banner
Breaking

ପିପିଲି ନିର୍ବାଚନରେ ପୁଣି ଗଣ୍ଡଗୋଳ।

0

ଡେଲାଙ୍ଗ,୧୨।୪ : ପିପିଲି ଉପନିର୍ବାଚନ ପାଇଁ ରବିବାର ପ୍ରଚାର ଚାଲିଥିବାବେଳେ ପୁଣି ହିଂସାକାଣ୍ଡ ଘଟିଛି। ଡେଲାଙ୍ଗ ଥାନା ଅନ୍ତର୍ଗତ ଜେନାପୁର ପଞ୍ଚାୟତର ବ୍ରାହ୍ମଣବାଡ଼ ଗ୍ରାମରେ ବିଜେଡି ଓ ଭାଜପା କର୍ମୀଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ବିଜେଡି କର୍ମୀଙ୍କ ଆକ୍ରମଣରେ ୨ଜଣ ଭାଜପା କର୍ମୀ ଗୁରୁତର ଆହତ ହୋଇଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଆକ୍ରମଣକାରୀମାନଙ୍କୁ ତୁରନ୍ତ ଗିରଫ କରାଯିବା ଦାବିରେ ଭାଜପା କର୍ମୀମାନେ ଡେଲାଙ୍ଗ ହାଟବଜାରଠାରେ ରାସ୍ତା ଅବରୋଧ କରିଛନ୍ତି। ଅନ୍ୟପକ୍ଷରେ ବିଜେଡିର ୩ କର୍ମୀଙ୍କୁ ଭାଜପାକର୍ମୀ ମାଡ ମାରିଥିବା ଏବଂ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିବା ବିଜେଡି ପକ୍ଷରୁ ଅଭିଯୋଗ ଅଣାଯାଇଛି। କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେଡି କର୍ମୀମାନେ ପଟ୍ଟନାୟିକିଆ- ଡେଲାଙ୍ଗ ରାସ୍ତାର ରେଞ୍ଚଛକରେ ରାସ୍ତାରୋକୋ କରିଛନ୍ତି। ଉକ୍ତ ଦୁଇଟି ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାବେଳେ ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ସେଠାରେ ୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ୫ ଆହତଙ୍କୁ ପ୍ରଥମେ ଡେଲାଙ୍ଗ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ଭାଜପା କର୍ମୀ ମନୋରଞ୍ଜନ ବରାଳ ଓ ସାଗର ଦାସଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି।
ଅଭିଯୋଗ ଅନୁଯାୟୀ, ପୂର୍ବାହ୍ନ ୯ଟାରେ ଜେନାପୁର ପଞ୍ଚାୟତ ପାଇକସାହି ଗ୍ରାମର ଭାଜପା କର୍ମୀ ମନୋରଞ୍ଜନ ବରାଳ, ସାଗର ଦାସ, ଅଶ୍ୱିନୀ କୁମାର ସାହୁ ଓ ସତ୍ୟବାଦୀ ଚୌନି ଏକାଠି ଆଲୋଚନା କରୁଥିଲେ। ଏହି ସମୟରେ ବିଜେଡି କର୍ମୀ ତଥା ଉକ୍ତ ପଞ୍ଚାୟତର ସମିତି ସଭ୍ୟ ପ୍ରଭାତ ଜେନା ସେଠାରେ ପହଞ୍ଚି ସେମାନଙ୍କୁ ଧମକଚମକ ଦେଇଥିଲେ। ଏ ନେଇ ଭାଜପା ପକ୍ଷରୁ ପୂର୍ବାହ୍ନ ୧୦ଟାରେ ଡେଲାଙ୍ଗ ଥାନାରେ ଏତଲା ଦିଆଯାଇଥିଲା। ମାତ୍ର ପୋଲିସ କୌଣସି ପଦକ୍ଷେପ ନେଇ ନ ଥିଲା ବୋଲି ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ମୁଖପାତ୍ର ସୁରଥ ବିଶ୍ୱାଳ କହିଛନ୍ତି। ପରେ ଅପରାହ୍ନ ୩ଟାରେ ବ୍ରାହ୍ମଣବାଡ଼ ଗ୍ରାମରେ ଡୋର କ୍ୟାମ୍ପେନିଂ ବେଳେ ସମିତି ସଭ୍ୟ ପ୍ରଭାତ ଜେନା ଓ ସହଯୋଗୀମାନେ ମିଳିତ ଭାବେ ମନୋରଞ୍ଜନ, ସତ୍ୟବାଦୀ ଏବଂ ତାଙ୍କ ସହଯୋଗୀମାନଙ୍କୁ ଆକ୍ରମଣ କରିଥିଲେ। ଏହା ପ୍ରତିବାଦରେ ଆକ୍ରମଣକାରୀଙ୍କ ଗିରଫ ଦାବିରେ ଭାଜପା ନେତା ସୁରଥ ବିଶ୍ୱାଳ, ମାନସ ମହାନ୍ତି, ପ୍ରଭାତି ପରିଡା, ଗୋଲଖ ମହାପାତ୍ର, ଭୃଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ଶତାଧିକ କର୍ମୀ ହାଟବଜାରଠାରେ ରାସ୍ତାରୋକୋ କରିଥିଲେ। ଘଟଣାସ୍ଥଳରେ ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ, ତହସିଲଦାର ମହେନ୍ଦ୍ର କୁମାର ବଢେଇ, ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ପ୍ରମୁଖ ପହଞ୍ଚି ବୁଝାଶୁଝା କରିଥିଲେ। ତେବେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଭାଜପା ନେତାମାନେ କହିଥିଲେ। ସେହିପରି ବିଜେଡିର ୩କର୍ମୀ ପାଇକସାହି ଗ୍ରାମର ଅକ୍ଷୟ ମହାପାତ୍ର, ସାଦପଡ଼ା ଗ୍ରାମର ଗିରିଧାରୀ ଦାସ ଓ ଲକ୍ଷ୍ମୀଧର ମହାପାତ୍ର ବାଇକରେ ଡେଲାଙ୍ଗ ରାସ୍ତାରେ ଘରକୁ ଫେରୁଥିବାବେଳେ ବେରବୋଇ ଲେଭଲ କ୍ରସିଂଠାରେ ଭାଜପା ପତାକା ଲାଗିଥିବା ଏକ ବୋଲେରୋ ଗାଡ଼ିିରୁ ୩/୪ ଜଣ ବାହାରି ସେମାନଙ୍କୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଡେଲାଙ୍ଗ ମେଡିକାଲକୁ ପଠାଇଥିଲେ। ଜେନାପୁର ପଞ୍ଚାୟତରେ ବିଜେଡିର ମହିଳା ସମାବେଶରେ ଜଣେ ମହିଳାଙ୍କୁ ଭାଜପା କର୍ମୀମାନେ ଦୁର୍ବ୍ୟବହାର କରିଥିବା ଥାନାରେ ଅଭିଯୋଗ ହୋଇଛି। ବିଜେଡି ବ୍ଲକ ସଭାପତି ବୈରାଗୀ ଜେନାଙ୍କ ନେତୃତ୍ୱରେ ଶତାଧିକ କର୍ମୀ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଛକରେ ଧାରଣା ଦେଇଥିଲେ। ଅନ୍ୟପକ୍ଷରେ ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି ଭୁବନେଶ୍ୱରସ୍ଥିତ ଏମ୍ସକୁ ଯାଇ ଚିକିତ୍ସିତ ହେଉଥିବା କର୍ମୀ ଦ୍ୱୟଙ୍କୁ ଭେଟିଛନ୍ତି। ସୂଚନାଯୋଗ୍ୟ, ଗତ ୨ ତାରିଖରେ ପିପିଲି ଥାନା ଅଧୀନ ସହଜପୁର ପଞ୍ଚାୟତର ରାୟଗୁରୁପୁର ଗ୍ରାମରେ ପ୍ରାକ୍‌ ନିର୍ବାଚନୀ ହିଂସା ଘଟିଥିଲା। ପ୍ରଚାର ବେଳେ ଜଣେ ଭାଜପା କର୍ମୀଙ୍କୁ ବିଜେଡି ସମର୍ଥକ ମାଡ଼ ମାରିବା ସହ ବାଇକ୍‌ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। ସେହିପରି ବିଜେଡି ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.