banner
Breaking

ରାଜ୍ୟସ୍ତରୀୟ ୭୪ତମ ସ୍ବାଧୀନତା ଦିବସ ପାଳିତ।

0

ଭୁବନେଶ୍ୱର,୧୫।୮(ଓଡ଼ିଆ ନ୍ୟୁଜ): କରୋନା କଟକଣା ମଧ୍ୟରେ ସମଗ୍ର ଦେଶ ୭୪ତମ ସ୍ବାଧୀନତା ଦିବସ ପାଳନ କରୁଛି। ଶନିବାର ସକାଳେ କରୋନା କଟକଣା ମଧ୍ୟରେ ଭୁବନେଶ୍ୱର ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧିନତା ଦିବସ ପାଳନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦର୍ଶନୀ ପଡ଼ିଆରେ ଯୋଗଦେଇ ଅଭିବାଦନ ଗ୍ରହଣ କରିବା ସହ ପତାକା ଉତ୍ତୋଳନ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ଓଡ଼ିଶାର ବୀରପୁତ୍ରଙ୍କୁ ମନେପକାଇବା ସହ ସମ୍ମାନ ଜଣାଇଛନ୍ତି। ଏଥିସହ ବୀର ଯବାନ ଓ ଶହୀଦ କରୋନା ଯୋଦ୍ଧାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଦେଶ ଓ ରାଜ୍ୟରେ ଜାରି ରହିଥିବା କରୋନା ସଙ୍କଟର ମୁକାବିଲା ପାଇଁ ସାହାସର ସହ କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି। କରୋନା ମୁବାବିଲା ଲାଗି ବିଭିନ୍ନ ଜିଲାରେ କୋଭିଡ ହସ୍ପିଟାଲ ରହିଛି। ଏଥିସହ ରାଜ୍ୟରେ ପ୍ଲାଜମା ଥେରାପି ଚିକିତ୍ସା ପାଇଁ ପ୍ଲାଜମା ବ୍ୟାଙ୍କ ମଧ୍ୟ ଖୋଲାଯାଇଛି ବୋଲି ନବୀନ କହିଛନ୍ତି। ତେବେ ଅର୍ଥ ଅଭାବରୁ କେହି କରୋନା ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିଜ ସମ୍ବୋଧନରେ କହିଛନ୍ତି। କରୋନା ଯୋଦ୍ଧାଙ୍କ ସେବା ଅତୁଳନୀୟ, ସେମାନଙ୍କ ପାଇଁ ଦେଶରେ ମୃତ୍ୟୁହାର କମ୍‌ ରହିଛି। କେବଳ ଦେଶରେ ନହେଁ ସାରା ବିଶ୍ୱ ପାଇଁ ସଙ୍କଟ ଆଣିଛି କରୋନା। ଏଥିପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ଅର୍ଥନୀତି, ପରିବହନ ଓ ପର୍ଯ୍ୟଟନ ପ୍ରଭାବିତ ହୋଇଛି। କରୋନା ପାଇଁ ବିଶ୍ୱର କୋଟି କୋଟି ଲୋକ ନିଜର ଜୀବିକା ହରାଇଛନ୍ତି। ଭାକ୍ସିନ ଆସିଲେ ଯାଇ କରୋନା ନିୟନ୍ତ୍ରଣ ହୋଇପାରିବ। ଖୁବ୍‌ଶୀଘ୍ର ଦେଶରୁ କରୋନା ମୁକ୍ତ ହେବ ବୋଲି ବିଶ୍ୱାସ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.