banner
Breaking

୪୨° ଉପରେ ୬ ସହର।

0

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ ହ୍ରାସ ପାଇଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶା ଉତ୍ତପ୍ତ ରହିଛି। ୬ ସହରରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିବା ବେଳେ ୧୫ ସହରରେ ୪୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧରେ ସର୍ବାଧିକ ୪୩.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୨.୩, ଅନୁଗୋଳ ୪୨.୧, ସୁନ୍ଦରଗଡ଼ ୪୧.୫, ହୀରାକୁଦ ୪୨, ତାଳଚେର ୪୧.୭, ଭବାନୀପାଟଣା ୪୧.୫, ବଲାଙ୍ଗୀର ୪୨.୫, ଫୁଲବାଣୀ ୪୦, ଟିଟିଲାଗଡ଼ ୪୨, ମାଲକାନଗିରି ୪୦.୫, ସୋନପୁର ୪୧, ନୟାଗଡ଼ ୪୧, ପାରଳାଖେମୁଣ୍ଡି ୪୦, କଟକ ୩୯.୮, ଭୁବନେଶ୍ୱର ୩୯.୫ ଏବଂ ରାୟଗଡ଼ାରେ ସର୍ବୋଚ୍ଚ ତାପମାତ୍ରା ୩୮.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଉତ୍ତର ପଶ୍ଚିମ ଦିଗରୁ ବାୟୁ ପ୍ରବାହ ହେଉଥିବାରୁ ରାଜ୍ୟରେ ତାତି ବୃଦ୍ଧିପାଇଛି। ସେହିପରି ବାୟୁ ମଣ୍ଡଳରେ ଆର୍ଦ୍ରତା ପରିମାଣ ୫୦ ପ୍ରତିଶତରୁ ୮୦ ପ୍ରତିଶତ ମଧ୍ୟରେ ରହୁଥିବାରୁ ଉପକୂଳ ଓଡ଼ିଶାରେ ତାତି ସାଙ୍ଗକୁ ଗୁଳୁଗୁଳି ମଧ୍ୟ ବଢ଼ିଯାଇଛି। ତେବେ ଗୁରୁବାର ଠାରୁ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ, ନବରଙ୍ଗପୁର, ଗଜପତି, କନ୍ଧମାଳ, ରାୟଗଡ଼ା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୩୦ ତାରିଖରେ ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଗଜପତି, ମାଲକାନଗିରି ଏବଂ କୋରାପୁଟ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଘଣ୍ଟା ପ୍ରତି ୩୦ରୁ ୪୦ କି.ମି. ବେଗରେ ପବନ ବହିବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ମେ’ ୧ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ୨ ତାରିଖରେ ରାୟଗଡ଼ା, କୋରାପୁଟ, ଗଜପତି, କନ୍ଧମାଳ, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ୩ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲାର କେତେକ ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.