦ ଲକ୍ଷ ଟଙ୍କା ଉଚ୍ଚଶିକ୍ଷା ପାଇଁ ମିଳିବ। ଏହା ସହ ପିଏମ୍‌ କେୟାର ଫର୍‌ ଚିଲ୍‌ଡ୍ରେନ୍‌ ମାଧ୍ୟମରେ ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ ମଧ୍ୟ ଯୋଗାଇ ଦିଆଯାଉଛି। ଏହି କାର୍ଡ ଜରିଆରେ ମାଗଣା ଚିକିତ୍ସା ସୁବିଧା ମଧ୍ୟ ପିଲାଙ୍କ ପାଇଁ ଉପଲବ୍ଧ ହେବ।

Khansweb Solution Bhubaneswar

Leave A Reply

Your email address will not be published.