banner
Breaking

ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଶ୍ରୀ ଆୱାର୍ଡସ୍‌ର ସପ୍ତମ ସଂସ୍କରଣ ଆୟୋଜିତ

0

ଭୁବନେଶ୍ୱର, : ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ପୁରୁଷମାନଙ୍କୁ ସମ୍ମାନୀତ କରିବାର ଚିରାଚରିତ ପରମ୍ପରାକୁ ନେଇ ପୁନଃଶ୍ଚ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ପିତୃତ୍ୱ ଦିବସ ଅବସରରେ ଶ୍ରୀ ଆୱାର୍ଡସ୍‌ର ସପ୍ତମ ସଂସ୍କରଣ ଆଜି ଭୁବନେଶ୍ୱର ସ୍ଥିତ ହୋଟେଲ୍ ମେଫେୟାର୍ କନ୍‌ଭେନ୍‌ସନ୍‌ଠାରେ ଆୟୋଜିତ ହୋଇଯାଇଛି । ସାରା ଓଡିଶା ରାଜ୍ୟରେ ଏହିପରି ସମାରୋହ ପ୍ରଥମ ଯେଉଁଠି ବାପାଙ୍କର ତ୍ୟାଗ ଆଉ ସେବାକୁ ମନେପକାଇବାକୁ ଯାଇ ପିତୃତ୍ୱ ଦିବସ ଅବସରରେ ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ପୁରୁଷମାନଙ୍କୁ ସମ୍ମାନୀତ କରାଯାଇଥାଏ ।

ଓଡ଼ିଶା ସରକାରଙ୍କ ମାନ୍ୟବର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ; ରାଜ୍ୟସଭାର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମୁନ୍ନା ଖାଁ, ସାଂସଦ ଶ୍ରୀଯୁକ୍ତ ଅମର ପଟ୍ଟନାୟକ ଓ ସାଂସଦ ଶ୍ରୀମତୀ ସୁଲତା ଦେଓ; ଭୁବନେଶ୍ୱର ମହାନଗରର ମାନ୍ୟବର ନଗରପାଳିକା ଶ୍ରୀମତୀ ସୁଲୋଚନା ଦାସ; ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକ; ମୋ ସ୍କୁଲ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସ ନାୟକ; ବିଜେଡ଼ି ଉପ ସଭାପତି ତଥା ପୂର୍ବତନ ସାଂସଦ ଡ଼ଃ ପ୍ରସନ୍ନ ପାଟ୍ଟଶାଣୀ; ଓଏସ୍‌ଏଚ୍‌ବିର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ଏବଂ ଭାରତୀୟ ମହିଳା ଅଧିକାର କର୍ମୀ ତଥା ପ୍ରସିଦ୍ଧ ଲେଖିକା ଶ୍ରୀମତୀ ମାନସୀ ପ୍ରଧାନ ପ୍ରମୁଖ ମାନ୍ୟଗଣ୍ୟ ଅତିଥିବୃନ୍ଦ ଏହି ପୁରସ୍କାର ବିତରଣ ସମାରୋହରେ ଉପସ୍ଥିତ ରହି କୃତୀ ବ୍ୟକ୍ତିଙ୍କୁ ପୁରସ୍କୃତ କରିଥିଲେ ।

ଚଳିତ ବର୍ଷ ନିମନ୍ତେ ଶ୍ରୀ ଆୱାର୍ଡ୍ସ୍‌ରେ ସମ୍ମାନୀତ ବ୍ୟକ୍ତିବିଶେଷ-

ଜୀବନ ବ୍ୟାପୀ ସାଧନା ପୁରସ୍କାର- ଶ୍ରୀଯୁକ୍ତ ପ୍ରଣବ ପଟ୍ଟନାୟକ ଏବଂ ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ
ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପୁରସ୍କାର- ଡ଼ଃ ଶୋଭନ କୁମାର ରଥ
କଳା ଓ ସଂସ୍କୃତି କ୍ଷେତ୍ରରେ ପୁରସ୍କାର- ଗୁରୁ ଶରତ ଦାସ ଏବଂ ଡ଼ଃ (ଇଂ) ଶ୍ରୀନିବାସ ଘାଟୁରି
ଏନ୍‌ଆର୍‌ଓ କ୍ଷେତ୍ରରେ ପୁରସ୍କାର- ଶ୍ରୀଯୁକ୍ତ ପ୍ରତାପ ଦାସ
ସମାଜସେବା କ୍ଷେତ୍ରରେ ପୁରସ୍କାର- ଶ୍ରୀଯୁକ୍ତ ଅଭୟ ମହାନ୍ତି
ଶିକ୍ଷା ଓ ଉଦ୍ୟମିତା କ୍ଷେତ୍ରରେ ପୁରସ୍କାର- ଶ୍ରୀଯୁକ୍ତ ଅନୀଲ ପ୍ରଧାନ
ବ୍ୟବସାୟ ନେତୃତ୍ୱ କ୍ଷେତ୍ରରେ ପୁରସ୍କାର- ଶ୍ରୀଯୁକ୍ତ ବ୍ରହ୍ମା ମିଶ୍ର
ସାମ୍ବାଦିକତା କ୍ଷେତ୍ରରେ ପୁରସ୍କାର- ଶ୍ରୀଯୁକ୍ତ ଦିଲ୍ଲୀପ ହାଲି
କ୍ରୀଡା କ୍ଷେତ୍ରରେ ପୁରସ୍କାର- ଶ୍ରୀଯୁକ୍ତ ଦିପ୍ ରଞ୍ଜନ ବିଶୋଇ
ମନୋରଞ୍ଜନ କ୍ଷେତ୍ରରେ ପୁରସ୍କାର- ଶ୍ରୀଯୁକ୍ତ କୁନା ତ୍ରିପାଠୀ
କର୍ପୋରେଟ୍ ଉତ୍କର୍ଷତା କ୍ଷେତ୍ରରେ ପୁରସ୍କାର- ଶ୍ରୀଯୁକ୍ତ ଆର୍ କେ ମହାପାତ୍ର
ସ୍ୱତନ୍ତ୍ର ପୁରସ୍କାର- ପ୍ରଫେସର ଶୀତିକଣ୍ଠ ମିଶ୍ର ଏବଂ ଶ୍ରୀଯୁକ୍ତ ରାଜୀବ ଶେଖର ସାହୁ
ସାହିତ୍ୟ କ୍ଷେତ୍ରରେ ପୁରସ୍କାର- ଡ଼ଃ ଫଣି ମହାନ୍ତି
ସ୍ଥପତି କ୍ଷେତ୍ରରେ ପୁରସ୍କାର- ଶ୍ରୀଯୁକ୍ତ ଗଜେନ୍ଦ୍ର କୁମାର ପାଢ଼ୀ
ଦୀର୍ଘସ୍ଥାୟୀ ଫ୍ୟାସନ୍ କ୍ଷେତ୍ରରେ ପୁରସ୍କାର- ଡ଼ଃ ବିନୟ ଭୂଷଣ ଜେନା
ବିଶେଷ ଉଲ୍ଲେଖ ପୁରସ୍କାର- ଶ୍ରୀଯୁକ୍ତ ସନ୍ତୋଷ ପଟ୍ଟନାୟକ ଏବଂ ଶ୍ରୀଯୁକ୍ତ ଦିଲ୍ଲୀପ ମହାକୁଡ଼

ଏହି ପ୍ରକାରର ଆୟୋଜନକୁ ନେଇ ନିଜର ଖୁସି ବ୍ୟକ୍ତ ସମୟରେ ପରିଚୟ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସଭାପତି ଶ୍ରୀମତୀ ରୋଜାଲିନ୍ ପାଟ୍ଟଶାଣୀ କହିଥିଲେ, “ଏହା ଓଡ଼ିଶାର ଏକ ଅନନ୍ୟ ପୁରସ୍କାର ବିତରଣ ମଂଚ ଯେଉଁଠି ପୁରୁଷମାନଙ୍କୁ ସମ୍ମାନୀତ କରାଯାଇଥାଏ । ପ୍ରତିବର୍ଷ ଦେଶର କୋଣ ଅନୁକୋଣରେ ଥିବା ବିଶିଷ୍ଟ ପ୍ରତିଭାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି ଯାହା ମୋ ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ସେମାନେ ସମସ୍ତେ ନିଜ ନିଜ ମଧ୍ୟରେ ପ୍ରେରଣାଦାୟୀ ଅଟନ୍ତି । ମୋ ଦଳର ସଦସ୍ୟମାନେ ଓ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ମୁଁ ଧନ୍ୟବାଦ ଅର୍ପଣ କରୁଛି ଯେଉଁମାନେ ମହିଳା ଓ ବାଳ ସଶକ୍ତିକରଣ ନିମନ୍ତେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ମୋର ଆଶା ଭବିଷ୍ୟତରେ ଆମେ ଆମର ଶୁଭଚିନ୍ତକଙ୍କ ଆଶାକୁ ପୂରଣ କରିବାରେ ସମର୍ଥ ହେବୁ ।”

ପରିଚୟ ଫାଉଣ୍ଡେସନ୍‌ର କାର୍ଯ୍ୟନିର୍ବାହୀ ଓ କମିଟିର ସଦସ୍ୟ, ଗତବର୍ଷ ସମ୍ମାନୀତ ଖ୍ୟାତିସମ୍ପନ୍ନ, ଲବ୍ଧ ପ୍ରତିଷ୍ଠିତ ତଥା ନିଜ ନିଜ କ୍ଷେତ୍ରରେ ସାମାଜିକ ପ୍ରଭାବ ପକାଇପାରିଥିଲେ ମଧ୍ୟ ଚର୍ଚ୍ଚାରୁ ଦୂରେଇ ରହିଥିବା ପ୍ରତିଭାମାନଙ୍କ ପରାମର୍ଶ କ୍ରମେ ଚଳିତ ବର୍ଷର କୃତୀ ବ୍ୟକ୍ତିମାନଙ୍କର ନାମ ସ୍ଥିର କରାଯାଇଥିଲା ।

ପ୍ରସିଦ୍ଧ ଏବଂ ଖ୍ୟାତିସମ୍ପନ୍ନ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଶ୍ରୀଯୁକ୍ତ ଶାଶ୍ୱତ ଯୋଶୀ ଏବଂ ଦଳଙ୍କ ଦ୍ୱାରା ପରିବେଷିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ପୁରସ୍କାର ବିତରଣ ସମାରୋହରେ ଉପସ୍ଥିତ ଦର୍ଶକମାନଙ୍କ ମଧ୍ୟରେ ଏକ ଉନ୍ମାଦନା ଭରା ପରିବେଷ ସୃଷ୍ଟି କରିଥିଲା ।

ଗତ ଦଶନ୍ଧି ହେଲା ପରିଚୟ ଫାଉଣ୍ଡେସନ୍ ଭାରତୀୟ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ସହିତ ଓଡିଶା ଓ ନୂଆଦିଲ୍ଲୀରେ ଥିବା ସହରୀ ବସ୍ତିମାନଙ୍କରେ ମହିଳା ଓ ଶିଶୁମାନଙ୍କର ଆର୍ଥିକ ଓ ସାମାଜିକ ପ୍ରଗତି ନିମନ୍ତେ କାର୍ଯ୍ୟ କରିଆସୁଛି । ନିଜର ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ରାଷ୍ଟ୍ରପତି ପୁରସ୍କାର ପ୍ରପ୍ତ ଓ ମିଳିତ ଜାତିସଂଘ ଦ୍ୱାରା ଆଦୃତ ଲାଭ କରିଥିବା ପରିଚୟ ଫାଉଣ୍ଡେସନ ୨୦୧୬ ମସିହାରୁ ଏହି ଶ୍ରୀ ପୁରସ୍କାର ପ୍ରଦାନ କରିଆସୁଅଛି । ୨୦୧୨ ମସିହାରୁ ବିଶ୍ୱ ମାତୃତ୍ୱ ଦିବସ ଅବସରରେ ବିଭିନ୍ନ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ପରିଚୟ ଫାଉଣ୍ଡେସନ ପକ୍ଷରୁ ଆରୟା ପୁରସ୍କାର ପ୍ରଦାନ କରାଯାଉଅଛି ।

Khansweb Solution Bhubaneswar

Leave A Reply

Your email address will not be published.