banner
Breaking

ଆସନ୍ତାକାଲି ଠାରୁ ପ୍ରବଳ ବର୍ଷା ଓ ପବନ ବହିବ।

0

ଭୁବନେଶ୍ବର,୨୩/୪(ଓଡ଼ିଆ ନ୍ୟୁଜ) : ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷାର ସମ୍ଭାବନା ଥିବାବେଳେ ୨୪ରୁ ୨୬ ପର୍ଯ୍ୟନ୍ତ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାତିରୁ ସାମାନ୍ୟ ନିସ୍ତାର ମିଳିଛି। ପୂର୍ବ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଝାଡ଼ଖଣ୍ଡରୁ ଓଡ଼ିଶା ଦେଇ ତାମିଲନାଡ଼ୁ ପର୍ଯ୍ୟନ୍ତ ଥିବା ଟ୍ରଫଲାଇନ ଏବଂ ବାୟୁ ପ୍ରବାହରେ ବ୍ୟତିକ୍ରମ ଯୋଗୁଁ ଆଗାମୀ ୫ଦିନ ପାଗରେ ପରିବର୍ତ୍ତନ ଘଟିବ। ଏହି ସମୟରେ ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିଝଡ଼ ସହିତ ବଜ୍ରପାତ ଓ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ବୁଧବାର କେବଳ ମାଲକାନଗରିକୁ ଛାଡ଼ିଦେଲେ ରାଜ୍ୟର ସବୁ ସ୍ଥାନରେ ତାପମାତ୍ରା ୪୦ଡ଼ିଗ୍ରୀ ତଳେ ରହିଛି। ଆଜି ମାଲକାନଗିରିର ତାପମାତ୍ରା ୪୧ଡ଼ିଗ୍ରୀ ସେଲସିୟସ ଥିବା ରେକର୍ଡ଼ କରାଯାଇଛି।
ଅନ୍ୟପକ୍ଷରେ ଗତ ୨୪ଘଣ୍ଟାରେ ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ଫୁଲବାଣୀରେ ୬୩ ଓ ଚାନ୍ଦବାଲିରେ ୬୧ ମିମି ବର୍ଷା ରେକର୍ଡ଼ କରାଯାଇଛି। ସେହିପରି କଟକ, ବାରିପଦା, କେନ୍ଦୁଝର, ଭବାନିପାଟଣା, ଦାରିଙ୍ଗବାଡ଼ି ଓ ଅନ୍ୟାନ୍ୟ ଅଞ୍ଚଳରେ ଝଡ଼ବର୍ଷା ହୋଇଛି।
ଆସନ୍ତାକାଲି ଉପକୂଳ ସମେତ ଉତ୍ତର ଉପକୂଳ ବଲାଙ୍ଗୀର, ସୋନପୁର, ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ ଓ କନ୍ଧମାଳରେ ଘଡ଼ଘଡ଼ି ସହିତ ବର୍ଷା ହେବ। ୨୪ରେ ଦେବଗଡ଼, ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କଟକରେ ୪୦ରୁ ୫୦କିମି ବେଗରେ ପବନ ବହିବ। ଏହି ସମୟରେ ବଜ୍ରପାତ ସହିତ କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ୨୫ ଓ ୨୬ ତାରିଖରେ ପ୍ରାୟ ୧୦ଟି ଜିଲାରେ କାଳବୈଶାଖୀ ସହିତ କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ସମୟରେ ୫୦କିମିରୁ ଅଧିକ ବେଗରେ ପବନ ବହିବା ସହିତ ବଜ୍ରପାତର ଆଶଙ୍କା ରହିଛି। ସେଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ନାହିଁ। ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ଡ଼ିଗ୍ରୀ କମ ରହିବ ବୋଲି ସୂଚନା ମିଳିଛି।
ଘୂର୍ଣ୍ଣିବଳୟ ଯୋଗୁଁ ୨୬ତାରିଖ ପର୍ଯ୍ୟନ୍ତ ଅଧିକାଂଶ ଜିଲାରେ ବର୍ଷା ଓ କରକାପାତ ସମ୍ଭାବନା ଥିବାରୁ ଫସଲର ସୁପରିଚାଳନା ପାଇଁ ଓୟୁଏଟି ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଫସଲ ପରିଚାଳନା ପାଇଁ କୃଷକମାନଙ୍କୁ ‌ପରାମର୍ଶ ଦିଆଯାଇଛି। ଅଧିକ ବର୍ଷା ହେଲେ ବିଲରେ ଥିବା ଧାନ, ଡାଲି ଜାତୀୟ ଓ ତୈଳବୀଜ ଫସଲ, ପନିପରିବା ଥିବା ଜମିରୁ ଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.