banner
Breaking

ବଳକା ଟିକା ବ୍ୟବହାର କରିବାକୁ କେନ୍ଦ୍ରକୁ ଚିଠି।

0

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ଭୁବନେଶ୍ୱରରେ କୋଭାକ୍ସିନ ଦିଆଯାଉଥିବା ବେଳେ ଅନ୍ୟସବୁଠି କୋଭିଶିଲ୍ଡ ବ୍ୟବହାର ହେଉଛି। ଏବେ ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷର ହିତାଧିକାରୀଙ୍କ ପାଇଁ ଆବଶ୍ୟକ ଟିକା ମହଜୁଦ ନ ଥିବାରୁ ଟିକାକରଣ ବାଧାପ୍ରାପ୍ତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ଆଶଙ୍କା କରିଛି। ତେଣୁ ସମ୍ମୁଖ ଯୋଦ୍ଧା ଓ ୪୫ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କୁ ଦିଆଯିବା ପରେ ବଳକା କୋଭାକ୍ସିନ ଟିକା ଏଥିପାଇଁ ବ୍ୟବହାର କରିବାକୁ କେନ୍ଦ୍ରର ଅନୁମତି ଲୋଡ଼ିଛି ରାଜ୍ୟ। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି।
ସୂଚନାନୁସାରେ, ଭୁବନେଶ୍ୱରରେ ସମ୍ମୁଖ ଯୋଦ୍ଧା ଓ ୪୫ବର୍ଷରୁ ଊର୍ଦ୍ଧ୍ୱ ବୟସର ହିତାଧିକାରୀଙ୍କୁ ଦୁଇଥର ଟିକାକରଣ ପାଇଁ ୭,୯୨,୭୩୦ ଡୋଜ୍‌ କୋଭାକ୍ସିନ ଆବଶ୍ୟକ। ଇତିମଧ୍ୟରେ କେନ୍ଦ୍ର ରାଜ୍ୟକୁ ୯,୮୬,୭୮୦ ଡୋଜ୍‌ କୋଭାକ୍ସିନ ଯୋଗାଇଛି। କୋଟା ହିସାବରେ ଜୁନ୍‌ରେ ଆଉ ୧,୫୧,୫୮୦ ଡୋଜ୍‌ ଟିକା ଯୋଗାଇବ। ଏହାକୁ ମିଶାଇଲେ କେନ୍ଦ୍ର ମୋଟ ୧୧,୩୮,୩୬୦ ଡୋଜ୍‌ କୋଭାକ୍ସିନ ଟିକା ଦେବ। ଫଳରେ ଭୁବନେଶ୍ୱରରେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ୩,୪୫,୬୩୦ ଡୋଜ୍‌ କୋଭାକ୍ସିନ ଟିକା ବଳକା ପଡ଼ିଯିବ। ଅନ୍ୟପଟେ ୧୮ରୁ ୪୪ବର୍ଷର ଟିକାକରଣ ଗତ ୩ ତାରିଖରୁ ଆରମ୍ଭ ହୋଇଛି। ଏହି ବୟସର ହିତାଧିକାରୀ ହେଉଛନ୍ତି ୫.୧୭ ଲକ୍ଷ। ଏମାନଙ୍କ ପାଇଁ ୧୦.୩୪ ଲକ୍ଷ ଡୋଜ୍‌ କୋଭାକ୍ସିନ ଆବଶ୍ୟକ। ୧,୩୭,୪୨୬ଜଣଙ୍କୁ ପ୍ରଥମ ଡୋଜ୍‌ ଟିକା ଦିଆଯାଇ ସାରିଲାଣି। ଚଳିତ ମାସ ଶେଷବେଳକୁ ରାଜ୍ୟ କୋଟାର ୧,୬୫,୯୪୦ ଡୋଜ୍‌ କୋଭାକ୍ସିନ ଟିକା ଶେଷ ହୋଇଯିବ। ଜୁନ୍‌ରେ ମିଳିବାକୁ ଥିବା ୧,୬୪,୩୭୦ ଟିକା ଦ୍ୱିତୀୟ ଡୋଜ୍‌ରେ ଶେଷ ହୋଇଯିବ। କେବଳ ପ୍ରଥମ ଡୋଜ୍‌ ପାଇଁ ୩.୫୨ଲକ୍ଷ ଡୋଜ୍‌ ଆବଶ୍ୟକ ପଡ଼ିବ। ତେଣୁ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ବଳକା ଟିକାକୁ ଦିଆଯାଇପାରିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠିରେ ଜଣାଇଛନ୍ତି। ସେ କହିଛନ୍ତି, ଭୁବନେଶ୍ୱରରେ ସଂକ୍ରମଣ ଅଧିକ ରହୁଥିବାରୁ ପର୍ଯ୍ୟାପ୍ତ ଟିକା ପ୍ରଦାନ ଆବଶ୍ୟକ। ତେଣୁ ଟିକା ସମସ୍ୟାର ସମାଧାନ ପାଇଁ ବଳକା ୩.୪୫ଲକ୍ଷ ଡୋଜ୍‌ କୋଭାକ୍ସିନକୁ ୧୮ରୁ ୪୪ବର୍ଷର ହିତାଧିକାରୀଙ୍କୁ ବ୍ୟବହାର ଲାଗି ଋଣ ଆକାରରେ ଦିଆଗଲେ ପରବର୍ତ୍ତୀ ସମୟରେ ରାଜ୍ୟ କୋଟାରୁ ଭରଣା କରାଯାଇପାରିବ।

Khansweb Solution Bhubaneswar

Leave A Reply

Your email address will not be published.