banner
Breaking

ମମତା ହତ୍ୟାକାଣ୍ଡର ପର୍ଦ୍ଧାଫାଶ।

0

ପିପିଲି,୯/୨(ବ୍ୟୁରୋ) : ବହୁଚର୍ଚ୍ଚିତ ମମତା ଭୋଇ(୨୯) ହତ୍ୟାକାଣ୍ଡ ଘଟଣାରେ ପିପିଲି ପୁଲିସକୁ ସଫଳତା ମିଳିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୃତ ମମତାଙ୍କ ପ୍ରେମିକକୁ ପୁଲିସ ଗିରଫ କରିଛି। ମମତାଙ୍କ ପ୍ରେମିକ ପିପିଲି ଥାନା କମାକନ୍ତିଆ ନିକଟବର୍ତ୍ତି କୁସିଦା ଗ୍ରାମର ଲକ୍ଷ୍ମଣ ମଲ୍ଲିକ ଓରଫ ସିଲୁ(୩୦) ସମେତ ହତ୍ୟାକାଣ୍ଡରେ ସହଯୋଗ କରିଥିବା ସେହି ଗ୍ରାମର ପ୍ରଭାକର ବେହେରା ଓରଫ ବାଞ୍ଛା(୨୦)କୁ ପିପିଲି ପୁଲିସ ଆଜି ଗିରଫ କରି ପିପିଲି କୋର୍ଟକୁ ଚାଲାଣ କରିଛି। ତେବେ ଜାମିନ ଆବେଦନ ଖାରଜ ହୋଇଯିବାରୁ ଉଭୟଙ୍କୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଲକ୍ଷ୍ମଣ ବିବାହିତ ହୋଇଥିବା ବେଳେ ସେ ମମତାଙ୍କୁ ନିଜ ପ୍ରେମ ଜାଲରେ ଫସାଇବା ପରେ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଦୈହିକ ସମ୍ପର୍କ ସ୍ଥାପନ କରିଥିବା ଓ ନିଜ ରାସ୍ତାରୁ ହଟାଇବା ପାଇଁ ଗତମାସ ୨୨ତାରିଖରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ତେଇସିପୁର-ନଡାଖଣ୍ଡ ସଫେଇନାଳରେ ଦଳ ଭର୍ତ୍ତି ପାଣି ମଧ୍ୟରେ ଫୋପାଡି ଦେଇଥିବା ନେଇ ପୁଲିସ ଆଗରେ ସ୍ୱିକାର କରିଥିବା ଆଇଆଇସି ଶରତ କୁମାର ସାହୁ ସୂଚନା ଦେଇଛନ୍ତି। ପୁଲିସ ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଏକ ସାଇକେଲ ଓ ଗ୍ଲୋବ୍‍ସକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଗତ ମାସ ୩୦ ତାରିଖରେ ପିପିଲି ଥାନା ସାତଶଙ୍ଖ ଫାଣ୍ଡି ଅନ୍ତର୍ଗତ ଠଣଠଣା ଓ ସୋଲଣା ଗ୍ରାମ ମଧ୍ୟବର୍ତ୍ତି ଅଞ୍ଚଳରେ ଥିବା ତେଇସିପୁର-ନଡାଖଣ୍ଡ ସଫେଇନାଳରୁ ପୁଲିସ ମମତାଙ୍କ ଗଳିତ ମୃତଦେହକୁ ଜବତ କରିଥିଲା। ମୃତଦେହ ନିକଟରେ ପଡିଥିବା ଯୁବତୀଙ୍କ ଏକ ବ୍ୟାଗ୍‍ରୁ ପୁଲିସ ମମତାଙ୍କ ଆଧାର କାର୍ଡଟି ପାଇବା ପରେ ତାଙ୍କ ଘର ଭୁବନେଶ୍ୱର ବରଗଡ ବ୍ରିଟ୍‍ କଲୋନୀ ଅଞ୍ଚଳରେ ହୋଇଥିବା ଜାଣିବାକୁ ପାଇଥିଲା। ପୁଲିସ ଠାରୁ ଖବର ପାଇ ମମତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ଗତ ୨୨ ତାରିଖ ଠାରୁ ମମତା ନିଜ ଘରୁ ନିଖୋଜ ଥିବା ଓ ତାକୁ ଜନୈକ ଯୁବକ ସିଲୁ ମଲ୍ଲିକ ଅନ୍ୟ କେତେକଙ୍କ ସହ ମିସି ହତ୍ୟା କରିଥିବା ସଂପର୍କରେ ମୃତାଙ୍କ ଭାଇ ଚନ୍ଦନ ଭୋଇଙ୍କ ଲିଖିତ ଅଭିଯୋଗ ଉପରେ ପୁଲିସ ସେହିଦିନ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଆଇଆଇସି ଶରତ କୁମାର ସାହୁ ନିଜେ ଘଟଣାର ତଦନ୍ତ ଭାର ନେଇଥିବା ବେଳେ ବିଭିନ୍ନ ସୂତ୍ରରୁ ଖବର ସଂଗ୍ରହ କରି ଅଭିଯୁକ୍ତ ଲକ୍ଷ୍ମଣକୁ ଧରିବାରେ ସଫଳ ହୋଇଥିଲେ। ତାକୁ ଜେରା କରିବା ସମୟରେ ସେ ବାଞ୍ଛା ଓରଫ ପ୍ରଭାକର ସହ ମିସି ମମତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ପୁଲିସ ଆଗରେ ସ୍ୱିକାର କରିଥିଲା। ଭୁବନେଶ୍ୱରର ଏକ ପ୍ଲାଏ ଦୋକାନରେ କାମ କରିବା ସମୟରେ ସେହି ଅଞ୍ଚଳର ମମତାଙ୍କ ସହ ତାର ସମ୍ପର୍କ ଗଢି ଉଠିଥିଲା। ସେ ମମତାଙ୍କୁ ନିଜର ଭୂଲ ନାମ ଓ ଠିକଣା ମଧ୍ୟ ଦେଇଥିଲା। ତେବେ ଉକ୍ତ ପ୍ଲାଏ ଦୋକାନରୁ ଚାକିରି ଛାଡିବା ପରେ ସେ ମମତାଙ୍କ ଠାରୁ ଦୂରେଇ ରହୁଥିଲା। ଇତି ମଧ୍ୟରେ ଲକ୍ଷ୍ମଣର ପ୍ରକୃତ ନାମ ଓ ଠିକଣା ସଂପର୍କରେ ଜାଣିବା ପରେ ମମତା ତାଙ୍କ ଘରକୁ ଏକାଧିକ ଥର ଆସିଥିଲେ। ଯାହାକୁ ନେଇ ଲକ୍ଷ୍ମଣ ଚିନ୍ତାରେ ପଡି ଯାଇଥିଲା ଓ ତାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଗତ ୨୨ ତାରିଖ ଦିନ ସେ ଫୋନ୍‍ କରି ମମତାଙ୍କୁ ମଙ୍ଗଳପୁର ଆସିବାକୁ କହିଥିଲା। ମମତା ମଙ୍ଗଳପୁର ଆସିବା ପରେ ସଂନ୍ଧ୍ୟାରେ ସେ ଏକ ସାଇକେଲ୍‍ ପଛରେ ମମତାଙ୍କୁ ଓ ସାଇକେଲ ଆଗରେ ବାଞ୍ଛାକୁ ବସାଇ ଏକ ଗ୍ରାମ ଦେଇ ଉକ୍ତ ନିକାଞ୍ଚନ ସ୍ଥାନକୁ ନେଇଥିଲା। ସେଠାକୁ କାହିଁକି ଆଣିଛ ବୋଲି ମମତା ପଚାରିବାରୁ ଆଗରେ ଗୋଟିଏ ଘରେ ଆମେ ଆଜି ରାତିଟା ରହିବା ଓ ସକାଳେ ପୁରୀ ଯାଇ ସେଠାରୁ କଲିକତା ପଳାଇବା ବୋଲି ସେ ତାଙ୍କୁ କହିଥିଲା। ସାଇକେଲ୍‍କୁ ଉକ୍ତ ସଫେଇ ବନ୍ଧରେ ରଖି ବନ୍ଧ ଉପରେ କିଛି ବାଟ ସେମାନେ ଚାଲି ଚାଲି ଯିବା ପରେ ବନ୍ଧ ଉପରେ ବସିଥିଲେ। ୬/୭ ମିନିଟ୍‍ ମମତାଙ୍କ ସହ ମଧୁର କଥା ହେବା ପରେ ହଠାତ୍‍ ଲକ୍ଷ୍ମଣ ତାଙ୍କୁ ପଛରୁ ମାଡି ବସିଥିଲା ଓ ଦୁଇ ହାତରେ ତାଙ୍କ ତଣ୍ଟିକୁ ଜୋର୍‍ରେ ଚିପି ଧରିଥିଲା। ତାଙ୍କ ଗୋଡକୁ ପଛ ପଟୁ ବାଞ୍ଛା ଭିଡି ଧରିଥିଲା। କିଛି ସମୟ ଛଟପଟ ହେବା ପରେ ଉଭୟ ଅଭିଯୁକ୍ତ ତାଙ୍କୁ ବନ୍ଧ ତଳକୁ ଗଡାଇ ଦେଇଥିଲେ। ସେ ମରି ଯାଇଥିବା ଜାଣିବା ପରେ ଉକ୍ତ ସଫେଇନାଳର ଦଳଭର୍ତ୍ତି ପାଣି ମଧ୍ୟରେ ସେମାନେ ମୃତଦେହକୁ ଲୁଚାଇ ଦେଇ ସେଠାରୁ ଫେରାର୍‍ ହୋଇଯାଇଥିଲେ। ଆଜି ପୂର୍ବାହ୍ନରେ ଘଟଣାସ୍ଥଳକୁ ଯାଇ କିପରି ଭାବେ ହତ୍ୟା କରିଥିଲା ସେ ସଂପର୍କରେ ଅଭିଯୁକ୍ତ ଲକ୍ଷ୍ମଣ ପୁଲିସକୁ ଟିକିନିଖି ଭାବେ ବର୍ଣ୍ଣନା କରିଥିଲା। ଘଟଣାସ୍ଥଳ ନିକଟ ଏକ ମୁଗ ବିଲରେ ଫୋପାଡିଥିବା ଦୁଇଟି ହାତ ଗ୍ଲୋବ୍‍ସକୁ ସେ ଆଣି ପୁଲିସକୁ ଦେଇଥିଲା। ପୁଲିସ ଉକ୍ତ ଗ୍ଲୋବ୍‍ସ ସମେତ ହତ୍ୟାକାଣ୍ଡରେ ବ୍ୟବହୃତ ସାଇକେଲ୍‍କୁ ଜବତ କରିବା ସହ ଅନ୍ୟ ଅଭିଯୁକ୍ତ ବାଞ୍ଛାକୁ ଗିରଫ କରିଥିଲା। ଅପରାହ୍ନରେ କଡା ସୁରକ୍ଷା ମଧ୍ୟରେ ପୁଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା।

Khansweb Solution Bhubaneswar

Leave A Reply

Your email address will not be published.