banner
Breaking

ଡିଜେଲ ଦର ୧୦୦ ପାର

0

ଭୁବନେଶ୍ୱର,୪।୪: କ୍ରମାଗତ ଦ୍ୱିତୀୟ ଦିନ ଲାଗି ତୈଳଦର ଉଚ୍ଚ ପରିମାଣରେ ବୃଦ୍ଧି ପାଇଛି। ଏପରିକି ଗତ ୧୩ଦିନ ମଧ୍ୟରେ ୧୧ଥର ତୈଳ ଦରରେ ପରିବର୍ତ୍ତନ ଘଟିଲାଣି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ପେଟ୍ରୋଲ ୮୬ ପଇସା ଏବଂ ଡିଜେଲ ୮୫ ପଇସା ବୃଦ୍ଧି ଘଟିଛି। ଏହି ଦର ବୃଦ୍ଧି ଫଳରେ ଏଠାରେ ପେଟ୍ରୋଲ ଲିଟର ପିଛା ୧୧୦.୩୬ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୧୦୦.୧୨ ଟଙ୍କାରେ କାରବାର ହେଉଛି। ୫ ମାସ ପରେ ପୁଣି ଥରେ ଡିଜେଲ ମୂଲ୍ୟ ୧୦୦ ଟପିଛି। ଶେଷ ଥର ପାଇଁ ନଭେମ୍ବର ୨ରେ ଡିଜେଲ ମୂଲ୍ୟ ୧୦୭.୩୫ ଟଙ୍କାରେ ରହିଥିଲା। ସେହିପରି ୧୧ଥର ତୈଳ ଦର ବୃଦ୍ଧି ମଧ୍ୟରେ ପେଟ୍ରୋଲ ୮.୫୫ ଟଙ୍କା ଏବଂ ଡିଜେଲ ୮.୪୫ ଟଙ୍କା ବଢ଼ିସାରିଥିବା ଜଣାପଡିଛି। ଅପରପକ୍ଷରେ ନୂଆଦିଲ୍ଲୀରେ ମଧ୍ୟ ଉଭୟ ପଟ୍ରୋଲ ଓ ଡିଜେଲ ଉପରେ ୮୦ ପଇସା ଲେଖାଏ ବଢ଼ିଛି। ଫଳରେ ସେଠାରେ ପେଟ୍ରୋଲ ଲିଟର ପିଛା ୧୦୩.୪୧ ଟଙ୍କା ଏବଂ ଡିଜେଲ ୯୪.୬୭ ଟଙ୍କାରେ ପହଞ୍ଚତ୍ଛି।

ବିଶେଷକରି ଉପରୋକ୍ତ ସମୟ ମଧ୍ୟରେ ନୂଆଦିଲ୍ଲୀରେ ମଧ୍ୟ ଉଭୟ ପଟ୍ରୋଲ ଓ ଡିଜେଲ ଉପରେ ମୋଟ ୮ ଟଙ୍କା ମୂଲ୍ୟ ବୃଦ୍ଧି ଘଟିଛି। ସେହିଭଳି ଦେଶର ପ୍ରମୁଖ ମହାନଗର ମୁମ୍ବାଇ, କୋଲକାତା ଓ ଚେନ୍ନାଇ ଭଳି ସହରରେ ପେଟ୍ରୋଲ ଲିଟର ପିଛା ଯଥାକ୍ରମେ ୧୧୮.୪୧ ଟଙ୍କା, ୧୧୩.୦୩ ଟଙ୍କା ଏବଂ ୧୦୮.୯୬ ଟଙ୍କାରେ ବିକ୍ରି ହେଉଛି। ସେହିପରି ଉପରୋକ୍ତ ମହାନଗରଗୁଡ଼ିକରେ ଡିଜେଲ ମୂଲ୍ୟ ଲିଟର ପିଛା ୧୦୨.୬୪ ଟଙ୍କା, ୯୭.୮୨ଟଙ୍କା ଏବଂ ୯୯.୦୪ ଟଙ୍କାରେ ପହଞ୍ଚତ୍ଛି।
କୋଭିଡ ପରଠାରୁ ସାରା ଦେଶବାସୀ ବିଭିନ୍ନ ସମସ୍ୟା ଓ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଏଭଳି ସମୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଖାଉଟିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କାରଣ ଖାଉଟି ତୈଳ ପାଇଁ ଅତିରିକ୍ତ ବଜେଟ ବ୍ୟୟବରାଦ କରୁଥିବା ବେଳେ ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁ ପରିବା ହାଟରୁ ପରିବହନ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦର ପରିବର୍ତ୍ତନ ଓ ଅତ୍ୟାବଶ୍ୟକ ସାମଗ୍ରୀ ଉଚ୍ଚା ଦର ଖାଉଟି ପକେଟକୁ ଅଧିକ ପ୍ରଭାବିତ କରୁଛି ବୋଲି ଉଭୟ ଖାଉଟି ଓ ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ସେହିଭଳି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ବିଶେଷକରି ଭାରତ ବଜାର ଉପରେ ପ୍ରଭାବ ପକାଉଛି।

Khansweb Solution Bhubaneswar

Leave A Reply

Your email address will not be published.