banner
Breaking

ଓମିକ୍ରନ୍ ପାଇଁ ଆମକୁ ସତର୍କ ରହିବାକୁ ପଡିବ

0

ଭୁବନେଶ୍ୱର, ୧୮।୧(ବ୍ୟୁରୋ): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଅଧିକ ସଂକ୍ରାମକ। କିନ୍ତୁ ଫୁସ୍‌ଫୁସ୍‌ରେ ପହଞ୍ଚିବା ବେଳକୁ ଏହି ଭୂତାଣୁ ଦୁର୍ବଳ ହୋଇଯାଉଛି। ଫଳରେ ଏହା ସାଧାରଣ ମଣିଷର କିଛି କ୍ଷତି କରିପାରୁନି। କିନ୍ତୁ ଯିଏ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ, ସେମାନଙ୍କୁ ଓମିକ୍ରନ୍‌ କ୍ଷତି ଘଟାଇବ। ତେଣୁ ଏଥିପାଇଁ ଆମକୁ ସତର୍କ ରହିବା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. କ୍ଷୀରୋଦ ରାଉତ ପରାମର୍ଶ ଦେଇଛନ୍ତି। ସୋମବାର ରାଜ୍ୟ ସରକାରଙ୍କ
ପକ୍ଷରୁ ଆୟୋଜିତ କୋଭିଡ୍‌ ସଚେତନତା କାର୍ଯ୍ୟକ୍ରମରେ ଡା. ରାଉତ ଉପସ୍ଥିତ ରହି ଲୋକଙ୍କ ମନରେ ଓମିକ୍ରନ୍‌କୁ ନେଇ ରହିଥିବା ଦ୍ୱନ୍ଦ୍ୱକୁ ଏପରି ତଥ୍ୟଭିତ୍ତିକ ମତ ଦେଇ ଦୂର କରିଛନ୍ତି। ସେ କହିଛନ୍ତି ଯେ, ଡେଲ୍‌ଟା ତୁଳନାରେ ଓମିକ୍ରନ୍‌ରେ କ୍ଷତି ପରିମାଣ କମ୍‌ ହୋଇପାରେ। ଯେଉଁମାନେ ଟିକା ନେଉଛନ୍ତି, ତାଙ୍କ ଉପରେ ଓମିକ୍ରନ୍‌ ପ୍ରଭାବ କମ୍‌ ପଡୁଛି। ଓମିକ୍ରନ୍‌ ଭାରିଆଣ୍ଟ ଶୀଘ୍ର ବ୍ୟାପୁଥିବାରୁ ଶୀଘ୍ର ଦୁର୍ବଳ ହେଉଛି। ମାର୍ଚ୍ଚ ଶେଷ ବେଳକୁ ଓମିକ୍ରନ୍‌ ସଂକ୍ରମଣ ତଳମୁହଁା ହେବ ବୋଲି ଆଶା କରାଯାଉଛି। ଆହୁରି ମଧ୍ୟ ସେ କହିଛନ୍ତି, ଓମିକ୍ରନ୍‌ ହେଉଛି ଏକ କ୍ଷୁଦ୍ର ଭୂତାଣୁ, ଯାହା ବଡ଼ ଆକାରରେ ମାଡୁଛି। ଡେଲ୍‌ଟା ହେଉ କି ଗାମା, କୌଣସି ଭୂତାଣୁ ଏଯାଏ ଶେଷ ହୋଇନି। ଡେଲ୍‌ଟା ସ୍ଥାନ ଧୀରେ ଧୀରେ ଓମିକ୍ରନ ନେଉଛି। ଡେଲଟା ଭୟାବହତା ଆମେ ସମସ୍ତେ ଜାଣିଛୁ, ଡେଲ୍‌ଟା ଏବେ ବି ଅଛି ଏହାକୁ ଆମେ ଭୁଲିବା ନାହିଁ। ଓମିକ୍ରନ୍‌ ଯୋଗୁ ହର୍ଡ ଇମ୍ୟୁନିଟି ବଢୁଛି ବୋଲି ଲୋକେ କହୁଛନ୍ତି। କିନ୍ତୁ ତା’ବୋଲି ନୁହେଁ ଯେ ଆମେ ରୋଗକୁ ଆମନ୍ତ୍ରଣ କରିବା। ଆଉ ନିୟମ ନ ମାନି ବୁଲିବା। ଆମେ ଜାଣିନୁ ଆମକୁ ଡେଲ୍‌ଟା ହେଉଛି କି ଓମିକ୍ରନ। ତେଣୁ ଆମକୁ ପ୍ରିକଶନ ନେବାକୁ ହେବ। ଆଉ ରୋଗକୁ ରୋକିବାକୁ ହେବ ବୋଲି ଡା. ରାଉତ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.