banner
Breaking

ଆସନ୍ତା ୨୯ ଯାଏ ଗ୍ରୀଷ୍ମ ପ୍ରକୋପ ଜାରି ରହିବ।

0

ଭୁବନେଶ୍ୱର,୨୭।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରିରହିଛି। ପ୍ରଚଣ୍ଡ ଗ୍ରୀଷ୍ମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। କିଛିଦିନ ହେବ ପ୍ରବଳ ଖରା ଯୋଗୁ ରାଜ୍ୟରେ ଉତ୍ତପ୍ତ ପରିବେଶ ସୃଷ୍ଟି ହୋଇଛି। ପାରଦ ଉପରମୁହଁ ହୋଇ ୪୩ ଡିଗ୍ରୀ ସେଲ୍‌ସିୟସକୁ ଛୁଇଁଛି। ସୋମବାର ୧୭ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧରେ ସର୍ବାଧିକ ୪୩ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ୪୨.୫, ବଲାଙ୍ଗୀର ୪୨.୨, ଅନୁଗୋଳ ୪୨.୧, ଟିଟିଲାଗଡ଼ ୪୨, ନୟାଗଡ଼ ୪୨, ବାଲେଶ୍ୱର ୪୦.୧, କଟକ ୪୦.୨, ବାରିପଦା ୪୧.୨, ଝାରସୁଗୁଡା ୪୧.୪, ସମ୍ବଲପୁର ୪୧.୨, ସୁନ୍ଦରଗଡ଼ ୪୧.୫, ହୀରାକୁଦ ୪୦.୯, ତାଳଚେର ୪୧.୬, ଭବାନୀପାଟଣା ୪୧, ଫୁଲବାଣୀ ୪୦, ସୋନପୁର ୪୧ ଏବଂ ଚାନ୍ଦବାଲିରେ ସର୍ବୋଚ୍ଚ ତାପମାତ୍ରା ୩୯.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଉତ୍ତର ପଶ୍ଚିମ ଦିଗରୁ ବାୟୁ ପ୍ରବାହ ହେଉଥିବାରୁ ରାଜ୍ୟରେ ତାତି ବୃଦ୍ଧି ପାଇଛି। ସେହିପରି ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ୫୦ ପ୍ରତିଶତରୁ ୮୦ ପ୍ରତିଶତ ମଧ୍ୟରେ ରହୁଥିବାରୁ ଉପକୂଳ ଓଡ଼ିଶାରେ ତାତି ସାଙ୍ଗକୁ ଗୁଳୁଗୁଳି ମଧ୍ୟ ବଢି ଯାଇଛି।
ଆସନ୍ତା ୨୯ ତାରିଖ ଯାଏ ଗ୍ରୀଷ୍ମର ପ୍ରକୋପ ଜାରି ରହିବ। ଖୋର୍ଦ୍ଧା, କଟକ, ଢେଙ୍କାନାଳ, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏହି ସମୟରେ ବାହାରକୁ ଯିବା ବେଳେ ସତର୍କ ରହିବାକୁ କୁହାଯାଇଛି। ୨୯ରୁ ପାଗରେ ପରିବର୍ତ୍ତନ ହେବ। ୨୯ରେ ଦେବଗଡ, କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇପାରେ। ସେହିପରି ୩୦ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ବୌଦ୍ଧ, ଅନୁଗୋଳ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ ଢେଙ୍କାନାଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.