banner
Breaking

ଏବର୍ଷ ସ୍ବଭାବିକ ବର୍ଷା ହେବ।

0

ଭୁବନେଶ୍ୱର, ୧୪ା୪: ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ସ୍ବାଭାବିକ ରହିବ। ପ୍ରଶାନ୍ତ ମହାସାଗରରେ ଏଲ-ନିନ୍ୟୋର ପ୍ରଭାବ ନାହିଁ। ପାଗ ଅନୁକୂଳ ରହିବ। ଓଡ଼ିଶା ସମେତ ସମଗ୍ର ଦେଶରେ ଭଲ ବର୍ଷା ହେବ। ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ଏଭଳି ଆକଳନ କରିଛି। ଏହି ସଂସ୍ଥା କହିଛି ଯେ, ଜୁନ୍‌ରେ ଦୀର୍ଘ ସମୟ ହାରାହାରି ଅବଧି(ଏଲ୍‌ପିଏ) ୧୦୬ ପ୍ରତିଶତ ବର୍ଷା ହେବ। ଜୁଲାଇରେ ୯୭% ଏବଂ ଅଗଷ୍ଟ ଓ ସେପ୍ଟେମ୍ବରରେ ଯଥାକ୍ରମେ ୯୯ ଏବଂ ୧୧୬ ପ୍ରତିଶତରୁ ଅଧିକ ବର୍ଷା ହୋଇପାରେ। ଗତ ଦୁଇ ବର୍ଷ ଭଳି ୨୦୨୧ରେ ମଧ୍ୟ ମୌସୁମୀ ସ୍ବାଭାବିକ ରହିବ ବୋଲି ସ୍କାଏମେଟ୍‌ର ଅଧ୍ୟକ୍ଷ ଜି.ପି. ଶର୍ମା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।
ଉତ୍ତର ଭାରତର ପାହାଡ଼ିଆ ଅଞ୍ଚଳ ପାଇଁ ନିଅଣ୍ଟିଆ ବର୍ଷା ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ କର୍ନାଟକ ଭଳି ରାଜ୍ୟରେ ଜୁଲାଇ ଓ ଅଗଷ୍ଟରେ ନିଅଣ୍ଟିଆ ବର୍ଷା ହେବ ବୋଲି ଘରୋଇ ପାଣିପାଗ ସଂସ୍ଥା ଅନୁମାନ କରିଛି। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରଶାନ୍ତ ମହାସାଗରରେ ଲା-ନିନା ରହିବ। ଏହାଦ୍ୱାରା ସମୁଦ୍ରର ଉପରିଭାଗ ଜଳ ଶୀତଳ ରହିବ। ଭାରତୀୟ ଉପମହାଦେଶ ଜଳବାୟୁ ଉପରେ ଏହାର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି। ଫଳରେ ଏହା ମୌସୁମୀକୁ ଅଧିକ ସକ୍ରିୟ କରିବାରେ ସାହାଯ୍ୟ କରିବ ବୋଲି ସ୍କାଏମେଟ୍‌ ସିଇଓ ଯୋଗେଶ ପାଟିଲ କହିଛନ୍ତି।
ଜୁନ୍‌-ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ବର୍ଷାର ୭୫ ପ୍ରତିଶତ ଦକ୍ଷିଣ ପଶ୍ଚିମ ମୌସୁମୀ ଯୋଗୁ ହୋଇଥାଏ। ଚଳିତ ବର୍ଷ ଏଥିଜନିତ ଭଲ ବର୍ଷା ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ୧୦୩ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ୯୬ରୁ ୧୦୪% ମଧ୍ୟରେ ହେଉଥିବା ବର୍ଷାକୁ ସ୍ବାଭାବିକ ବର୍ଷା କୁହାଯାଇଥାଏ। ଚଳିତବର୍ଷ ବର୍ଷା ୬୦ ପ୍ରତିଶତ ସ୍ବାଭାବିକ ଓ ୧୫ ପ୍ରତିଶତ ସ୍ବାଭାବିକଠାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଗତବର୍ଷ ମଧ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ନିରାଶ କରି ନ ଥିଲା। ଗତବର୍ଷ ମୌସୁମୀ ୧୦ /୧୨ ଦିନ ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିଥିଲା। ଜୁଲାଇରେ ମୌସୁମୀବେଳେ ପାଗ ଶୁଖିଲା ପଡ଼ିଥିଲେ ମଧ୍ୟ ଅଗଷ୍ଟରୁ ଅକ୍ଟୋବର ତୃତୀୟ ସପ୍ତାହ ଯାଏ ଲଗାତର ଲଘୁଚାପ ଜନିତ ବର୍ଷା ଯୋଗୁ ବର୍ଷା ଅଭାବ ଭରଣା ହୋଇଥିଲା। ଜୁନ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୧୨୫୦ ମିଲିମିଟର ବର୍ଷା ହେବାକୁ ଥିବା ବେଳେ ୧୩୦୨ ମିଲିମିଟର ହୋଇଥିଲା। ମାଲକାନଗିରି ଓ ଝାରସୁଗୁଡ଼ା ଜିଲାରେ ଅଧିକ ବର୍ଷା ରେକର୍ଡ କରାଯାଇଥିଲା। ଜୁନ ପହିଲାରୁ ଅକ୍ଟୋବର ୨୭ ମଧ୍ୟରେ ରାଜ୍ୟରେ ୧୦ଟି ଲଘୁଚାପ ସୃଷ୍ଟି ହୋଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ ୧୧ରେ ରାଜ୍ୟକୁ ପ୍ରବେଶ କରିଥିଲା। ଜୁନ୍‌ରେ ସାଧାରଣ ବୃଷ୍ଟିପାତଠାରୁ ୯.୩ ପ୍ରତିଶତ ଅଧିକ ବର୍ଷା ହୋଇଥିବାବେଳେ ଜୁଲାଇରେ ୩୪.୯ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ଫଳରେ ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିଲା। ତେବେ ଅଗଷ୍ଟରେ ୪୫.୨ ପ୍ରତିଶତରୁ ଅଧିକ ବର୍ଷା ହୋଇଥିଲା। ଯେଉଁ ଜିଲାଗୁଡ଼ିକରେ ଜୁଲାଇରେ ନିଅଣ୍ଟିଆ ବର୍ଷା ହୋଇଥିଲା ତାହା ଅଗଷ୍ଟରେ ଭରଣା ହୋଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.