ଭୁବନେଶ୍ୱର,୯/୪(ଓଡ଼ିଆ ନ୍ୟୁଜ): ଆସନ୍ତା ୪ଦିନ ପର୍ୟ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଅନୁଭୂତ ହେବ। ପ୍ରାୟ ଜିଲାରେ ବିଜୁଳି ଘଡଘଡି, କୁଆପଥର ଏବଂ ବର୍ଷାର ସମ୍ଭାବନା ରହିଛି। କେତେକ ଜିଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ। ଏହାକୁ ଲକ୍ଷ୍ୟ କରି ୪ଦିନ ପାଇଁ ପ୍ରାୟ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ପାଣିପାଗ ବିଭାଗ ଆକଳନ ଅନୁସାରେ ଶୁକ୍ରବାର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, କନ୍ଧମାଳ, ଗଜପତି, ଗଞ୍ଜାମ, ଢେଙ୍କାନାଳ ଏବଂ ରାୟଗଡା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡା ଏବଂ କେନ୍ଦ୍ରାପଡା ଜିଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଉପରୋକ୍ତ ଜିଲାରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ। କୁଆପଥର ପଡିବ।
ଗତକାଲି କାଳବୈଶାଖୀ ଜନିତ ବର୍ଷା ଯୋଗୁଁ କେନ୍ଦୁଝରରେ ସର୍ବାଧିକ ୧୧ମିମି, ସୁନ୍ଦରଗଡରେ ୧ ମିମି ଏବଂ ଦାରିଙ୍ଗବାଡିରେ ୨ମିମି ବର୍ଷା ହୋଇଛି। ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୫ ଦିନ ପର୍ୟ୍ୟନ୍ତ ରାଜ୍ୟରେ ସର୍ବାଧିକ ତାପମାତ୍ରା ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି, କାଳବୈଶାଖୀ ଅନୁଭୂତ ହେଲେ ପଶ୍ଚିମ ଓଡ଼ିଶାରେ ସାମାନ୍ୟ ତାପମାତ୍ରା ହ୍ରାସ ପାଇପାରେ। ଯେଉଁ ଜିଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ସେଠାରେ ଅଧିକ କୁଆପଥର ମାଡ ହେବ। କାଳବୈଶାଖୀକୁ ଲକ୍ଷ୍ୟ କରି ସତର୍କ ରହିବା ପାଇଁ ଏସ୍ଆରସି ସମସ୍ତ ଜିଲାପାଳ ଏବଂ ମ୍ୟୁନିସିପାଲିଟି କମିସନକୁ ପରାମର୍ଶ ଦେଇଛନ୍ତି।




