ମହଙ୍ଗା ହେବ ବିଲ୍ଡିଂ ପ୍ଲାନ।

ଭୁବନେଶ୍ବର : ମହଙ୍ଗା ହେବ ବିଲ୍‌ଡିଂ ପ୍ଲାନ୍‌। ଗୃହକର୍ତ୍ତାଙ୍କୁ ପୂର୍ବ ନିର୍ଦ୍ଧାରିତ ଦରରେ  ପ୍ଲାନ୍‌ ଅନୁମତି ଅର୍ଥ ସହିତ ପାରିପାର୍ଶ୍ବିକ ବିକାଶ ନିମନ୍ତେ ଅତିରିକ୍ତ ୧% ଅର୍ଥ ଜମା କରିବାକୁ ପଡ଼ିବ। ଏହି ଅର୍ଥ ବିଲ୍‌ଡିଂ ଚତୁଃପାର୍ଶ୍ବରେ ସର୍ବସାଧାରଣ ରାସ୍ତା, ଡ୍ରେନ୍‌, ଆଲୋକ ବ୍ୟବସ୍ଥା, ଜଳଯୋଗାଣ, ସ୍ବେରେଜ୍‌, ରାସ୍ତାପାର୍ଶ୍ବ ସୌନ୍ଦର୍ଯ୍ୟକରଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଖର୍ଚ୍ଚ ହେବ। ଏହାକୁ ଆଗୁଆ ଭାବେ ପ୍ଲାନ୍‌ ଅନୁମତି ପ୍ରଦାନକାରୀ ସଂସ୍ଥା ନିକଟରେ ଆବେଦନକାରୀ ଜମା କରିବେ।

ଉକ୍ତ ଅତିରିକ୍ତ ଅର୍ଥ ପିଛିଲା ଭାବେ ଅର୍ଥାତ୍‌ ୨୦୨୦, ଏପ୍ରିଲ୍‌ ୨୧ରୁ ଲାଗୁ ହେବ। ଅନ୍ୟପକ୍ଷରେ ୨୦୨୦,ଏପ୍ରିଲ୍‌ ୨୧ ପୂର୍ବରୁ ଯେଉଁମାନେ ପ୍ଲାନ ଅନୁମତି ଆବେଦନ କରି ବର୍ତ୍ତମାନ ସୁଦ୍ଧା ପାଇନାହାନ୍ତି ସେମାନଙ୍କ କ୍ଷେତ୍ରରେ ମଧ୍ୟ ପାରିପାର୍ଶ୍ବିକ ବିକାଶ ନିମନ୍ତେ ଅତିରିକ୍ତ ୧% ଅର୍ଥ ଅନୁମତି ପ୍ରଦାନକାରୀ ସଂସ୍ଥା ନିକଟରେ ଜମା କରିବାକୁ ପଡ଼ିବ। ନଚେତ୍‌ ବିଲ୍‌ଡିଂ ଅନୁମତି ମିଳିବ ନାହିଁ ବୋଲି ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ବିଜ୍ଞପ୍ତିରେ ଦର୍ଶାଯାଇଛି। ଯେଉଁ ଆବେଦନକାରୀଙ୍କ ବିଲ୍‌ଡିଂ ପ୍ରକଳ୍ପ ନିକଟରେ ପାରିପାର୍ଶ୍ବିକ ବିକାଶ ପୂର୍ବରୁ ଥିବ ସେମାନେ ତଥ୍ୟ ଦାଖଲ କରି ଏନ୍‌ଓସି ପାଇଁ ଆବେଦନ କରିବେ। ଗୃହ ନିର୍ମାଣକାରୀ ସ୍ଥାନୀୟ ପ୍ରଶାସନଠୁ ( ବିଏମ୍‌ସି ଅଞ୍ଚଳ କ୍ଷେତ୍ରରେ ବିଏମ୍‌ସି ଏବଂ ବିଡିଏ) ଏନ୍‌ଓସି ଆଣିବେ। ଏ କ୍ଷେତ୍ରରେ ପାରିପାର୍ଶ୍ବିକ ବିକାଶ ନିମନ୍ତେ ଅତିରିକ୍ତ ୧% ଅର୍ଥ ଜମା କରିବାକୁ ପଡ଼ିବ ନାହିଁ।
ଗୃହକର୍ତ୍ତାଙ୍କୁ ବିଲ୍‌ଡିଂ ପ୍ଲାନ/ ଲେ’ ଆଉଟ୍‌ ନିମନ୍ତେ ଆବେଦନ ସମୟରେ  ଏଣିକି ଏକ୍ସଟରନାଲ ଇନ୍‌ଫ୍ରାଷ୍ଟ୍ରକ୍ଟର ଡେଭଲପମେଣ୍ଟ ପ୍ଲାନ୍‌(ଇଆଇଡିପି) ଅନୁମତି ନେବାକୁ ପଡ଼ିବ। ଏଥିପାଇଁ ଅତିରିକ୍ତ ଅର୍ଥ ଦେବାକୁ ପଡ଼ିବ। ଉକ୍ତ ବ୍ୟବସ୍ଥା ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ପ୍ଲାନିଂ ଆଣ୍ଡ ବିଲ୍‌ଡିଂ ଷ୍ଟାଣ୍ଡାର୍ଡସ) ନିୟମ ୨୦୨୦ ଅନୁଯାୟୀ ଲାଗୁ ହେବ। ଉକ୍ତ ନିୟମ କେଉଁ ବିଲ୍‌ଡିଂ କ୍ଷେତ୍ରରେ ଲାଗୁ ହେବ ଏବଂ କେଉଁ ସମୟରୁ ନିର୍ଦ୍ଧାରଣ ହେବ ଏଥିପାଇଁ ବିଡିଏ ମାର୍ଗଦର୍ଶିକା ଜାରି କରିଛି। ସ୍ଥାନୀୟ ପୌରସଂସ୍ଥା କିଭଳି ଇଆଇଡିପି ନିମନ୍ତେ ଅନୁମତି ଦେବେ ସେ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ନଂ ୬୦୬ରେ ଦାର୍ଶାଯାଇଛି।

୫ଶହ ବର୍ଗ ମିଟର ବା ଏହାଠାରୁ ଅଧିକ ଅଞ୍ଚଳରେ ନିର୍ମାଣ ‌ହେବାକୁ ଥିବା ବିଲ୍‌ଡିଂ ପ୍ରକଳ୍ପ କ୍ଷେତ୍ରରେ ଇଆଇଡିପି ଅର୍ଥ ଦେବାକୁ ପଡ଼ିବ। ଏପରକି ଲୋ’ ରିସ୍କ ବିଲ୍‌ଡିଂ କ୍ଷେତ୍ରରେ ଉକ୍ତ ଅର୍ଥ ଲାଗୁ ହେବ। ଆଫ‌େ‌ର୍ଡବୁଲ ହାଉସିଂ ପ୍ରୋଜେକ୍ଟ( ସୁଲଭ ମୂଲ୍ୟରେ ଗୃହ ନିର୍ମାଣ ପ୍ରକଳ୍ପ) ଏବଂ ଗରିବଙ୍କ ନିମନ୍ତେ ଗୃହ ନିର୍ମାଣ ପ୍ରକଳ୍ପ କ୍ଷେତ୍ରରେ ଏହି ଅର୍ଥ ଲାଗୁ ହେବନାହିଁ। ଭୁବନେଶ୍ବର ମହାନଗର ନିଗମ, ଖୋର୍ଦ୍ଧା ପୌରାଞ୍ଚଳ, ଜଟଣୀ ପୌରାଞ୍ଚଳ ଏବଂ ପିପିଲି ବିଜ୍ଞପିତ ଅଞ୍ଚଳ ପରିଷଦ‌େ‌ର ଗୃହ ନିର୍ମାଣ ପ୍ରକଳ୍ପ ନିମନ୍ତେ ଏହି ନିୟମ ଲାଗୁ ହେବ। ଗୃହ ନିର୍ମାଣକାରୀ ସଂସ୍ଥା ସମ୍ପୃକ୍ତ ଅଞ୍ଚଳର ପ୍ରଶାସନ ନିକଟରେ  ଇଆଇଡିପି ଏନ୍‌ଓସି ପାଇଁ ଆବେଦନ କରିବେ। ୭ଦିନ ଭିତରେ ଆବେଦନକାରୀଙ୍କୁ ଏନ୍‌ଓସି ମିଳିବ। ଇଆଇଡିପି ଅର୍ଥ ଜମା କରିବାର ୬ମାସ ଭିତରେ ସ୍ଥାନୀୟ ପ୍ରଶାସନ ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ କରିବେ। ଏପରି ନ କଲେ ଆବଦେନକାରୀଙ୍କ ନିକଟରେ ଉତ୍ତରଦାୟୀ ରହିବେ। ବିଡିଏ ଯୋଜନା ସଦସ୍ୟ ଗୌରୀ ଶଙ୍କର ଭୂୟଁା କହିଛନ୍ତି, ବିଭିନ୍ନ ଅଞ୍ଚଳରେ ଆବଶ୍ୟକ ପାରିପାର୍ଶ୍ବିକ ଭିତ୍ତିଭୂମି ନ ଥାଇ ବହୁ ଗୃହ ନିର୍ମାଣ ପ୍ରକଳ୍ପ ହେଉଛି। ପରବର୍ତ୍ତୀ ମୁହୂର୍ତ୍ତରେ ରାସ୍ତା, ଡ୍ରେନ୍‌, ସ୍ବେରେଜ୍‌ ନିର୍ମାଣରେ ସମସ୍ୟା ହେବା ସହିତ ସ୍ଥାନୀୟ ପ୍ରଶାସନ ଖର୍ଚ୍ଚାନ୍ତ ହେଉଛନ୍ତି। ଏଥିପାଇଁ ଇଆଇଡିପି ଅର୍ଥ ନିର୍ମାଣକାରୀ ସଂସ୍ଥା ଆଗୁଆ ଜମା କରିବାକୁ ବ୍ୟବସ୍ଥା ହୋଇଛି।

ଇଆଇଡିପି ଅନୁମତି ନିମନ୍ତେ ବିଭିନ୍ନ ଅଞ୍ଚଳରେ କମିଟି ଗଠନ ହୋଇଛି। ବିଏମ୍‌ସି ଅଞ୍ଚଳ ନିମନ୍ତେ ଗଠିତ କମିଟିରେ ବିଏମ୍‌ସି କମିସନର, ନଗର ଯନ୍ତ୍ରୀ, ଏବଂ ବିଏମ୍‌ସିର ବରିଷ୍ଠ ଯୋଜନା ସସଦ୍ୟ ରହିଥିବା‌େ‌ବଳେ ଖୋର୍ଦ୍ଧା ପୌରାଞ୍ଚଳ ନିମନ୍ତେ କାର୍ଯ୍ୟନିର୍ବାହୀ ଅଧିକାରୀ, ମ୍ୟୁନିସିପାଲ ଯନ୍ତ୍ରୀ, ସହାୟକ ଯନ୍ତ୍ରୀ, ବିଡିଏ ପ୍ଲାନିଂ ସଦସ୍ୟ, ଜଟଣୀ ପାଇଁ  ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ, ମ୍ୟୁନିସିପାଲ ଯନ୍ତ୍ରୀ, ସହାୟକ ଯନ୍ତ୍ରୀ, ବିଡିଏ ପ୍ଲାନିଂ ସଦସ୍ୟ ଏବଂ ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ସହାୟକ ଟାଉନ୍‌ ପ୍ଲାନର ଓ ବିଡିଏର ପ୍ଲାନିଂ ସଦସ୍ୟ ରହିବେ।