banner
Breaking

ଓଡିଶାକୁ ଫେରିବାକୁ ଥିବା ଓଡ଼ିଆଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା।

0

ଭୁବନେଶ୍ୱର,୨୪।୪(ଓଡ଼ିଆ ନ୍ୟୁଜ): ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ମେ ୩ ରେ ସରିବ। ଲକ୍‌ଡାଉନ୍‌ ହଟିବା ପରେ ନିଜ ରାଜ୍ୟକୁ ଫେରିବେ ପ୍ରବାସୀ ଓଡ଼ିଆ। ଏନେଇ ଶୁକ୍ରବାରଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଫର୍ମ ଜାରି କରାଯାଇଛି। ଓଡ଼ିଶା ଫେରିଲେ ସେମାନଙ୍କ ରହିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପଞ୍ଚାୟତ ସ୍ତରରେ କ୍ୱାରାଣ୍ଟାଇନ୍‌ ସେଣ୍ଟରର ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଏବେ ଜୋର୍‌ସୋରରେ ଚାଲିଛି। ଏସବୁ କାର୍ଯ୍ୟର ତଦାରଖ ପାଇଁ ସରପଞ୍ଚଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ଗଠନ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।
ସେ କହିଛନ୍ତି, ମଝିରେ ମାତ୍ର ୧୦ ଦିନ ବାକି ରହିଛି। ଲକ୍‌ଡାଉନ୍‌ରେ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରାୟ ୫ଲକ୍ଷ ଓଡ଼ିଆ ଫେରିବେ। ଏଠାରେ ପହଞ୍ଚତ୍ବା ପରେ ସିଧାସଳଖ ନିଜ ପଞ୍ଚାୟତରେ ପ୍ରସ୍ତୁତ ହୋଇ ରହିଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଯିବେ। ସେଠାରେ ସେମାନେ ୧୪ଦିନ ସଙ୍ଗରୋଧ ଭାବେ ରହିବେ। ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରିବ। କରୋନା ଲକ୍ଷଣ ଦେଖାଦେଲେ ଟେଷ୍ଟିଂ ପାଇଁ ନମୁନା ପଠାଯିବ। ରିପୋର୍ଟ ପଜିଟିଭ୍‌ ଆସିଲେ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯିବ।
ତେବେ ଫେରିବା ପୂର୍ବରୁ ନାମ ପଞ୍ଜୀକରଣ କରିବେ। ଏଥିପାଇଁ ଉଭୟ ଅନ୍‌ଲାଇନ୍‌ ଓ ଅଫଲାଇନ୍‌ର ବ୍ୟବସ୍ଥା କରାଯାଇଛି। ନିଜେ କିମ୍ବା ଅନ୍ୟକେହି ଆବଶ୍ୟକ ତଥ୍ୟ ଦେଇ ପଞ୍ଜୀକରଣ କରିପାରିବେ। ଉକ୍ତ ଫର୍ମରେ ଓଡ଼ିଶା ଫେରନ୍ତାଙ୍କ ନାଁ, ଗାଁ ଓ ଠିକଣା ସହ ସମ୍ପୂର୍ଣ୍ଣ ଯାତ୍ରା ବିବରଣୀ ଉଲ୍ଲେଖ କରିବାକୁ କୁହାଯାଇଛି। ଏହାସହ ସେ ଦାଦନ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ନା ଅନ୍ୟ କେଉଁ ଶ୍ରେଣୀର ସେ କଥା ବି ଉଲ୍ଲେଖ କରିବେ। ପଞ୍ଜୀକରଣ ପରେ ଜିଲା ନୋଡାଲ ଅଧିକାରୀ ଅନଲାଇନ୍‌ ପୋର୍ଟାଲରେ ସବିଶେଷ ତଥ୍ୟ ଅପଲୋଡ୍‌ କରିବେ। ଏନେଇ ଗୁରୁବାର ରାଜ୍ୟ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ସବିଶେଷ ଆଲୋଚନା ହୋଇଛି। ପଞ୍ଜୀକରଣ ତଦାରଖ ପାଇଁ ସରପଞ୍ଚଙ୍କ ନେତୃତ୍ୱରେ ଏକ ୫ଜଣିଆ କମିଟି ରହିବ। ଏହି କମିଟିରେ ସରପଞ୍ଚଙ୍କ ସହ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଗ୍ରାମ ରୋଜଗାର ସେବକ ଓ ୨ଜଣ ଶିକ୍ଷକ ରହିବେ ବୋଲି ମନ୍ତ୍ରୀ ଜେନା ସୂଚନା ଦେଇଛନ୍ତି। ସେପଟେ ଓଡ଼ିଶା ଫେରିବା ପୂର୍ବରୁ ସମସ୍ତଙ୍କର ଆଗୁଆ କୋଭିଡ୍‌ ଟେଷ୍ଟ ବ୍ୟବସ୍ଥା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି।

ହାତରେ ଲାଗିବ କ୍ୱାରାଣ୍ଟାଇନ୍‌ ଷ୍ଟାମ୍ପ

ପଞ୍ଜୀକୃତ ହୋଇଥିବା ବାହାର ଫେରନ୍ତାଙ୍କୁ ସିଧା ପୌର ସଂସ୍ଥା କିମ୍ବା ପଞ୍ଚାୟତ କ୍ୱାରାଣ୍ଟାଇନ୍‌ରେ ରଖାଯିବ। ତେବେ ଏହା ପୂର୍ବରୁ ସେମାନଙ୍କ ହାତରେ କ୍ୱାରାଣ୍ଟାଇନ୍‌ ଆରମ୍ଭ ତାରିଖକୁ ଏକ ଷ୍ଟାମ୍ପ୍‌ ଜରିଆରେ ଲଗାଯିବ। ଏହା ସହଜରେ ଲିଭବ ନାହିଁ, ୨୦ଦିନରୁ ଊର୍ଦ୍ଧ୍ୱ ରହିବ। କ୍ୱାରାଣ୍ଟାଇନ୍‌ରୁ ବାହାରକୁ ଗଲେ ସହଜରେ ଧରାପଡିଯିବେ। ଏଥିସହ ଅନ୍ୟମାନଙ୍କ ଅବଗତି ନିମନ୍ତେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ସମ୍ମୁଖରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଷ୍ଟିକର ଲଗାଯିବ। ଏନେଇ ଗୁରୁବାର ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ଗୁରୁବାର ଉଭୟ ପଞ୍ଚାୟତିରାଜ ବିଭାଗ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.